ସଲମାନ ଖାନଙ୍କ ଘର ‘ଗାଲାକ୍ସି ଆପାର୍ଟମେଣ୍ଟ’ର ବଢ଼ିଲା ସୁରକ୍ଷା, ବାଲକୋନିରେ ଲାଗିଲା ବୁଲେଟପ୍ରୁଫ୍ କାଚ

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘରର ଛବି ବଦଳି ଯାଇଛି । କହିବାକୁ ଗଲେ, ଘରର ସୁରକ୍ଷା ଏବେ ବଢ଼ାଇ ଦିଆଯାଇଛି । ସଲମାନଙ୍କ ଜୀବନ ପ୍ରତି ଥିବା ବିପଦକୁ ନଜରରେ ରଖି ତାଙ୍କ ବାଲକୋନିକୁ ବୁଲେଟପ୍ରୁଫ୍ କରି ଦିଆଯାଇଛି । ଏହାର କିଛି ଫଟୋ ସାମ୍ନାକୁ ଆସିଛି ।

ସଲମାନ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ତାଙ୍କ ସହିତ ଏବେ ଘରକୁ ମଧ୍ୟ ସୁରକ୍ଷା ଘେରରେ ରଖାଯାଇଛି । ସାମ୍ନାକୁ ଆସିଥିବା ଫଟୋରେ ଘରର ବାଲକୋନିରେ ନୀଳ ରଙ୍ଗର କାଚ ଲଗାଯାଇଛି । ଏହା ହେଉଛି ପଲିମେଥାଇଲ୍ ମେଥାକ୍ରିଲେଟ୍ ଗ୍ଲାସ୍, ଯାହା ଗୁଳି ଭେଦ କରିପାରିବ ନାହିଁ ।

ସଲମାନ ଖାନଙ୍କୁ ଦୀର୍ଘ ଦିନରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଧମକ ମିଳୁଛି । କିଛି ଦିନ ପୂର୍ବେ ତାଙ୍କ ଘର ସାମ୍ନାରେ ମଧ୍ୟ ଫାୟାରିଂ ହୋଇଥିଲା । ଏହି ଘଟଣା ପରେ ସଲମାନ ଖାନ ଗାଲାକ୍ସ ଆପାର୍ଟମେଣ୍ଟକୁ ଟାଇଟ୍ ସିକ୍ୟୁରିଟିରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଭିନେତା ପ୍ରତିବର୍ଷ ଏହି ବାଲକୋନିରୁ ଫ୍ୟାନମାନଙ୍କୁ ଇଦ୍ ଅବସରରେ ନଜର ଆସନ୍ତି । କିନ୍ତୁ ଏବେ ଗ୍ଲାସ୍ ଲାଗିଯାଇଥିବାରୁ ଲାଗୁଛି, ଚଳିତ ବର୍ଷର ଦୃଶ୍ୟ ଅଲଗା ରହିବ । କହି ରଖୁଛୁ, ଏହି ଘରେ ସଲମାନ ଖାନ ତାଙ୍କର ପୂରା ପରିବାର ସହିତ ରହୁଛନ୍ତି ।