ବଲିଉଡ୍ର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ ଯାଦବ ଏବେ ଗଭୀର ଆର୍ଥିକ ଓ ଆଇନଗତ ସଙ୍କଟରେ ପଡ଼ିଛନ୍ତି । ହସାଇ ହସାଇ ଦର୍ଶକଙ୍କ ହୃଦୟ ଜିତିଥିବା ଏହି ଅଭିନେତାଙ୍କ ବିରୋଧରେ ବର୍ତ୍ତମାନ ୧୬.୬୧ କୋଟି ଟଙ୍କାରୁ ଅଧିକ ଋଣ ମାମଲା ପାଇଁ ବ୍ୟାଙ୍କ୍ ତାଙ୍କ ଉପରେ ନିଲାମୀ ନୋଟିସ୍ ଲଗାଇଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାଙ୍କ ଉତ୍ତର ପ୍ରଦେଶର ଶାହଜାହାନପୁର ସ୍ଥିତ ସମ୍ପତ୍ତି ଉପରେ ଜବତ ଏବଂ ନିଲାମୀ ନୋଟିସ୍ ଜାରି କରିବା ସହ ଚେତାବନୀ ଦେଇଛି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ବକେୟା ରାଶି ପରିଶୋଧ ନ କରାଗଲେ ୯ ସେପ୍ଟେମ୍ବରରେ ଏହି ସମ୍ପତ୍ତିର ଅନଲାଇନ୍ ନିଲାମୀ କରାଯିବ । ଏହି ଘଟଣା ଏପରି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ କିଛି ଦିନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ‘ଅତା ପତା ଲାପତା’ ଫିଲ୍ମ ସହ ଜଡ଼ିତ ଚେକ୍ ବାଉନ୍ସ ମାମଲାରେ ଦଣ୍ଡ ଶୁଣାଇଥିଲେ ।
ଏହି ଆର୍ଥିକ ସମସ୍ୟାର ମୂଳ କାରଣ ହେଉଛି ରାଜପାଲ ଯାଦବଙ୍କ ପ୍ରଯୋଜନା ଏବଂ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଅତା ପତା ଲାପତା’। ଫିଲ୍ମଟି ବକ୍ସ ଅଫିସରେ ସଫଳ ନ ହେବାରୁ ସେ ନେଇଥିବା ମୋଟା ଅଙ୍କର ଋଣ ନେଇ ପରେ ପରିଶୋଧ କରିପାରିନଥିଲେ । ବର୍ତ୍ତମାନ ସୁଦ୍ଧା ସୁଧ ସହିତ ଏହି ଋଣର ପରିମାଣ ବଢ଼ି ୧୬.୬୧ କୋଟି ଟଙ୍କାରେ ପହଞ୍ଚିଛି ।
ଋଣ ପରିଶୋଧ କରିବାରେ ବାରମ୍ବାର ବିଫଳ ହେବା ପରେ ବ୍ୟାଙ୍କ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଋଣ ପାଇଁ ସେ ତାଙ୍କ ମା’ ଓ ପତ୍ନୀଙ୍କ ନାମରେ ଥିବା ସମ୍ପତ୍ତିକୁ ବନ୍ଧକ ରଖିଥିଲେ । ବର୍ତ୍ତମାନ ସେହି ସମ୍ପତ୍ତି ନିଲାମୀ ତାଲିକାରେ ସାମିଲ ହୋଇଛି । ଶାହାଜାହାନପୁର ସହର ଓ ଗାଁରେ ଥିବା ତାଙ୍କର ପ୍ରାୟ ୩.୧୯ କୋଟି ଟଙ୍କାର ସମ୍ପତ୍ତିକୁ ବ୍ୟାଙ୍କ ଜବତ କରିଛି । ଆସନ୍ତା ୯ ସେପ୍ଟେମ୍ବର ୨୦୨୬ରେ ଏହି ସମ୍ପତ୍ତିଗୁଡ଼ିକର ଅନଲାଇନ୍ ନିଲାମ କରାଯିବ ବୋଲି ଘୋଷଣା କରାଯାଇଛି ।
ଋଣ ନେବା ସମୟରେ ସେ ତାଙ୍କ ମା’ ଗୋଦାବରୀ ଦେବୀ ଓ ପତ୍ନୀ ରାଧା ଯାଦବଙ୍କ ନାମରେ ଥିବା ଶାହଜାହାନପୁରର ସମ୍ପତ୍ତିକୁ ଗ୍ୟାରେଣ୍ଟି ଭାବେ ବନ୍ଧକ ରଖିଥିଲେ । ଏବେ ବ୍ୟାଙ୍କ ସେହି ସମ୍ପତ୍ତି ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉଛି । ଯାହା ଏବେ ତାଙ୍କ ପରିବାରରେ ଅଡୁଆକୁ ବଢାଇଦେଇଛି । କେବଳ ଉତ୍ତର ପ୍ରଦେଶ ନୁହେଁ, ବରଂ ମୁମ୍ବାଇରେ ଥିବା ତାଙ୍କର କିଛି ସମ୍ପତ୍ତି ମଧ୍ୟ ବ୍ୟାଙ୍କ ନିଜ ନିୟନ୍ତ୍ରଣକୁ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ରାଜପାଳ ଯାଦବ ଏହି ସମସ୍ୟାରୁ କିପରି ମୁକୁଳିବେ, ତାହା ଦେଖିବାକୁ ବାକି ରହିଲା ।
ନିକଟରେ ରାଜପାଳ ଯାଦବ ବଡ଼ ବଡ଼ ବ୍ୟାନରର ଫିଲ୍ମରେ କାମ କରୁଥିବା ଦେଖିବାକୁ ମିଳୁଛି। ଅକ୍ଷୟ କୁମାରଙ୍କ ‘ୱେଲକମ୍ ଟୁ ଦି ଜଙ୍ଗଲ’ ଭଳି ବଡ଼ ଫିଲ୍ମରେ ସେ ଅଭିନୟ କରୁଛନ୍ତି। କିନ୍ତୁ ଏହି ବାହ୍ୟ ଚମକଧମକ ପଛରେ ଥିବା ଋଣର ଭୟଙ୍କର ବୋଝ ଏବେ ସମସ୍ତଙ୍କୁ ଚକିତ କରିଛି। ବଲିଉଡର ଏହି ପ୍ରତିଭାବାନ ଅଭିନେତା ଏବେ ନିଜ ଜୀବନର ସବୁଠାରୁ ବଡ଼ ‘କ୍ଲାଇମାକ୍ସ’ର ସମ୍ମୁଖୀନ ହୋଇଛନ୍ତି ।
Also Read: Huma Qureshi: ୪୦ ବର୍ଷରେ ବଧୂ ସଜିବେ ହୁମା କୁରେଶୀ ! ବିବାହକୁ ନେଇ ଏମିତି କହିଲେ..