ଗ୍ୟାଙ୍ଗଷ୍ଟାର୍ସଙ୍କ ଟାର୍ଗେଟ୍‌ରେ ସଲମାନ ଖାନ! ମୁସେଓ୍ଵାଲା ହତ୍ୟା ମାମଲାରେ ଗିରଫ ଶୁଟର କଲେ ବଡ଼ ଖୁଲାସା…

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ତାଙ୍କ ସମସ୍ୟା କେବେ ବି କମିବାର ନାଁ ଧରେ ନାହିଁ। ବର୍ତ୍ତମାନ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ଵାଲାଙ୍କ ମୃତ୍ୟୁ ପରଠାରୁ ସଲମାନ ଖାନଙ୍କ ଜୀବନ ପ୍ରତି ବିପଦ ବଢ଼ି ଯାଇଛି। ସଲମାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳିଛି, ଯାହା ପରଠାରୁ ତାଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ନିକଟରେ ସିଦ୍ଧୁ ମୁସେଓ୍ଵାଲା ହତ୍ୟା ମାମଲାରେ ଗିରଫ ହୋଇଥିବା ଜଣେ ଶୁଟର ଖୁଲାସା କରିଛନ୍ତି ଯେ ବଲିଉଡ୍‌ ଅଭିନେତା ସଲମାନ ଖାନ ଗ୍ୟାଙ୍ଗ୍‌ଷ୍ଟାର୍ସଙ୍କ ଟାର୍ଗେଟ୍‌ରେ ଅଛନ୍ତି। ଏ ନେଇ ପଞ୍ଜାବ ଡିଜିପି ଗୌରବ ଯାଦବ ସୂଚନା ଦେଇଛନ୍ତି।

ଜିଡିପି କହିଛନ୍ତି, ସଲମାନ ଖାନ ଏହି ଗ୍ୟାଙ୍ଗ୍‌ଷ୍ଟାରମାନଙ୍କ ଟାର୍ଗେଟରେ ଅଛନ୍ତି। ସିଦ୍ଧୁ ମୁସେଓ୍ଵାଲା ମାମଲାରେ ଗିରଫ ହୋଇଥିବା ୬ଷ୍ଠ ଶୁଟର କପିଲ ପଣ୍ଡିତ ପଚରାଉଚରାରେ ଏହି କଥା ଖୁଲାସା କରିଛନ୍ତି। ସେ କହିଛନ୍ତି, ଲରେନ୍ସ ବିଶ୍ରନୋଇ ତାଙ୍କୁ ସଲମାନ ଖାନଙ୍କୁ ମାରି ଦେବାକୁ ଟାସ୍କ ଦେଇଥିଲେ। ଜୁନ୍‌ରେ ସଲମାନ ଖାନ ଓ ସଲିମ୍‌ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏଥିରେ ଲେଖାଥିଲା ଯେ ସଲମାନ ଖାନଙ୍କୁ ମଧ୍ୟ ଆମେ ସିଦ୍ଧୁ ମୁସେଓ୍ଵାଲା କରିଦେବୁ, ଯାହା ପରେ ପୋଲିସ ତାଙ୍କ ସୁରକ୍ଷାକୁ ବଢ଼ାଇ ଦେଇଥିଲା।

ଏବେ ସଲମାନ ଖାନଙ୍କ ସୁରକ୍ଷା ଉପରେ ଖାସ୍‌ ଧ୍ୟାନ ଦିଆଯାଉଛି। ତାଙ୍କ ଗାଡିକୁ ମଧ୍ୟ ଅପ୍‌ଗ୍ରେଡ୍‌ କରି ଦିଆଯାଇଛି। ସେ ବୁଲେଟ୍ ପ୍ରୁଫ୍ ଧଳା କାରରେ ବୁଲୁଛନ୍ତି। ଏତିକି ନୁହେଁ, ସଲମାନଙ୍କୁ ବନ୍ଧୁକ ରଖିବା ପାଇଁ ମଧ୍ୟ ଲାଇସେନ୍ସ ମିଳିଛି। ତାଙ୍କ ସେଟ୍‌ରେ ଗାର୍ଡ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସମୟରେ ସଲମାନଙ୍କ ସହ ସବୁବେଳେ ଗାର୍ଡମାନେ ମୁତୟନ ରହୁଛନ୍ତି।

ୱାର୍କ ଫ୍ରଣ୍ଟ ଦେଖିଲେ, ସଲମାନ ଖାନ ତେଲୁଗୁ ଫିଲ୍ମ ‘ଗଡ୍‌ ଫାଦର’ରେ ନଜର ଆସିବେ। ଏହା ବ୍ୟତୀତ ସେ ‘କିସି କା ଭାଇ କିସି କି ଜାନ୍‌’ରେ ମଧ୍ୟ ଦେଖାଯିବେ। ଏହି ଫିଲ୍ମରୁ ସଲମାନଙ୍କ ଲୁକ ମଧ୍ୟ ସାମ୍ନାକୁ ଆସି ସାରିଛି। ଏଥିରେ ସେ ଲମ୍ବା କେଶ ରଖିଛନ୍ତି। କିଛି ଦିନ ପୂର୍ବରୁ ସେ ଫିଲ୍ମର ଟାଇଟଲ୍ ଘୋଷଣା କରିଥିଲେ।

କହି ରଖୁଛୁ, ସଲମାନଙ୍କ ପସନ୍ଦର ଅଭିନେତ୍ରୀ ଶେହନାଜ୍‌ ଗିଲ୍‌ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ସଲମାନ ଖାନ ଓ ଶେହନାଜ ଗିଲ୍‌ଙ୍କ ବ୍ୟତୀତ ଏଥିରେ ପୂଜା ହେଗ୍‌ଡେ, ଦଗୁବତୀ ଭେଙ୍କଟେଶ୍‌, ଜସି ଗିଲ୍‌, ପଲକ ତିଓ୍ଵାରୀ, ସିଦ୍ଧାର୍ଥ ନିଗମ, ରାଘବ ଜୁୟାଲ ଓ ବିନାଲି ଭଟନାଗର ବି ନଜର ଆସିବାକୁ ଯାଉଛନ୍ତି। କହି ରଖୁଛୁ, ପ୍ରଥମେ ଏହି ଫିଲ୍ମର ନାମ ‘କଭି ଇଦ୍‌ କଭି ଦିଓ୍ଵାଲୀ’ ଥିଲା, କିନ୍ତୁ ପରେ ଟାଇଟଲ ବଦଳାଯାଇ ଏହାକୁ ‘କିସି କା ଭାଇ କିସି କି ଜାନ୍‌’ କରି ଦିଆଯାଇଛି।

ଫରହାଦ୍‌ ସାମଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ନେଇ ଫ୍ୟାନମାନଙ୍କର ଉତ୍ସାହ ଆହୁରି ବଢ଼ିଯାଇଛି। ସଲମାନ ‘କିସି କା ଭାଇ କିସି କି ଜାନ୍‌’ ବ୍ୟତୀତ ଫିଲ୍ମ ଟାଇଗର ୩କୁ ନେଇ ଚର୍ଚ୍ଚାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.