ରବୀନା ଟଣ୍ଡନ୍‌ଙ୍କ ବାପା ତଥା ଜଣାଶୁଣା ନିର୍ଦ୍ଦେଶକ ରବି ଟଣ୍ଡନ୍‌ଙ୍କ ପରଲୋକ, ଶ୍ରଦ୍ଧାଞ୍ଜଳି ଜଣାଇ ଫଟୋ ସେୟାର କଲେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ଙ୍କ ପିତୃ ବିୟୋଗ। ରବୀନାଙ୍କ ବାପା ତଥା ଜଣାଶୁଣା ନିର୍ଦ୍ଦେଶକ ରବି ଟଣ୍ଡନ୍‌ଙ୍କର ଆଜି ପରଲୋକ ହୋଇଛି। ଫଳରେ ସମଗ୍ର ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଛି।

ଶୁକ୍ରବାର ଅର୍ଥାତ୍‌ ଆଜି ଅପରାହ୍ନ ୩.୩୦ରେ ୮୬ ବର୍ଷୀୟ ରବି ଟଣ୍ଡନ ମୁମ୍ବାଇ ସ୍ଥିତ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁସାରେ, ୮୬ ବର୍ଷରେ ଉପନୀତ ହୋଇଥିଲେ ବି ରବି ଟଣ୍ଡନ୍‌ ଚଲାବୁଲା କରିପାରୁଥିଲେ। କିନ୍ତୁ ଗତ କିଛି ଦିନ ହେବ ସେ ଫୁସ୍‌ଫୁସ୍‌ ଜନିତ ସମସ୍ୟା ଦେଇ ଗତି କରୁଥିଲେ। ଫଳରେ ତାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଥିଲା। ସେ ଲଙ୍ଗ୍‌ସ ଫ୍ରାଇବ୍ରୋସିସ୍‌ ନାମକ ଫୁସ୍‌ଫୁସ୍‌ ଜନିତ ସମସ୍ୟା ଦେଇ ଗତି କରୁଥିଲେ। ଏଣୁ ସେ ଠିକ୍‌ରେ ଶ୍ୱାସକ୍ରିୟା କରିପାରୁନଥିଲେ। ଏହି ରୋଗରେ ପୀଡ଼ିତ ହୋଇ ଆଜି ଅପରାହ୍ନରେ ତାଙ୍କ ମୃତ୍ୟୁ ଘଟିଛି।

ବାପାଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଏକା ହୋଇଯାଇଛନ୍ତି ରବୀନା। ବାପାଙ୍କୁ ମିସ୍‌ କରି ସେ ନିଜ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ରବୀନା ସେୟାର କରିଥିବା ଫଟୋଟି ତାଙ୍କ ପିଲା ବେଳର। ଫଟୋରେ ସେ ବାପାଙ୍କ କୋଳରେ ହସୁଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ ରବୀନାଙ୍କ ସହ ତାଙ୍କ ବାପାଙ୍କ ବଣ୍ଡିଂ ସ୍ପଷ୍ଟ ନଜର ଆସୁଛି। ଏହି ଫଟୋ ସେୟାର କରି ରବୀନା କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ଆପଣ ସବୁବେଳେ ମୋ ସହ ଚାଲିବେ। ମୁଁ ସବୁବେଳେ ଆପଣଙ୍କ ଭଳି ହେବାକୁ ଚାହିଁବି। ମୁଁ କେବେ ବି ଆପଣଙ୍କୁ ଯିବାକୁ ଦେବିନି। ଲଭ୍‌ ୟୁ ପାପା।

ବୋଧେ ହୁଏ କମ୍‌ ଲୋକ ଜାଣିଥିବେ ଯେ ରବୀନାଙ୍କ ନାମକରଣ ତାଙ୍କ ବାପା ଓ ମା’ଙ୍କ ନାଁକୁ ମିଶାଇ କରାଯାଇଛି। ରବୀନାଙ୍କ ବାପା ରବି ଓ ମା’ ବୀନାଙ୍କ ନାଁକୁ ମିଶାଇ ଝିଅ ନାଁ ରବୀନା ରଖାଯାଇଛି।

ରିପୋର୍ଟ ମୁତାବକ, ଆଜି ଅପରାହ୍ନ ୪.୩୦ରେ ସାଣ୍ଟା କ୍ରୁଜ ସ୍ଥିତ ଶ୍ମଶାନ ଘାଟରେ ରବି ଟଣ୍ଡନ୍‌ଙ୍କ ପାର୍ଥିବ ଶରୀରକୁ ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ଅନ୍ତିମ ସଂସ୍କାର କରାଯିବ। ରବି ଟଣ୍ଡନ୍‌ ବଲିଉଡ୍‌ର ଜଣେ ଜଣାଶୁଣା ନିର୍ଦ୍ଦେଶକ ଥିଲେ। ସେ ଖେଲ୍ ଖେଲ୍ ମେ, ମଜବୁର, ଅନ୍‌ହୋନୀ, ଖୁଦାର, ଜିନ୍ଦଗୀ, ନଜରାନା, ଏକ ମେ ଔର ଏକ ତୁ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି। କେବଳ ସେତିକି ନୁହେଁ, ସେ ୧୯୬୦ ମସିହାରେ ନିର୍ମିତ ଫିଲ୍ମ ଲଭ୍‌ ଇନ୍‌ ସିମ୍‌ଲାରେ ଅଭିନୟ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.