ରାମାୟଣ ଟେଲିକାଷ୍ଟକୁ ୩୪ ବର୍ଷ ପୂରଣ ଅବସରରେ ଲକ୍ଷ୍ମଣଙ୍କୁ ମିଳିଲା ଖାସ୍‌ ଉପହାର, ଫଟୋ ସେୟାର କରି ଜଣାଇଲେ ଧନ୍ୟବାଦ

ଦୂରଦର୍ଶନର ଐତିହାସିକ ଧାରାବାହିକ ରାମାୟଣକୁ ଆଜି ୩୪ ବର୍ଷ ପୂରଣ ହୋଇଛି। ଏ ଅବସରରେ ସିରିୟଲର ପ୍ରଯୋଜକ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କୁ ଏକ ଖାସ୍‌ ଉପହାର ଦେଇଛନ୍ତି। ସୁନୀଲ ଲହରୀ ନିଜ ଟ୍ଵିଟର ଆକାଉଣ୍ଟରେ ଏନେଇ ସୂଚନା ଦେବା ଅବସରରେ ଏକ ଫଟୋ ସେୟାର କରିଛନ୍ତି।

ରାମାୟଣକୁ ୩୪ ବର୍ଷ ପୂରଣ ହେବା ଅବସରରେ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର ଓ ନାତି ଶିବ ସାଗର ସୁନୀଲ ଲହରୀଙ୍କୁ ଭେଟି ତାଙ୍କୁ ଏକ ସୁନାର ହନୁମାନ ଲକେଟ୍‌ ଗିଫ୍ଟ ଦେଇଛନ୍ତି। ଏହି ସମୟର ଫଟୋ ସୁନୀଲ ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି- ରାମାୟଣ ଟେଲିକାଷ୍ଟକୁ ୩୪ ବର୍ଷ ପୂରଣ ହୋଇଥିବାରୁ ପ୍ରେମ ସାଗର ଜୀ ଓ ତାଙ୍କ ପୁଅ ଶିବ ଶୁଭେଚ୍ଛା ଓ ଅଭିନନ୍ଦନ ସହ ଆଶୀର୍ବାଦ ସ୍ୱରୂପ ମୋତେ ସୁନାର ହନୁମାନ ଲକେଟ୍‌ ପ୍ରଦାନ କରିଛନ୍ତି। ମୁଁ ସେମାନଙ୍କୁ ଓ ଯେଉଁମାନେ ମୋତେ ଏତେ ଭଲ ପାଇବା ଦେଇଛନ୍ତି, ତାଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।


ସୂଚନାଯୋଗ୍ୟ ଯେ ଲକ୍‌ଡାଉନ୍‌ ବେଳେ ଦୂରଦର୍ଶନରେ ରାମାୟଣର ପୁନଃ ପ୍ରସାରଣ ହୋଇଥିଲା। ଏହି ସମୟରେ ସିରିୟଲର ଲୋକପ୍ରିୟତା ସବୁ ରେକର୍ଡ ଭାଙ୍ଗି ଦେଇଥିଲା। ଲୋକମାନେ ପୂର୍ବରୁ ଯେଭଳି ଭଲ ପାଇବା ଦେଉଥିଲେ ଏତେ ବର୍ଷ ପରେ ବି ରାମାୟଣକୁ ସେତିକି ଭଲ ପାଇବା ଦେଇଥିଲେ। ଦର୍ଶକଙ୍କ ଭଲ ପାଇବା ଦେଖି ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ଲକ୍ଷ୍ମଣ ହୋଇଥିବା ସୁନୀଲ ଲହରୀ ଓ ସୀତା ହୋଇଥିବା ଦୀପିକା ଚିଖଲିଆ ଖୁସିବ୍ୟକ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.