ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ ମାରପିଟ୍ କରିବା ଏବଂ ଗାଳିଗୁଲଜ କରିବା ଅଭିଯୋଗ ଲାଗିଛି । ପୀଡିତା ଜଣକ ଅଭିଯୋଗ କରିଛନ୍ତି କି, ରବିନା ଗତରାତିରେ ମଦ ନିଶାରେ ମାରପିଟ୍ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକ ତାଙ୍କୁ ଘେରିଯାଇଥିଲେ । ଯାହାର ଭିଡିଓ ଭାଇରଲ ହେଉଛି ।
ଘଟଣାଟି ଗତ ଶନିବାର ରାତିରେ ଘଟିଛି । ପ୍ରାଥମିକ ରିପୋର୍ଟରୁ ଜଣାପଡିଛି କି, ରବିନାଙ୍କ ଡ୍ରାଇଭର ଦାୟିତ୍ୱହୀନତାରେ ଗାଡି ଚଲାଇବା ସହିତ ରିଜଭୀ କଲେଜ ନିକଟ କାର୍ଟର ରୋଡରେ ୩ ଜଣ ବ୍ୟକ୍ତିଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏହ ଘଟଣାର ସିସିଟିଭି ଫୁଟେଜ ଭାଇରଲ ହେବାରେ ଲାଗିଛି ।
ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି କି, ରବିନା କିଛି ଲୋକଙ୍କ ସହିତ ଯୁକ୍ତିତର୍କ କରିବା ସହିତ ଧକ୍କା ମାରିଛନ୍ତି । ରବିନାଙ୍କ ଡ୍ରାଇଭର ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ ମାରପିଟ୍ କରିଛନ୍ତି । ରବିନାଙ୍କ ପାଟି ମଧ୍ୟ ଶୁଣିବାକୁ ମିଳିଛି ଭିଡିଓରେ । ଏହି ସମୟରେ ଅନ୍ୟ ମହିଳା ନଜର ଆସିଛନ୍ତି, ତାଙ୍କ ନାକ ଫାଟିଛି । ଆଉ କିଛି ଲୋକ ରବିନାଙ୍କ ଡ୍ରାଇଭରକୁ ମାରିବା ପାଇଁ କହୁଛନ୍ତି ।
ମହିଳାଙ୍କ ପୁଅ ମହମ୍ମଦ ଭିଡିଓରେ ଅଭିଯୋଗ କରିଛନ୍ତି ଯେ, ଗତକାଲି ରାତିରେ ରବିନା ଟଣ୍ଡନ ମଦ୍ୟପାନ କରି ତାଙ୍କ ମାଆ ଏବଂ ଭାଣିଜିଙ୍କୁ ଆକ୍ରମଣ କରିଥିଲେ । ପ୍ରଥମେ ରବିନାଙ୍କ କାର୍ ତାଙ୍କ ମାଆଙ୍କୁ ଧକ୍କା ଦେଇଥିଲା । ସେ ଏହାର ପ୍ରତିବାଦ କରିବାରୁ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ଗାଳି-ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏଥିରେ ରବିନ ଟଣ୍ଡନ ସାମିଲ ଥିବାବେଳେ ତାଙ୍କ ମାଆ ଓ ଭାଣିଜିଙ୍କ ମୁଣ୍ଡ ଫାଟି ଯାଇଥିବା ସେ ଅଭିଯୋଗ କରିଛନ୍ତି ।
ମହମ୍ମଦ ଆହୁରି ଅଭିଯୋଗ କରିଛନ୍ତି ଯେ, ରବିନାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସତ୍ତ୍ୱେ ପୋଲିସ ସେମାନଙ୍କ କଥା ଶୁଣୁନାହିଁ । ସେମାନେ ୪ ଘଣ୍ଟା ହେବ ପୋଲିସ ଷ୍ଟେସନରେ ରହିଛନ୍ତି ।
ତେବେ ପୋଲିସ କହିବା ମୁତାବକ, ରବିନାଙ୍କ ଗାଡି ଘରୁ ବାହାରିଥିବା ସମୟରେ ରାସ୍ତାରେ ଗୋଟିଏ ପରିବାରର ୩ ଜଣ ଲୋକ ଚାଲୁଥିବା ବେଳେ ଗାଡିଟି ତାଙ୍କ ନିକଟକୁ ଚାଲିଯାଇଥିଲା । ଏହି କଥାରେ ନାରାଜ ହୋଇ ପରିବାର ଲୋକେ ହଙ୍ଗାମା କରିଥିଲେ । ଯାହାପରେ ଭିଡିଓ କରି ଭାଇରଲ କରାଯାଇଥିଲା ।
ଏହାପରେ ରବିନା ଏହାକୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ମଧ୍ୟ ଧକ୍କା ମରାଯାଇଥିଲା । ଯାହାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ତେବେ ପୋଲିସ ଏହି ଘଟଣାର ଅଧିକ ଯାଞ୍ଚ କରୁଛି ।