ହସ୍ପିଟାଲରୁ ଡିସଚାର୍ଜ ହେଲେ ସୈଫ୍ ଅଲ୍ଲୀ ଖାନ, ଘରର ସୁରକ୍ଷା ବଢ଼ାଇଲା ପୋଲିସ

ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ । ଭର୍ତ୍ତି ହେବାର ୫ ଦିନ ପରେ ସେ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ୫ ଦିନ ତଳେ ଅଭିନେତାଙ୍କୁ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଦୁର୍ବୃତ୍ତ ଆକ୍ରମଣ କରିଥିଲା । ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସୈଫଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଛି । ଏବେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ ଆହୁରି ସମୟ ଲାଗିବ ।
ସେପଟେ ମୁମ୍ବାଇ ପୋଲିସ ସୈଫଙ୍କ ଘରର ସୁରକ୍ଷା ବଢ଼ାଇଛି । ଫ୍ଲୋର ଡକ୍ଟକୁ ଜାଲି ଦ୍ବାରା ପ୍ୟାକ୍ କରି ଦିଆଯାଇଛି । ସୈଫ୍ ଓ କରୀନା ଦୁଇ ପୁଅଙ୍କ ସହ ଯେଉଁ ବିଲ୍ଡିଂରେ ରହୁଛନ୍ତି, ତାହାର ୧୨ତମ ମହଲାରେ ସମସ୍ତ ଏସି ଡକ୍ଟ ଏରିଆକୁ ଜାଲି ସ୍କ୍ରିନରେ ସିଲ୍ କରାଯାଇଛି ।
ଆଜି ଲୀଳାବତୀରୁ ଅଭିନେତା ଡିସଚାର୍ଜ ହୋଇଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆଉ କିଛି ଦିନ ବିଶ୍ରାମ ନେବାକୁ ପଡ଼ିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ଏହାପୂର୍ବରୁ ମଙ୍ଗଳବାର ସକାଳେ ପୋଲିସ ସୈଫଙ୍କ ଘରେ ପହଞ୍ଚି କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଥିଲା । ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ଅଭିଯୁକ୍ତ ଶେହଜାଦଙ୍କୁ ମଧ୍ୟ ସାଙ୍ଗରେ ଆଣିଥିଲା ।
୧୬ ତାରିଖ ମଧ୍ୟରାତ୍ରିରେ ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ବାନ୍ଦ୍ରା ବାସଭବନରେ ଦୁର୍ବୃତ୍ତ ଛୁରାମାଡ଼ କରିଥିଲା । ଆକ୍ରମଣ ପରେ ସୈଫଙ୍କୁ ଜଣେ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସ୍ପିଟାଲ ନେଇଯାଇଥିଲେ । ମହାରାଷ୍ଟ୍ରର ଠାଣେରୁ ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା ।
ଅଭିଯୁକ୍ତ ବାଂଲାଦେଶର କୁସ୍ତିଯୋଦ୍ଧା ବୋଲି ପୋଲିସ ଜାଣିବାକୁ ପାଇଛି । ସେ ଛୋଟବେଳୁ ନିଜ ଅଞ୍ଚଳରେ କୁସ୍ତିଯୁଦ୍ଧ ଖେଳୁଥିଲା । ସୈଫଙ୍କ ଘରେ ପଶିବା ପୂର୍ବରୁ ସେ ଶାହରୁଖ ଓ ସଲମାନଙ୍କ ଘର ନିକଟରେ ମଧ୍ୟ ରେକି କରିଥିଲା । ଅଭିଯୁକ୍ତ ପ୍ରଥମେ ସୈଫଙ୍କ ଘରୋଇ ସହାୟିକାଙ୍କ ଉପରେ ଆକ୍ରମଣ କରିଥିଲା, ଚିତ୍କାର ଶୁଣି ବଞ୍ଚାଇବାକୁ ଆସିଥିବା ବେଳେ ସୈଫଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ପୋଲିସ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି ।
ଆହୁରି ପଢ଼ନ୍ତୁ: ସୈଫ୍ ଅଲ୍ଲୀ ଖାନଙ୍କୁ ବସାଇ ହସ୍ପିଟାଲ ନେଇଥିବା ଅଟୋ ଡ୍ରାଇଭର ପୁରସ୍କୃତ, ମିଳିଲା ୧୧ ହଜାର ଟଙ୍କା