ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀଙ୍କ ଗୁରୁଗ୍ରାମ ସ୍ଥିତ ଫାର୍ମହାଉସ ସିଲ୍, ଅବୈଧ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ

ଲୋକପ୍ରିୟ ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀଙ୍କ ଗୁରୁଗ୍ରାମ ଘର ସିଲ୍ । ପଞ୍ଜାବୀ ଗାୟକଙ୍କ ଗୁରୁଗ୍ରାମ ସ୍ଥିତ ଫାର୍ମ ହାଉସ ଅବୈଧ ଭାବେ ତିଆରି ହୋଇଥିବା ଅଭିଯୋଗରେ ସିଲ୍ ହୋଇଛି। କେବଳ ଦଲେର ମେହେନ୍ଦୀଙ୍କର ନୁହେଁ ଏଠାରେ ଥିବା ଆଉ ୩ ଜଣଙ୍କ ଘରକୁ ମଧ୍ୟ ସିଲ୍ କରାଯାଇଛି। ଗୁରୁଗ୍ରାମ ଜିଲ୍ଲା ପ୍ରଶାସନର ଅଧିକାରୀ ସୋହନାର ଦମଦମା ହ୍ରଦ ନିକଟରେ ଥିବା ଗାୟକଙ୍କ ଘରରୁ ସିଲ୍ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଜିଲ୍ଲା ନଗର ନିୟୋଜକ ଅମିତ ମଧୋଲିୟା କହିଛନ୍ତି, ଏହି ହ୍ରଦ ଅଞ୍ଚଳରେ ଅବୈଧ ଫାର୍ମହାଉସ ନିର୍ମାଣ କରାଯାଇଛି। ଏଠାରେ ତିନିଟି ଫାର୍ମହାଉସକୁ ସିଲ୍ କରିଦିଆଯାଇଛି। ଏମାନେ ବିନା ଅନୁମତିରେ ଏଠାରେ ଘର ତିଆରି କରିଛନ୍ତି।
ସୋନ୍ୟା ଘୋଷ ବନାମ ହରିୟାଣା ରାଜ୍ୟ ମାମଲାରେ ଏନଜିଟିର ଆଦେଶକୁ ପାଳନ କରି ପୋଲିସ ସାହାଯ୍ୟରେ ଏହି ୩ଟି ଫାର୍ମହାଉସର ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲେ। କାର୍ଯ୍ୟାନୁଷ୍ଠାନ ସମୟରେ ସୋହନା ଥାନାର ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ମଧ୍ୟ ଏଠାରେ ନିୟୋଜିତ ଥିଲେ। ଅବୈଧ ଘର ନିର୍ମାଣ କରିବା ଅଭିଯୋଗରେ ଏଠାରେ ଥିବା ୩ଟି ଫାର୍ମହାଉସକୁ ସିଲ୍ କରାଯାଇଛି। ଏହି ଫାର୍ମହାଉସ ପାଖାପାଖି ଦେଢ ଏକର ଜାଗାରେ ନିର୍ମାଣ କରାଯାଇଥିଲା ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଦଲେର ମେହେନ୍ଦୀ ଅନେକ ବିବାଦରେ ଫସିଛନ୍ତି। ତାଙ୍କ ବିପକ୍ଷରେ ୨୦୦୩ରେ ପାରା ଶିକାର କରିବା ଅଭିଯୋଗରେ ମାମଲା ଦାଏର ହୋଇଥିଲା। ୨୦୦୩ ମସିହାରେ ଦଲେର ମେହେନ୍ଦୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତାଙ୍କ ଉପରେ ବେଆଇନ୍ ଭାବେ ବିଦେଶକୁ ମାନବ ଚାଲାଣ କରୁଥିବା ନେଇ ଆରୋପ ଲାଗିଥିଲା। କୁହାଯାଉଛି ଯେ ଏମିତି ମଣିଷ ଚାଲାଣ କରି ଦଲେର ମେହେନ୍ଦୀ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ। ଏହି କାମରେ ତାଙ୍କୁ ତାଙ୍କ ଭାଇ ମଧ୍ୟ ସାହାଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ୧୯୯୮ରେ ୧୯୯୯ ମଧ୍ୟରେ ପାଖାପାଖି ୧୦ ଜଣ ଲୋକଙ୍କୁ ବିଦେଶ ପଠାଇଥିଲେ। ପଟିୟାଲା ଟ୍ରାଏଲ କୋର୍ଟ ମାନବ ତସ୍କରୀ ଏହି ମାମଲାରେ ୧୯ ବର୍ଷ ପୁରୁଣା ମାମଲାରେ ଦଲେର ମେହେନ୍ଦୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ପରେ ୧୬ ମାର୍ଚ୍ଚ, ୨୦୧୮ରେ ତାଙ୍କୁ ୨ ବର୍ଷ ପାଇଁ ଜେଲଦଣ୍ଡ ହୋଇଥିଲା ।