କଙ୍ଗନା ରାଣାଓ୍ଵତଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟରେ ପିଟିସନ୍‌, ସବୁ ପୋଷ୍ଟକୁ ସେନ୍ସର ଘୋଷଣା କରିବାକୁ ଦାବି

ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଅଭିନୟ ଅପେକ୍ଷା ନିଜ ବିବାଦୀୟ କମେଣ୍ଟ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସବୁ ଘଟଣାରେ କଙ୍ଗନା ନିଜ ମତାମତ ପୋଷଣ କରିଥାନ୍ତି, ଯାହା ପରେ ତାଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏବେ ପୁଣିଥରେ କଙ୍ଗନା ନିଜ ପୋଷ୍ଟ ଯୋଗୁ ଫସିଛନ୍ତି। ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ସେୟାର କରି ହଟହଟା ହୋଇଛନ୍ତି କଙ୍ଗନା। ଯେଉଁଥିପାଇଁ ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍‌ କରିବାକୁ ଦାବି ହୋଇଛି। ଏ ନେଇ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ୍‌ ବି ଦାଖଲ ହୋଇଥିବା ଜଣାଯାଇଛି।

ସୁପ୍ରିମ୍‌କୋର୍ଟରେ କଙ୍ଗନାଙ୍କ ବିରୋଧରେ ଦାଖଲ ହୋଇଥିବା ପିଟିସନ୍‌ରେ ତାଙ୍କର ସମସ୍ତ ସୋସିଆଲ ମିଡିଆ ପୋଷ୍ଟକୁ ସେନ୍‌ସର କରିବାକୁ ଦାବି କରାଯାଇଛି। ପିଟିସନ୍‌ରେ ଆବେଦକ କହିଛନ୍ତି, କଙ୍ଗନା କୃଷକଙ୍କ ବିରୋଧରେ କରିଥିବା ଏକ ପୋଷ୍ଟ ତାଙ୍କୁ ଖୁବ୍‌ ବ୍ୟଥିତ କରିଛି। ଏହି ପୋଷ୍ଟରେ କଙ୍ଗନା ଶିଖ୍‌ କୃଷକଙ୍କୁ ‘ଖଲିସ୍ତାନୀ ଆତଙ୍କବାଦୀ’ ବୋଲି ସମ୍ବୋଧିତ କରିଛନ୍ତି। କଙ୍ଗନାଙ୍କ ଏହି ମନ୍ତବ୍ୟକୁ ବିରୋଧ କରି ସୁପ୍ରିମ୍‌କୋର୍ଟରେ ଓକିଲ ଚରଣଜିତ ସିଂହ ଚନ୍ଦ୍ରପାଲ ଏହି ପିଟିସନ୍‌ ଦାଖଲ କରିଛନ୍ତି।


ପିଟିସନ୍‌ରେ କୁହାଯାଇଛି, କଙ୍ଗନା ରାଣାଓ୍ଵତଙ୍କ ମନ୍ତବ୍ୟର ଉଦ୍ଦେଶ୍ୟ ଦଙ୍ଗା ପାଇଁ ଉସୁକାଇବା ଓ ଧାର୍ମିକ ଭାବନାକୁ କୁଠାରଘାତ କରିବା। ଚନ୍ଦ୍ରପାଲ ଏହି ଯାଚିକାରେ କହିଛନ୍ତି, କଙ୍ଗନାଙ୍କ ପୋଷ୍ଟ ଶିଖ୍‌ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ର ବିରୋଧୀ ଭାବେ ଚିତ୍ରିତ କରୁଛି। ସେ କହିଛନ୍ତି, କଙ୍ଗନା ରାଣାଓ୍ଵତଙ୍କ ଟିପ୍ପଣୀ ଦେଶର ଏକତା ବିରୋଧୀ। ଏଣୁ ଅଭିନେତ୍ରୀ ଆଇନତଃ କଠୋର ଦଣ୍ଡ ପାଇବାକୁ ଯୋଗ୍ୟ।

ଓକିଲ କହିଛନ୍ତି, ଅଭିନେତ୍ରୀଙ୍କ କାର୍ଯ୍ୟକଳାପକୁ ଅଣଦେଖା କରି ହେବ ନାହିଁ କି କ୍ଷମା କରି ହେବ ନାହିଁ। ଏଣୁ ସାରା ଦେଶରେ କଙ୍ଗନାଙ୍କ ବିରୋଧରେ ଯେତେ ସବୁ ମାମଲା ରୁଜୁ ହୋଇଛି, ତାହାକୁ ମୁମ୍ବାଇର ଖାର ପୋଲିସ ଷ୍ଟେସନ୍‌କୁ ଟ୍ରାନ୍ସଫର କରିବାକୁ ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.