ପୁଷ୍ପା-୨ ଆଡଭାନ୍ସ ବୁକିଂ: ୧ ମିଲିୟନ ଟିକେଟ୍ ବିକ୍ରି, ୫୦ କୋଟିରୁ ଅଧିକ ଆୟ
ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ‘ପୁଷ୍ପା-୨’ ଅଗ୍ରୀମ ବୁକିଂ ମାମଲାରେ ବକ୍ସ ଅଫିସରେ ନିଆଁ ଲଗାଇ ଦେଇଛି । ଟ୍ରାକିଂ ୱେବସାଇଟ୍ ‘ସାକନିଲ୍କ’ ଅନୁସାରେ, ଅଲୁ ଅର୍ଜୁନଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ୫୦ କୋଟି ଟଙ୍କା ଜମା କରିନେଇଛି । ଫିଲ୍ମ ରିଲିଜ୍ ହେବାକୁ ଆଉ ମାତ୍ର ୨ ଦିନ ଥିବାବେଳେ BookMyShowରେ ୧ ମିଲିୟନ୍ ଟିକେଟ୍ ବିକ୍ରି ହୋଇଛି । ସୁକୁମାରଙ୍କ ନିର୍ଦ୍ଦେଶିତ ‘ପୁଷ୍ପା ୨: ଦ ରୁଲ୍’ ଡିସେମ୍ବର ୫ରେ ଏକାଧିକ ଭାଷାରେ ସିନେମା ଘରେ ମୁକ୍ତିଲାଭ କରିବ ।
ରିପୋର୍ଟ ମୁତାବକ, ପୁଷ୍ପା-୨ ପ୍ରଥମ ଦିନ ଅଗ୍ରୀମ ବୁକିଂରେ ଏଯାବତ୍ ୧ ମିଲିୟନ୍ ଟିକେଟ୍ ବିକ୍ରି କରି ସାରିଲାଣି ଏବଂ ଆସନ୍ତା ଦୁଇ ଦିନ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପୁଷ୍ପା-୨ ଏକାଧିକ ଭାଷା ଏବଂ ଏକାଧିକ ଫର୍ମାଟରେ ପ୍ରେକ୍ଷାଳୟକୁ ଆସିବ ।
2D ତେଲୁଗୁ ସଂସ୍କରଣ ୧୭.୧୬ କୋଟି ଟଙ୍କା ଅଗ୍ରୀମ ବୁକିଂ ସହିତ ତାଲିକାରେ ସବୁଠାରୁ ଆଗରେ ରହିଛି । ତେଲୁଗୁ ପରେ ହିନ୍ଦୀ ସଂସ୍କରଣ ୧୨ କୋଟି ଟଙ୍କାର ପ୍ରି-ସେଲ୍ସ ସହିତ ଦ୍ଵିତୀୟରେ ରହିଛି । ପୁଷ୍ପା-୨ର ତାମିଲ ଏବଂ ମାଲାୟାଲମ୍ ସଂସ୍କରଣ ଯଥାକ୍ରମେ ୮୨.୪ ଲକ୍ଷ ଏବଂ ୧.୦୨ କୋଟି ଟଙ୍କା ରୋଜଗାର କରିଛି ।
ପୁଷ୍ପା-୨ ଭାରତରେ ପ୍ରି-ସେଲ୍ସରେ ୩୫.୭ କୋଟି ଟଙ୍କା (ନେଟ୍) କମାଇଛି । ବ୍ଲକ୍ କରାଯାଇଥିବା ସିଟ୍ ସହିତ ଏହି ସଂଖ୍ୟା ୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆଜି ସମଗ୍ର ବିଶ୍ୱରେ ଆହୁରି ବି ସ୍କ୍ରିନ୍ ଖୋଲିବାର ଆଶା କରାଯାଉଛି, ଯାହା ଦ୍ୱାରା ବିକ୍ରୟ ବୃଦ୍ଧି ପାଇବ ।
‘ପୁଷ୍ପା ୨: ଦ ରୁଲ୍’ ଫିଲ୍ମରେ ଅଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଫହାଦ ଫାସିଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପାଖାପାଖି ୪୦୦ କୋଟି ଟଙ୍କା ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଥିବା ଜଣାଯାଇଛି ।