ଅନୁରାଗ କଶ୍ୟପ ମାମଲାରେ ମୁହଁ ଖୋଲିଲେ ରୁପା ଗାଙ୍ଗୁଲି, କହିଲେ-‘ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀ ଆଉ କେତେ ଲୋକଙ୍କୁ ହତ୍ୟା କରିବ, ଡ୍ରଗ୍‌ ଆଡିକ୍ଟେଡ୍‌ ବନାଇବ?’

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଏବେ ଉଠିଛି ଝଡ଼। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜମ୍‌, ପରିବାରବାଦ, ନିଜ ଲୋକଙ୍କୁ ସୁଯୋଗରୁ ଆରମ୍ଭ ହୋଇଥିବା ଏହି ଗଣ୍ଡଗୋଳ ଏବେ ଡ୍ରଗ୍ସ ଓ ମି’ଠୁ ଅଭିଯାନ ଯାଏଁ ପହଞ୍ଚିଲାଣି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଗିରଫ ହେବା ପରେ ଏବେ ଜଣ ଜଣ କରି ଅନ୍ୟ ଷ୍ଟାରଙ୍କ ନାଁ ସାମ୍ନାକୁ ଆସିଛି। ଏହି ମାମଲାରେ ଏବେ ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ନିଜ ମତ ଦେଉଛନ୍ତି।

ଇତିମଧ୍ୟରେ ଏବେ ବିଜେପିର ରାଜ୍ୟସଭା ସଦସ୍ୟ ଓ ପୂର୍ବ ଅଭିନେତ୍ରୀ ରୁପା ଗାଙ୍ଗୁଲି ମଧ୍ୟ ବୟାନ ଦେଇଛନ୍ତି। ସେ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀକୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି। ରୁପା କହିଛନ୍ତି ‘ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀ ଲୋକଙ୍କୁ ହତ୍ୟା କରୁଛି ଓ ଡ୍ରଗ୍ସ ଆଡିକ୍ଟ ବନାଉଛି। ମହିଳାଙ୍କୁ ଅପମାନ କରୁଛି। କିନ୍ତୁ କେହି କିଛି କରୁନାହାନ୍ତି। ମୁମ୍ବାଇ ପୋଲିସ ଚୁପ୍‌ ଅଛି’।

ରୁପା ପ୍ରଶ୍ନ କରିଛନ୍ତି ‘ଅନୁରାଗ କଶ୍ୟପଙ୍କ ବିରୋଧରେ ପାୟଲ ଘୋଷଙ୍କ ଯୌନ ଉତ୍ପୀଡ଼ନ ଘଟଣାରେ ଇଣ୍ଡଷ୍ଟ୍ରୀ ଚୁପ୍‌ କାହିଁକି? ମୁମ୍ବାଇ ପୋଲିସ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ?’ ଏଥିସହ ରୁପା କିଛି ପ୍ଲା-କାର୍ଡ ବି ଦେଖାଇଥିଲେ। ସେଥିରେ ଲେଖାଥିଲା ‘ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀ ଆଉ କେତେ ଝିଅଙ୍କ ଇଜ୍ଜତ ଲୁଟିବ? କେତେ ପିଲାଙ୍କ ଜୀବନକୁ ଡ୍ରଗ୍ସ ଯୋଗୁ ନଷ୍ଟ କରିବ? ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀ ଆଉ କେତେ ହତ୍ୟା କରିବ?’

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ପାୟଲ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ହୋଇଥିବା ନେଇ ସୋସିଆଲ ମିଡିଆରେ ଅଭିଯୋଗ କରିଥିଲେ।

Leave A Reply

Your email address will not be published.