ଦକ୍ଷିଣ ଭାରତୀୟ ଅଭିନେତା ଶରଥ ବାବୁଙ୍କ ଦେହାନ୍ତରେ ଟ୍ଵିଟ କଲେ ପ୍ରଧାନମନ୍ତ୍ରୀ

ଶରଥ ବାବୁଙ୍କ ଅକାଳ ବିୟୋଗ ସମସ୍ତ ଫିଲ୍ମ ଜଗତକୁ ସ୍ତବ୍ଧ କରିଛି । ଶରଥ ବାବୁଙ୍କ ଦେହାନ୍ତରେ ଟ୍ଵିଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶରଥ ବାବୁ ନାମି ଦାମୀ କଳାକାରଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଫ୍ୟାନ ଫୋଲୋଇଙ୍ଗ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଥିଲା ।

(କେନ୍ୟୁଜ ବ୍ୟୁରୋ): ତେଲୁଗୁ ଅଭିନେତା ଶରଥ ବାବୁଙ୍କ ଦେହାନ୍ତରେ ଟ୍ଵିଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶରଥ ବାବୁଙ୍କ ଅକାଳ ବିୟୋଗ ସମସ୍ତ ଫିଲ୍ମ ଜଗତକୁ ସ୍ତବ୍ଧ କରିଛି । ୭୧ ବର୍ଷ ବୟସରେ କଳାକାରଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଶରଥ ବାବୁଙ୍କ ପରିବାର ଲୋକେ ଏ ସମ୍ପର୍କିତ ଖବର ଗଣମାଧ୍ୟମକୁ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ବୟସ ସମ୍ବନ୍ଧିତ ଅସୁସ୍ଥତା କାରଣରୁ ତାଙ୍କୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଭର୍ତ୍ତି ହେବାର ଏକ ମାସ ବିତି ଯାଇଥିବା ସୂଚନା ମିଳିଛି । ତେବେ ସୋମବାର ସକାଳ ସମୟରେ ହଠାତ ଶରଥଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ ହୋଇଯାଇଥିଲା ଏବଂ ଦ୍ୱିପ୍ରହର ସମୟରେ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲେ । ଶରଥ ବାବୁ ନାମି ଦାମୀ କଳାକାରଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ଫ୍ୟାନ ଫୋଲୋଇଙ୍ଗ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଥିଲା ।

ଶରଥ ବାବୁଙ୍କ ଜନ୍ମ ୧୯୫୧ ମସିହା ଜୁଲାଇ ୩୧ରେ ଆନ୍ଧ୍ରପ୍ରଦେଶର ଅମଦଲାବଲସା ଠାରେ ହୋଇଥିଲା । କ୍ରିମିନାଲ, ଓଥିରୀ ପୁକ୍କଲ ଏବଂ ଶିରିଡ଼ି ସାଇ ଭଳି ଚଳଚ୍ଚିତ୍ର ପାଇଁ ଫ୍ୟାନ୍ସ ମାନେ ତାଙ୍କୁ ସର୍ବଦା ମନେ ରଖିବେ । ୧୯୭୩ ମସିହାରେ ରିଲିଜ ହୋଇଥିବା ‘ରାମ ରାଜ୍ୟମ’ ଚଳଚ୍ଚିତ୍ରରୁ ଫିଲ୍ମ ଜଗତରେ ପାଦ ଥାପିଥିଲେ ଶରଥ । ତେବେ ୧୯୭୪ ମସିହାରେ ଶରଥ ଅଭିନେତ୍ରୀ ରମା ପ୍ରଭାଙ୍କୁ ବିବାହ କରିଥିଲେ। କିନ୍ତୁ ୧୯୮୮ ମସିହାରେ ହିଁ ଦୁଇ ଜଣ ଅଲଗା ହୋଇଯାଇଥିଲେ । ପରେ ସ୍ନେହା ନାମ୍ବିଆରଙ୍କୁ ବିବାହ କରିଥିଲେ ଶରଥ କିନ୍ତୁ ୨୦୧୧ ମସିହାରେ ହିଁ ଦୁଇଜଣଙ୍କ ଛାଡ଼ପତ୍ର ହୋଇଥିଲା ।

ତେବେ ନିକଟରେ ରିଲିଜ ହୋଇଥିବା ତାମିଲ ଫିଲ୍ମ ‘ବସନ୍ତ ମୁଲଇ’ରେ ଶରଥ ବାବୁ ନଜର ଆସିଥିଲେ। ଅନ୍ୟପଟେ ରିଲିଜ ହେବାକୁ ଥିବା ‘ ମଲ୍ଲୀ ପେଲ୍ଲୀ’ ଚଳଚ୍ଚିତ୍ରରେ ଶରଥଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଶୁକ୍ରବାର ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ରଟି ଶରଥ ବାବୁଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ । ଶରଥ ବାବୁଙ୍କ ଦେହାନ୍ତ ଫିଲ୍ମ ଜଗତକୁ ଏକ ଝଟକା ସଦୃଶ । ସୋସିଆଲ ମିଡିଆରେ ଫ୍ୟାନ୍ସ ତଥା ଫିଲ୍ମ ଜଗତ ସହିତ ଜଡ଼ିତ ଲୋକମାନେ ଶରଥ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ।

Leave A Reply

Your email address will not be published.