ପ୍ରି-ମାଚ୍ୟୋର ସନ୍ତାନର ମା’ ହେବା ପରେ ବଡ଼ ନିଷ୍ପତ୍ତି ନେଲେ ପ୍ରିୟଙ୍କା; ‘ଜି ଲେ ଜାରା’ କରିବାକୁ କରି ଦେଲେ ମନା

ଗ୍ଲୋବାଲ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପପ୍ ଷ୍ଟାର୍ ସ୍ୱାମୀ ନିକ ଜୋନାସ୍ ସରୋଗେସି ଜରିଆରେ ସେମାନଙ୍କ ପ୍ରଥମ ସନ୍ତାନର ପିତାମାତା ହୋଇଛନ୍ତି। ୩୯ ବର୍ଷୀୟା ପ୍ରିୟଙ୍କା ଏବଂ ୨୯ ବର୍ଷୀୟା ନିକ ୨୨ ଜାନୁଆରୀ ମଧ୍ୟରାତ୍ରିରେ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନମାନଙ୍କ ସହିତ ଏହି ଖୁସି ଖବର ସେୟାର କରିଥିଲେ। କିନ୍ତୁ ଏହି ପୋଷ୍ଟରେ ପ୍ରିୟଙ୍କା ଓ ନିକ ନିଜ ସନ୍ତାନର ଲିଙ୍ଗର ଖୁଲାସା କରି ନାହାନ୍ତି। ତେବେ ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଉଭୟ ଏକ ଶିଶୁ କନ୍ୟାକୁ ଏହି ଦୁନିଆକୁ ସ୍ୱାଗତ କରିଛନ୍ତି। ନିଜର ପ୍ରଥମ ସନ୍ତାନ ଜନ୍ମ ହେବା ପରେ ଏବେ ଲାଗୁଛି ପ୍ରିୟଙ୍କା ନିଜର ପୂରା ସମୟ ତାଙ୍କ କୁନି ଅତିଥିକୁ ଦେବାକୁ ଚାହୁଁଛନ୍ତି।

ଏଥିପାଇଁ ପ୍ରିୟଙ୍କା ଏବେ ବଲିଉଡକୁ ଫେରୁ ନାହାନ୍ତି। ମିଡିଆ ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଚୋପ୍ରା ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଫିଲ୍ମ ‘ଜି ଲେ ଜାରା’ର ଅଂଶ ହେବାକୁ ମନା କରି ଦେଇଛନ୍ତି। ସେ ଫିଲ୍ମ ପ୍ରଯୋଜକ ରିତେଶ ସିଧୱାନୀ ଓ ଫରହାନ ଅଖତରଙ୍କ ସହ କଥା ହୋଇଛନ୍ତି। ଏହି ଫିଲ୍ମ ପାଇଁ କୌଣସି ଅନ୍ୟ ଅଭିନେତ୍ରୀ ସାଇନ୍‌ କରିବାକୁ ପରାମର୍ଶ ଦେଇଛନ୍ତି।

ବାସ୍ତବରେ, ପ୍ରିୟଙ୍କା ଓ ନିକଙ୍କ ନବଜନ୍ମିତ ସନ୍ତାନ ହେଉଛି ପ୍ରି-ମାଚ୍ୟୋର। ଛୁଆର ଜନ୍ମ ଦକ୍ଷିଣ କାଲିଫର୍ନିଆର ଏକ ହସ୍ପିଟାଲରେ ହୋଇଛି। ଶିଶୁଟି ପ୍ରସବ ତାରିଖର ୧୨ ସପ୍ତାହ ପୂର୍ବରୁ ଜନ୍ମ ହୋଇଛି। ଏହାରି ଭିତରେ ରିପୋର୍ଟରୁ ଜଣା ପଡ଼ିଛି ଯେ ପ୍ରିୟଙ୍କା ଫରହାନ ଅଖତର ଓ ରିତେଶ ସିଧୱାନୀଙ୍କ ‘ଜି ଲେ ଜାରା’ରୁ ବାହାରି ପାରନ୍ତି। ଏଥିରେ ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ୍‌ ମଧ୍ୟ ଲିଡ୍‌ ରୋଲରେ ଅଛନ୍ତି।

ରିପୋର୍ଟ ମୁତାବକ, ପ୍ରିୟଙ୍କା ବର୍ତ୍ତମାନ ନିଜ ଶିଶୁ କନ୍ୟା ସହିତ ରହିବାକୁ ଚାହୁଁଛନ୍ତି, ଏଥିପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରିୟଙ୍କା ନିଜର ସବୁ ସମୟ ଏବଂ ଏନର୍ଜି ନିଜ ସନ୍ତାନକୁ ଦେବାକୁ ଚାହୁଁଛନ୍ତି। ‘ଜି ଲେ ଜାରା’ର ନିର୍ମାତା ମଧ୍ୟ ପ୍ରିୟଙ୍କା ମା’ ହେବା ପରେ ସାମାନ୍ୟ ଚିନ୍ତିତ ଅଛନ୍ତି। ରିପୋର୍ଟରେ ଦର୍ଶାଯାଇଛି କି, ନିର୍ମାତା ରିତେଶ ସିଧୱାନୀ ଓ ଫରହାନ ଅଖତର ଅନ୍ୟ ବିକଳ୍ପ ଖୋଜୁଛନ୍ତି, ଯିଏ ଫିଲ୍ମରେ ପ୍ରିୟଙ୍କାଙ୍କ ସ୍ଥାନ ନେଇ ପାରିବେ।