ରାସ୍ତାର ଭୁଲ୍ ପାର୍ଶ୍ୱରେ ଚଲାଉଥିଲେ ଗାଡ଼ି, ପୋଲିସ କାଟିଦେଲା ଚାଲାଣ…ଏବେ ବାଦଶାହ ଗଣିବେ ୧୫ ହଜାର ଟଙ୍କା
ଜଣାଶୁଣା ସିଙ୍ଗର ତଥା ରାପର୍ ବାଦଶାହଙ୍କର କଟିଲା ଚାଲାଣ । ତାଙ୍କ କାରକେଡରେ ଯାଉଥିବା ଗାଡ଼ିଗୁଡ଼ିକର ଗୁରୁଗ୍ରାମ ପୋଲିସ ଚାଲାଣ କାଟିଦେଇଛି । ନିକଟରେ ବାଦଶାହ ଏକ ଇଭେଣ୍ଟ ପାଇଁ ହରିୟାଣାର ଗୁରୁଗ୍ରାମ ଯାଇଥିଲେ । ହେଲେ ଏଠାରେ ତାଙ୍କ କାରକେଡରେ ଥିବା ଗାଡ଼ିଗୁଡ଼ିକର ପୋଲିସ ଚାଲାଣ କାଟିଛି । ଏପରି କି, ରାପର୍ ନିଜେ ଯେଉଁ ଗାଡ଼ିରେ ବସି ଆସିଥିଲେ, ତାହାର ମଧ୍ୟ ଚାଲାଣ କଟିଛି ।
ସୂଚନା ମୁତାବକ, ଏହି ଗାଡ଼ିଗୁଡ଼ିକ ରାସ୍ତାର ଭୁଲ୍ ପାର୍ଶ୍ୱରେ ଯାଉଥିଲା । ନିକଟରେ ବାଦଶାହ ପପୁଲାର୍ ସିଙ୍ଗର କରଣ ଔଜଲାଙ୍କ କନସର୍ଟରେ ଯୋଗଦେବା ପାଇଁ ଗୁରୁଗ୍ରାମ ଯାଇଥିଲେ । ସେ ନିଜେ ଏକ କଳା ରଙ୍ଗର ଥରରେ ବସିଥିଲେ ଏବଂ ଅନ୍ୟ ଗାଡ଼ିଗୁଡ଼ିକ ତାଙ୍କ କାରକେଡରେ ସାମିଲ ଥିଲା । ତେବେ ବାଦଶାହ ଯେଉଁଥିରେ ବସିଥିଲେ, ଗୁରୁଗ୍ରାମ ଟ୍ରାଫିକ୍ ପୋଲିସ ତାହାର ୧୫ ହଜାର ୫୦୦ ଟଙ୍କା ଚାଲାଣ କାଟିଦେଇଛି । କାରକେଡରେ ଥିବା ଅନ୍ୟ ଗାଡ଼ିଗୁଡ଼ିକର ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଥିବା ପୋଲିସ କହିଛି ।
ଏହି ମାମଲାରେ ଟ୍ରାଫିକ୍ ଡିସିପି ବୀରେନ୍ଦ୍ର ୱିଜ୍ କହିଛନ୍ତି, ବାଦଶାହଙ୍କ ଗାଡ଼ି ରଙ୍ଗ୍ ସାଇଡରେ ଯାଉଥିବାରୁ ଆମେ ଏହାର ଚାଲାଣ କାଟିଛୁ । ଏହା ବାଦଶାହଙ୍କ ନାମରେ ନାହିଁ, କିନ୍ତୁ ସେ ନିଜେ ଏଥିରେ ବସିଥିଲେ ।
ସେପଟେ ଚାଲାଣର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କେବଳ ଭୁଲ୍ ପାର୍ଶ୍ୱରେ ଗାଡ଼ି ଚାଳନା କଥା ଉଲ୍ଲେଖ ନାହିଁ, ବରଂ ବାୟୁ ପ୍ରଦୂଷଣର ମାନକ ଉଲ୍ଲଂଘନ କରିବା ଏବଂ ଭୟଙ୍କର ଢଙ୍ଗରେ ଗାଡ଼ି ଚଲାଇବା କଥା ମଧ୍ୟ ଉଲ୍ଲେଖ କରାଯାଇଛି ।
କହି ରଖୁଛୁ, ଡିସେମ୍ବର ୧୫ରେ ‘ତୌବା ତୌବା’ ସିଙ୍ଗର କରଣ ଔଜଲା ଗୁରୁଗ୍ରାମରେ ଏକ କନସର୍ଟ କରିଥିଲେ । କରଣ ଅଚାନକ୍ କନସର୍ଟ ମଝିରେ ବାଦଶାହଙ୍କୁ ଷ୍ଟେଜ୍ ଉପରକୁ ଡାକି ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ବାଦଶାହ ଷ୍ଟେଜ୍ ଉପରକୁ ଆସିବା ମାତ୍ରେ କରଣ ବହୁ ଉତ୍ସାହର ସହିତ ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ଉଭୟଙ୍କୁ ଏକାସାଙ୍ଗରେ ଦେଖି ଫ୍ୟାନମାନେ ବହୁତ ଖୁସି ହୋଇଥିଲେ ।