ଭଉଣୀ ବାହାଘର ପାଇଁ ଘର ବିକି ଦେଇଥିଲେ ରାଜୁ ଶ୍ରୀବାସ୍ତବ! ପରେ ୧୦ ଗୁଣା ଅଧିକ ପଇସା ଦେଇ ପୁଣି କିଣିଥିଲେ

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଦେହାନ୍ତ ହୋଇଛି। ରାଜୁ ୪୨ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ଥିଲେ। ଅଗଷ୍ଟ ୧୦ରେ ସେ ଦିଲ୍ଲୀର ଏକ ହୋଟେଲରେ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ତଳେ ପଡ଼ି ଯାଇଥିଲେ। ସେଠାରେ ହିଁ ତାଙ୍କୁ ହୃଦଘାତ ଆସିଥିଲା। ରାଜୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଲଗାତାର ଭେଣ୍ଟିଲେଟରରେ ରହିଥିଲେ।

ରାଜୁ ଶ୍ରୀବାସ୍ତବ ଜଣେ ବଡ଼ କମେଡିଆନ ଥିଲେ। ହେଲେ କ୍ୟାରିୟର ଆରମ୍ଭରେ ତାଙ୍କୁ ବହୁତ ଖରାପ ସମୟ ଦେଇ ଗତି କରିବାକୁ ପଡ଼ିଥିଲା। ଏମିତି ବି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କୁ ନିଜ ଭଉଣୀ ବାହାଘର ପାଇଁ ଘର ବିକ୍ରି କରିବାକୁ ପଡ଼ିଥିଲା। ରାଜୁ କାନପୁରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଥିଲା ସତ୍ୟ ପ୍ରକାଶ ଶ୍ରୀବାସ୍ତବ, କିନ୍ତୁ ସେ ଆଗକୁ ରାଜୁ ଶ୍ରୀବାସ୍ତବ ନାମରେ ହିଁ ଲୋକପ୍ରିୟ ହୋଇଥିଲେ।

ରାଜୁ ଶ୍ରୀବାସ୍ତବଙ୍କର ଜଣେ ପଡ଼ୋଶୀ କହିଛନ୍ତି ଯେ ରାଜୁ ବହୁତ ସଂଘର୍ଷ କରିଥିଲେ। ୧୯୯୦ ମସିହାରେ ତାଙ୍କ ଭଉଣୀର ବାହାଘର ଥିଲା। ସେହି ସମୟରେ ତାଙ୍କ ବାପାଙ୍କୁ ଅର୍ଥର ବହୁତ ଆବଶ୍ୟକତା ରହିଥିଲା। ତେଣୁ ସେ ୩ ଲକ୍ଷ ଟଙ୍କାରେ ନିଜ ଘର ବିକ୍ରି କରି ଦେଇଥିଲେ ଏବଂ ଭଉଣୀର ବାହାଘର କରାଇଥିଲେ। ଏହାପରେ ପୂରା ପରିବାର କିଛି ଦିନ ବାରାଦେବୀ ତ କିଛି ଦିନ ଯଶୋଦା ନଗରରେ ଘର ଭଡ଼ା ନେଇ ରହିଥିଲେ।

ଏହାର ଅନେକ ଦିନ ପରେ ଯେତେବେଳେ କମେଡିଆନଙ୍କୁ ମୁମ୍ବାଇରେ ପରିଚୟ ମିଳିଥିଲା, ତ ସେ ନିଜ ଘରକୁ ପୁଣିଥରେ କିଣିବାକୁ ପ୍ରସ୍ତାବ ଦେଇଥିଲେ। ଘର ମାଲିକଙ୍କୁ ମନାଇବା ପାଇଁ ତାଙ୍କୁ ବହୁତ ସମୟ ଲାଗିଥିଲା। ଏହାପରେ ୨୦୦୦ ମସିହାରେ ରାଜୁ ନିଜ ଘରକୁ ୨୪ ଲକ୍ଷ ଟଙ୍କାରେ କିଣିଥିଲେ। ରାଜୁଙ୍କ ସାନଭାଇଙ୍କ ପତ୍ନୀ ଏକ ସାକ୍ଷାତକାରରେ କହିଥିଲେ କି, ଭାଇଙ୍କର ପୈତୃକ ଘର ପ୍ରତି ବହୁତ ଭଲ ପାଇବା ଥିଲା। ତେବେ ଏକ ରିପୋର୍ଟ ମୁତାବକ, ହାସ୍ୟ କଳାକାର ହେବା ପାଇଁ ରାଜୁ ମୁମ୍ବାଇ ଚାଲି ଆସିଥିଲେ। ଏଠି ରହି ସେ ଅନେକ ଷ୍ଟ୍ରଗଲ୍‌ କରିଥିଲେ। ଘରୁ ଆସୁଥିବା ଟଙ୍କା ମୁମ୍ବାଇ ଭଳି ସହରରେ ତାଙ୍କ ପାଇଁ କମ୍‌ ପଡ଼ି ଯାଉଥିଲା। ଏଭଳି ସ୍ଥିତିରେ ନିଜର ଖର୍ଚ୍ଚ ଉଠାଇବା ପାଇଁ ରାଜୁ ଅଟୋ ଚଲାଇବା ଆରମ୍ଭ କରିଥିଲେ। ଯେବେ ତାଙ୍କୁ ଶୋ’ ମିଳିବା ଆରମ୍ଭ ହୋଇଥିଲା, ସେତେବେଳେ ସେ ମାତ୍ର ୫୦ ଟଙ୍କା ପାଉଣା ପାଉଥିଲେ।

୧୯୯୩ ମସିହାରୁ କ୍ୟାରିୟର ଆରମ୍ଭ କରିଥିବା ରାଜୁ ଭାରତ ଏବଂ ଭାରତ ବାହାରେ ଅନେକ ଷ୍ଟେଜ୍‌ ଶୋ’ କରି ଲୋକପ୍ରିୟତା ହାସଲ କରିଥିଲେ। ସେ ନିଜର ଅଡିଓ କ୍ୟାସେଟ୍‌ ଏବଂ ଭିଡିଓ ସିଡିର ଏକ ସିରିଜ୍‌ ମଧ୍ୟ ଲଞ୍ଚ୍‌ କରିଥିଲେ। ପ୍ରାରମ୍ଭରୁ ତାଙ୍କୁ ଅମିତାଭ ବଚ୍ଚନଙ୍କ ଲୁକ୍‌-ଅଲାଇକ୍‌ ରୂପେ ପରିଚୟ ମିଳିଥିଲା। ହେଲେ ସେ ପ୍ରକୃତ ସଫଳତା ପାଇଥିଲେ ‘ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ’ରୁ। ଏହି ଶୋ’ରେ ତାଙ୍କ ପ୍ରଦର୍ଶନ ଏତେ ଉଚ୍ଚ କୋଟିର ଥିଲା ଯେ ସମସ୍ତଙ୍କ ହୃଦୟରେ ରାଜ୍‌ କରିଥିଲେ ରାଜୁ ଶ୍ରୀବାସ୍ତବ।

Leave A Reply

Your email address will not be published.