ଅରିଜିତଙ୍କ ପରେ କନସର୍ଟ ବାତିଲ କଲେ ଶ୍ରେୟା ଘୋଷାଲ, ପହଲଗାମରେ ଘଟିଥିବା ଘଟଣାରେ କଲେ ଦୁଃଖପ୍ରକାଶ

ବଲିଉଡ୍ ର ଲୋକପ୍ରିୟ ଓ ପ୍ରସିଦ୍ଧ ଗାୟିକା ଶ୍ରେୟା ଘୋଷାଲ କଶ୍ମିରରେ ଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୁରଟରେ ତାଙ୍କର ଆଗାମୀ କନସର୍ଟକୁ ବାତିଲ କରିଛନ୍ତି । ଆୟୋଜକ ଏବଂ ଶ୍ରେୟା ଇନଷ୍ଟାଗ୍ରାମରେ ଅପଡେଟ୍ ସେୟାର କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ୨୬ ଏପ୍ରିଲରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାର ଥିଲା ।

କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଗାୟିକା ଶ୍ରେୟା ଘୋଷାଲ ତାଙ୍କର ଅଲ୍ ହାର୍ଟସ୍ ଟୁର୍ ଅଂଶ ଭାବରେ ସୁରଟରେ ତାଙ୍କର କନସର୍ଟ ବାତିଲ କରିବା ନେଇ ଘୋଷଣା କରିଛନ୍ତି । ୨୬ ଏପ୍ରିଲ୍ ୨୦୨୫ ଶନିବାର ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଇଣ୍ଡୋର ଷ୍ଟାଡିୟମରେ ପରିବେଷଣ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ଏ ବିଷୟରେ ସୂଚନା ଦେଇ ଶ୍ରେୟା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଲେଖା ସେୟାର କରିଛନ୍ତି ।

ଯେଉଁଥିରେ ଲେଖା ହୋଇଛି ଏହି ଦୁଃଖଦ ଘଟଣା ଯୋଗୁଁ ଆଯୋଜକ ଓ କଳାକାରମାନେ ମିଶି ଏକ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ୨୬ରେ ସୁରଟରେ ହେବାକୁ ଥିବା ଏକ ଶୋ କୁ ବାତିଲ କରାଯାଇଛି ।
ସମସ୍ତ ଟିକେଟ୍ ଧାରକଙ୍କୁ ସେମାନଙ୍କ ସପୂର୍ଣ୍ଣ ଟଙ୍କା ଫେରାଇ ଦିଆଯିବ । ଯଦି କିଛି ପ୍ରଶ୍ନ ଆପଣଙ୍କର ରହିଛି ତେବେ ଆପଣ [email protected] କୁ ଜଣାଇ ପାରିବେ । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଅରିଜିତ ସିଂ ଏପ୍ରିଲ ୨୭ ତାରିଖରେ ଚେନ୍ନାଇର ନନ୍ଦନମର YMCA ଗ୍ରାଉଣ୍ଡରେ ହେବାକୁ ଥିବା ତାଙ୍କର ଆଗାମୀ କନସର୍ଟକୁ ମଧ୍ୟ ବାତିଲ କରିଦେଇଥିଲେ ।

ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲର ଷ୍ଟୋରି ସେକ୍ସନ ମାଧ୍ୟମରେ ଆୟୋଜକଙ୍କ ଠାରୁ ଏକ ନୋଟ୍ ସେୟାର କରି କନସର୍ଟ ବାତିଲ ହେବା ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ସଂଗୀତଜ୍ଞ ଏବଂ ଗାୟକ ଅନିରୁଦ୍ଧ ରବିଚନ୍ଦର ଘୋଷଣା କରିଥିଲେ ଯେ ଜୁନ୍୧ ତାରିଖରେ ତାଙ୍କର ଆଗାମୀ ବେଙ୍ଗାଲୁରୁ କନସର୍ଟ ପାଇଁ ଟିକେଟ୍ ବିକ୍ରି ସ୍ଥଗିତ ରଖାଯାଇଛି ।

Also read: ଆମେରିକାର ପାଳନ କରାଯାଏ ଶ୍ରେୟା ଘୋଷାଲ ଡେ’, ଜାଣନ୍ତୁ କାହିଁକି ?