ବିଗିଡ଼ି ଗଲା ଅରୁଦୀପଙ୍କ ସମ୍ପର୍କ, ପବନଦୀପ ରାଜନଙ୍କୁ ଆଉ ପସନ୍ଦ କରୁନାହାନ୍ତି ଅରୁଣିତାଙ୍କ ବାପା-ମା’

ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ ଯୋଗୁ ଚର୍ଚ୍ଚାରେ ଥିବା ପବନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲ ଅଲଗା ହୋଇଛନ୍ତି। ପବନଦୀପଙ୍କ ସହ ଗୀତ ଗାଇବେନି ବୋଲି ମନା କରି ଦେଇଛନ୍ତି ଅରୁଣିତା। ଇଣ୍ଡିଆନ୍‌ ଆଇଡଲ ୧୨ରେ ଏହି ପ୍ରତିଯୋଗୀ ବେଶ୍‌ ଚର୍ଚ୍ଚାରେ ଥିଲେ। ଏମାନଙ୍କ ଯୁଗଳବନ୍ଦୀ ଶୁଣିବାକୁ ଦର୍ଶକେ ଅନେଇ ବସୁଥିଲେ। ଏହି ଦୁଇ କଣ୍ଠଶିଳ୍ପୀ ରିଲେସନ୍‌ସିପ୍‌ରେ ଅଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। ଏଣୁ ଫ୍ୟାନ୍‌ମାନେ ତାଙ୍କୁ ସ୍ନେହରେ ‘ଅରୁଦୀପ’ ବୋଲି ମଧ୍ୟ ଡାକୁଥିଲେ। କିନ୍ତୁ ଏବେ ଖବର ଆସିଛି ଯେ ପବନଦୀପଙ୍କ ସହ ଆଗାମୀ ଆଲବମ୍‌ରେ ଗୀତ ଗାଇବାକୁ ମନା କରି ଦେଇଛନ୍ତି ଅରୁଣିତା।

ଇଣ୍ଡିଆନ୍‌ ଆଇଡଲ ୧୨ ଶେଷ ହେବା ପରେ ମଧ୍ୟ ପବନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲଙ୍କ ପ୍ରତି ଫ୍ୟାନ୍‌ଙ୍କ ଭଲ ପାଇବା ଅତୁଟ ଥିଲା। ଏହି ଭଲ ପାଇବାକୁ ଦେଖି ଏହି ଦୁଇ କଣ୍ଠଶିଳ୍ପୀ ମଧ୍ୟ ଏକାଠି କେତେ ଗୁଡ଼ିଏ ଆଲବମ୍‌ ଓ ଇଭେଣ୍ଟ କରିଥିଲେ। ପବନଦୀପ ଓ ଅରୁଣିତା ମ୍ୟୁଜିକ ଡାଇରେକ୍ଟର ରାଜ ସୁରାନୀଙ୍କ ମ୍ୟୁଜିକ ଭିଡିଓ ସିରିଜ୍‌ ପାଇଁ ମଧ୍ୟ ସାଇନ୍‌ କରିଥିଲେ। କିନ୍ତୁ ଏବେ ଅରୁଣିତା ଏହି ସିରିଜ୍‌ ଛାଡ଼ି ଦେଇଛନ୍ତି। ଅରୁଣିତାଙ୍କ ଜାଗାରେ ପବନଦୀପଙ୍କ ବିପକ୍ଷରେ ଏବେ ଆଉ ଜଣେ ନାୟିକାଙ୍କୁ ସାଇନ୍‌ କରାଯିବ।

ଅରୁଣିତାଙ୍କ ଘର ଲୋକଙ୍କୁ ପବନଦୀପ ପସନ୍ଦ ନୁହେଁ:

ରିପୋର୍ଟ ମୁତାବକ, ଏବେ ଖବର ଆସୁଛି ଯେ ଅରୁଣିତାଙ୍କ ପରିବାର ଲୋକଙ୍କୁ ପବନଦୀପଙ୍କ ସହ ଅରୁଣିତାଙ୍କ ଲିଙ୍କ୍‌ କରାଯାଉଥିବା ଖବର ବି ବିଲକୁଲ ପସନ୍ଦ ନୁହେଁ। ଇଣ୍ଡିଆନ୍‌ ଆଇଡଲ ଆରମ୍ଭରୁ ହିଁ ସେମାନେ ପବନଦୀପଙ୍କୁ ଭଲ ପାଉନଥିଲେ। ତେବେ ଏନେଇ ପଚାରିବାକୁ ଅରୁଣିତାଙ୍କୁ କଲ୍‌ କରିବାରୁ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ତାଙ୍କ ହ୍ଵାଟ୍ସ ଆପ୍‌ରେ କଲ୍‌ କରିବାରୁ ତାଙ୍କ ମା’ ଉଠାଇ କହିଥିଲେ ଯେ ଆପଣ ଏମିତି ସିଧାସଳଖ ଅରୁଣିତାକୁ କଲ୍‌ କରିପାରିବେ ନାହିଁ। ତା’ ମ୍ୟାନେଜରକୁ କଲ୍‌ କରନ୍ତୁ।

ଅନ୍ୟ ପଟେ ରାଜ ସୁରାନୀଙ୍କ ମ୍ୟୁଜିକ ଭିଡିଓ ପାଇଁ ସାଇନ୍‌ କରିବା ବେଳେ ଅରୁଣିତାଙ୍କ ବାପା କହିଥିଲେ ଯେ ଏଥିରେ ପବନଦୀପ ଓ ଅରୁଣିତାଙ୍କ ମଧ୍ୟରେ କୌଣସି ଇଣ୍ଟିମେଟ୍‌ ସିନ୍‌ ଯେମିତି ନ ରହେ। ଏହାର ଜବାବରେ ରାଜ ସୁରାନୀ କହିଥିଲେ, ମ୍ୟୁଜିକ ଭିଡିଓ ସୁଟିଂ ବେଳେ ଆପଣ ସେଟ୍‌ରେ ଉପସ୍ଥିତ ରୁହନ୍ତୁ।

ତେବେ ଏସବୁ କଥାରୁ ସ୍ପଷ୍ଟ ହୋଇଛି ଯେ ଅରୁଣିତାଙ୍କ ବାପା ମା’ ଚାହୁଁନାହାନ୍ତି ପବନଦୀପ ଓ ଅରୁଣିତା ଏକାଠି କୌଣସି ମ୍ୟୁଜିକ ଭିଡିଓ କରନ୍ତୁ। ଏଣୁ ଅରୁଣିତା ଆଗାମୀ ଆଲବମ୍‌ରେ କାମ କରିବେ ନାହିଁ। ଡାଇରେକ୍ଟର ମଧ୍ୟ ତାଙ୍କ ସ୍ଥାନରେ ଆଉ ଜଣେ ହିରୋଇନ୍‌ଙ୍କୁ ନେବାକୁ ଚିନ୍ତା କରୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.