ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କୁ ୩ ମାସ ଜେଲ୍, ୭ ବର୍ଷ ପୁରୁଣା ଚେକ୍ ବାଉନସିଙ୍ଗ୍ ମାମଲା

ବଲିଉଡ୍ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କୁ ୩ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ । ଚେକ୍ ବାଉନସିଙ୍ଗ୍ ମାମଲାରେ ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟ ମଙ୍ଗଳବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଗତ ୭ ବର୍ଷ ହେବ ଏହି ମାମଲାର ଶୁଣାଣି ଚାଲିଥିଲା । ଯଦିଓ ନିଷ୍ପତ୍ତି ଶୁଣାଣି ବେଳେ ରାମଗୋପାଳ ବର୍ମା କୋର୍ଟରେ ହାଜର ହୋଇ ନ ଥିଲେ ।

ମାଜିଷ୍ଟ୍ରେଟ୍ ଆଦେଶ ଦେଇଛନ୍ତି ଯେ ନିଷ୍ପତ୍ତି ଶୁଣାଣି ଦିନ ଅଭିଯୁକ୍ତ ଅନୁପସ୍ଥିତ ଥିବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । ସମ୍ପୃକ୍ତ ଥାନା ମାଧ୍ୟମରେ ବର୍ମାଙ୍କୁ ଗିରଫ କରାଯାଉ । ତାଙ୍କୁ ତାଙ୍କ ଅପରାଧ ପାଇଁ ଦଣ୍ଡାଦେଶ ହୋଇଛି, ଯାହା ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟର ଧାରା ୧୩୮ ଅଧୀନରେ ଆସୁଛି ।

୩ ମାସ ଭିତରେ ଅଭିଯୋଗକାରୀଙ୍କୁ ୩୭୨,୨୧୯ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ରାମଗୋପାଳ ବର୍ମାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ରାଶି ନ ଦେଲେ ତାଙ୍କୁ ୩ ମାସ ସାଧାରଣ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ।

୨୦୧୮ରେ ଶ୍ରୀ ନାମକ କମ୍ପାନୀ ମହେଶଚନ୍ଦ୍ର ମିଶ୍ରାଙ୍କ ଜରିଆରେ ରାମଗୋପାଳ ବର୍ମାଙ୍କ ବିରୋଧରେ ମାମଲା ପଞ୍ଜିକୃତ କରାଇଥିଲା । ମାମଲାଟି ବର୍ମାଙ୍କ ଫାର୍ମ କମ୍ପାନୀ ସହ ଜଡ଼ିତ । ଏହି ମାମଲାରେ ୨୦୨୨ ଜୁନରେ କୋର୍ଟଙ୍କ ତରଫରୁ ରାମଗୋପାଳ ବର୍ମାଙ୍କୁ ପିଆର୍ ଏବଂ ୫,୦୦୦ ଟଙ୍କା ନଗଦ ସୁରକ୍ଷାରେ ଜାମିନ ପ୍ରଦାନ କରାଯାଇଥିଲା ।

କହି ରଖୁଛୁ ଯେ କୋଭିଡ୍-୧୯ ସମୟରେ ରାମଗୋପାଳ ବର୍ମା ଆର୍ଥିକ ସଙ୍କଟରେ ପଡ଼ି ଯାଇଥିଲେ, ଯେଉଁଥିପାଇଁ ତାଙ୍କୁ ନିଜ ଅଫିସ ମଧ୍ୟ ବିକ୍ରି କରିବାକୁ ପଡ଼ିଥିଲା । ସେ ଅନେକ ସଫଳ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ହେଲେ ଗତ କିଛି ବର୍ଷ ହେବ ତାଙ୍କ ଚଳଚ୍ଚିତ୍ର ପରଦାରେ ଭଲ ଚାଲିପାରୁ ନାହିଁ । ନିକଟରେ ସେ ନିଜର ନୂଆ ଫିଲ୍ମ ‘ସିଣ୍ଡିକେଟ୍’ ଘୋଷଣା କରିଛନ୍ତି ।

You might also like