ରାଜୁ ଶ୍ରୀବାସ୍ତବଙ୍କ ଗଳାରେ କଣା କରି ଲଗାଯାଇଛି ଅକ୍ସିଜେନ୍‌ ପାଇପ୍‌, ନଳୀ ବାଟେ ଦିଆଯାଉଛି କ୍ଷୀର ଓ ଜୁସ୍‌…ଜାଣନ୍ତୁ ସ୍ୱାସ୍ଥ୍ୟାବସ୍ଥା

କମେଡିଆନ୍‌ ରାଜୁ ଶ୍ରୀବାସ୍ତବ ବର୍ତ୍ତମାନ ଏମ୍ସରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଏବେ ମଧ୍ୟ ସେ କୋମାରେ ରହିଛନ୍ତି। ରାଜୁଙ୍କ ପରିବାରର ଜଣେ ଘନିଷ୍ଠ ମିତ୍ର କହିଛନ୍ତି, ବର୍ତ୍ତମାନ ତାଙ୍କ ଭେଣ୍ଟିଲେଟର ସପୋର୍ଟକୁ କମ୍‌ କରି ଦିଆଯାଇଛି। ମୁହଁ ବଦଳରେ ଗଳାରେ କଣା କରାଯାଇ ନଳୀ ସାହାଯ୍ୟରେ ଅକ୍ସିଜେନ୍‌ ଦିଆଯାଉଛି।

ଏମ୍ସର ନ୍ୟୁରୋଲୋଜି ଡାକ୍ତର ପଦ୍ମା ଶ୍ରୀବାସ୍ତବଙ୍କ ଦେଖାଶୁଣାରେ ତାଙ୍କର ଚିକିତ୍ସା ଚାଲିଛି। ଡାକ୍ତରଙ୍କ ମୁତାବକ, ରାଜୁଙ୍କ ସ୍ୱାସ୍ଥ୍ୟର ଉନ୍ନତି ଧିମା ରହିଛି। କିନ୍ତୁ ତାଙ୍କ ବଡିର ସମସ୍ତ ଅର୍ଗାନ୍‌ ଭଲ କାମ କରୁଛି। ପରିବାରିକ ବନ୍ଧୁ ସୁନିଲ କନୌଜିଆ କହିଛନ୍ତି, ରାଜୁଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି। ତାଙ୍କ ଭେଣ୍ଟିଲେଟର ଦିନେ କିମ୍ବା ଦୁଇ ଦିନ ଭିତରେ କିଛି ଘଣ୍ଟା ପାଇଁ ହଟା ଯାଇପାରେ। ପୂର୍ବରୁ ମଧ୍ୟ ଥରେ ୧ ଘଣ୍ଟା ପାଇଁ ଭେଣ୍ଟିଲେଟର କଢ଼ା ଯାଇଥିଲା।

ସୁନିଲ କହିଥିଲେ କି, ବ୍ରେନ୍‌ରେ ସଂକ୍ରମଣ ବ୍ୟାପିବା ପରେ ପୁଣିଥରେ ଭେଣ୍ଟିଲେଟର ଲଗାଇ ଦିଆଯାଇଥିଲା। ଏବେ ସଂକ୍ରମଣ ବନ୍ଦ ହୋଇ ଯାଇଛି। ତାଙ୍କର ଝାଡ଼ା, ପରିସ୍ରା ନର୍ମାଲ ଭାବେ ହେଉଛି। ନଳୀ ସାହାଯ୍ୟରେ କ୍ଷୀର ଏବଂ ଜୁସ୍‌ ଦିଆଯାଉଛି।

ଏବେ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ପୂରା ବଲିଉଡ୍‌ ଚିନ୍ତିତ ଅଛି। ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ମନୋଜ ମୁନ୍ତଶିର, ଶେଖର ସୁମନ, କପିଲ ଶର୍ମା, ଜୟାପ୍ରଦା, ସୋନୁ ନିଗମ, କୈଲାସ ଖୈର, ରବି କିଶନ, ସୁନିଲ ପାଲ, ରାଜପାଲ ଯାଦବ, କ୍ରିକେଟର ହରଭଜନ ସିଂଙ୍କ ସମେତ ଅନେକ ବଡ଼ ବଡ଼ ଷ୍ଟାର୍‌ ରାଜୁଙ୍କ ପାଇଁ ଲଗାତାର ପ୍ରାର୍ଥନା କରୁଛନ୍ତି। ସମସ୍ତେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସେପଟେ ରାଜୁ ଜଲ୍‌ଦି ଠିକ୍‌ ହୋଇଯିବେ ବୋଲି ତାଙ୍କ ପରିବାର ଲୋକେ ଆଶା ରଖିଛନ୍ତି। ଏଥିପାଇଁ ଦିଲ୍ଲୀରେ ରାଜୁଙ୍କ ବଡ଼ ଭାଇ ଡା. ସିପି ଶ୍ରୀବାସ୍ତବ, ତାଙ୍କ ପତ୍ନୀ ଏବଂ ପରିବାର ଲୋକେ ଏକ ବିଶେଷ ପୂଜାର ଆୟୋଜନ କରିଛନ୍ତି। ଏହି ପୂଜା ୩ ଦିନ ଧରି ଚାଲିବ। ରାଜୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ୫୧ଟି ନିମ୍ବ ଚାରା ରୋପଣ କରାଯାଇଛି।

କହି ରଖୁଛୁ, ରାଜୁ ଶ୍ରୀବାସ୍ତବ ହୃଦଘାତର ଶିକାର ହେବା ପରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ହୋଟେଲ ଜିମ୍‌ରେ ଓ୍ୱାର୍କଆଉଟ କରୁଥିବା ବେଳେ ଅଚାନକ୍‌ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଲାଇଫ୍‌ ସାପୋର୍ଟରେ ଅଛନ୍ତି। ଫ୍ୟାନମାନେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.