ସଲମାନ ଖାନ ଓ ଭଉଣୀ ଅଲ୍‌ବୀରାଙ୍କ ଉପରେ ଠକେଇ ଅଭିଯୋଗ ଆଣିଲେ ଚଣ୍ଡୀଗଡ଼ ବ୍ୟବସାୟୀ, ସମନ ଜାରି କଲା ପୋଲିସ; ୧୩ ଜୁଲାଇ ସୁଦ୍ଧା ରଖିବେ ଉତ୍ତର

ଚଣ୍ଡୀଗଡ଼ ପୋଲିସ ଏକ ଠକେଇ ମାମଲାରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ଭଉଣୀ ଅଲବୀରା ଖାନ ଅଗ୍ନିହୋତ୍ରୀଙ୍କୁ ସମନ ଜାରି କରିଛି। ସଲମାନ ଓ ତାଙ୍କ ଭଉଣୀଙ୍କ ବ୍ୟତୀତ ଅନ୍ୟ ୭ଜଣଙ୍କୁ ମଧ୍ୟ ନୋଟିସ୍‌ ପଠାଯାଇଛି, ଯାହାଙ୍କୁ ପୋଲିସ ଏ ବାବଦରେ ପଚରାଉଚରା କରିବ। ସୂଚନାଥାଉ କି, ଚଣ୍ଡୀଗଡ଼ରେ ଜଣେ ବ୍ୟବସାୟୀ ଅରୁଣ ଗୁପ୍ତା ସଲମାନ, ତାଙ୍କ ଭଉଣୀ ଅଲବୀରା, ତାଙ୍କ କମ୍ପାନୀ ବିଇଙ୍ଗ୍‌ ହ୍ୟୁମାନର ସିଇଓ ଏବଂ ଅନ୍ୟ ଅଧିକାରୀମାନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ବ୍ୟବସାୟୀ ସେମାନଙ୍କ ଉପରେ ୩ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି।

ଚଣ୍ଡୀଗଡ଼ ଏସ୍‌ପି କେତନ ବଂସଲ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କୁ ୧୩ ଜୁଲାଇ ସୁଦ୍ଧା ଜବାବ ରଖିବାକୁ ସମୟ ଦିଆଯାଇଛି। ଯଦି ଏଥିରେ କିଛି ବି ଆପରାଧିକ ହେବ, ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବ୍ୟବସାୟୀ ଅରୁଣ ଗୁପ୍ତା ଅଭିଯୋଗରେ ଦର୍ଶାଇଛନ୍ତି ଯେ ବିଇଙ୍ଗ୍‌ ହ୍ୟୁମାନର ୨ କର୍ମଚାରୀ ତାଙ୍କୁ ଫ୍ରାଞ୍ଚାଇଜି ଖୋଲିବାକୁ କହିଥିଲେ। କମ୍ପାନୀ ଚଣ୍ଡୀଗଡ଼ର ମନିମାଜରାଠାରେ ତାଙ୍କ ଦ୍ୱାରା ୩ କୋଟି ଟଙ୍କା ବ୍ୟୟରେ ଶୋ’ରୁମ ଖୋଲେଇଛି। କିନ୍ତୁ ପରେ ତାଙ୍କ ପାଖକୁ କୌଣସି ବି ଜିନିଷ ପଠାଯାଇ ନ ଥିଲା ଏବଂ କମ୍ପାନୀର େଓ୍ଵବ୍‌ସାଇଟ ବି ଲମ୍ବା ସମୟରୁ ବନ୍ଦ ପଡ଼ିଛି। ଏହାଛଡ଼ା ତାଙ୍କ ଉପରେ ଏହା କହି ଚାପ ପକାଯାଇଥିଲା ଯେ ଖୋଦ୍‌ ସୁପରଷ୍ଟାର ସଲମାନ ଖାନ ନିଜେ ଶୋ’ରୁମର ଓପନିଂରେ ଆସିବେ। ଅରୁଣ ଗୁପ୍ତାଙ୍କ କହିବା ହେଲା କି, କମ୍ପାନୀ ତାଙ୍କର କୌଣସି ବି ପ୍ରକାର ଅଭିଯୋଗ ଉପରେ ଉତ୍ତର ରଖିନାହିଁ।

ସେ ବିଇଙ୍ଗ୍‌ ହ୍ୟୁମାନ ସହିତ ଲିଖିତ ଚୁକ୍ତିନାମା ହୋଇଥିବା ବି ଦାବି କରିଛନ୍ତି। ଅଭିଯୋଗରେ ଗୁପ୍ତା କହିଛନ୍ତି, ବିଇଙ୍ଗ୍‌ ହ୍ୟୁମାନର ଜୁଏଲେରୀ ବ୍ରାଣ୍ଡକୁ ଷ୍ଟାଇଲ କ୍ୱିଣ୍ଟେଟ୍‌ ଜୁଏଲେରୀ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ଚଲାଉଛି ଏବଂ ତାଙ୍କ ଶୋ’ରୁମର ସମସ୍ତ ପ୍ରଡକ୍ଟ ମଧ୍ୟ ବିଇଙ୍ଗ୍‌ ହ୍ୟୁମାନ କମ୍ପାନୀର।

ଅରୁଣ ଏହି ଶୋ’ରୁମ ୨୦୧୮ରେ ଖୋଲିଥିଲେ। ପୋଲିସକୁ ଦେଇଥିବା ଅଭିଯୋଗରେ ସେ ସଲମାନ ଖାନଙ୍କ ବିଗ୍‌ ବସ୍‌ର ସେହି ଭିଡିଓ ମଧ୍ୟ ଦେଇଛନ୍ତି, ଯେଉଁଥିରେ ଖୋଦ୍‌ ସଲମାନ କହିଛନ୍ତି କି, ଚଣ୍ଡୀଗଡ଼ରେ ସେ ବିଇଙ୍ଗ୍‌ ହ୍ୟୁମାନର ଜୁଏଲେରୀ ଶୋ’ରୁମ ଖୋଲିଛନ୍ତି। ଅରୁଣ ନିଜ ପରିବାର ସହିତ ସଲମାନ ଖାନଙ୍କ ଫଟୋ ମଧ୍ୟ ଦେଖାଇଥିଲେ ଏବଂ କହିଥିଲେ ଯେ କେବଳ ସଲମାନଙ୍କ ଭରସାରେ ହିଁ ସେ ଏତେ ମୋଟା ରକମର ଇନ୍‌ଭେଷ୍ଟ ଏହି ବିଜନେସ୍‌ରେ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.