ସ୍କୁଟର ପଛରେ ବସି ଆସିଲେ ବୁର୍ଖାଧାରୀ ମହିଳା, ସଲମାନଙ୍କ ବାପା ସଲିମ ଖାନଙ୍କୁ ଦେଲେ ଧମକ

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ବାପା ସଲିମ ଖାନଙ୍କୁ ଧମକ । ସଲମାନଙ୍କ ପରେ ଏବେ ତାଙ୍କ ବାପାଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାମରେ ମିଳିଛି ଧମକ । ସଲିମ ଖାନ ମର୍ଣ୍ଣିଙ୍ଗ ଓ୍ୱାକ୍ରେ ଯାଇଥିବା ବଳେେ ଏହି ଘଟଣା ଘଟିଛି । ବୁର୍ଖା ପିନ୍ଧିଥିବା ଜଣେ ଅଜଣା ମହିଳା ଆସି ତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ପ୍ରାଥମିକ ରୂପେ କେହି ଜଣେ ପ୍ରାଙ୍କ୍ କରିବାକୁ ଚେଷ୍ଟା କରୁଥିବା ପୋଲିସ ଅନୁମାନ କରିଛି । ବର୍ତ୍ତମାନ ମୁମ୍ବାଇର ବାନ୍ଦ୍ରା ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସଲିମ ଖାନ ପ୍ରତିଦିନ ଭଳି ଗତକାଲି ସକାଳେ ମଧ୍ୟ ମର୍ଣ୍ଣିଙ୍ଗ ଓ୍ୱାକ୍ରେ ବାହାରିଥିଲେ । ସକାଳ ପ୍ରାୟ ୮ଟା ୪୫ରେ ସେ ବ୍ୟାଣ୍ଡଷ୍ଟାଣ୍ଡରେ ବୁଲୁଥିଲେ । ଥକ୍କା ଲାଗିବାରୁ ସଲିମ ବେଞ୍ଚ ଉପରେ ବସିଯାଇଥିଲେ । ସେହି ସମୟରେ ଗାଲାକ୍ସି ପାର୍ଶ୍ୱରୁ ବ୍ୟାଣ୍ଡଷ୍ଟାଣ୍ଡ ଆଡକୁ ଜଣେ ବ୍ୟକ୍ତି ସ୍କୁଟରରେ ଆସିଥିଲେ ଏବଂ ତାଙ୍କ ପଛରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ବସିଥିଲେ ।
ବ୍ୟକ୍ତି ଜଣକ ୟୁ-ଟର୍ଣ୍ଣ ନେଇ ସଲିମ ଖାନଙ୍କ ନିକଟରେ ଅଟକିଥିଲେ । ଏହି ସମୟରେ ବୁର୍ଖାଧାରୀ ମହିଳା ତାଙ୍କୁ ଧମକ ଦେଇ କହିଥିଲେ, ‘ଲରେନ୍ସ ବିଷ୍ଣୋଇଙ୍କୁ ପଠାଇବି କି’? ଧମକ ଦେବା ପରେ ସ୍କୁଟର ଆରୋହୀମାନେ ସେଠାରୁ ପଳାଇ ଯାଇଥିଲେ । ଏହାପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା ଏବଂ ସେମାନଙ୍କୁ ଖୋଜି ବାହାର କରିଥିଲା । ଏ ନେଇ ଏକ ମାମଲା ରୁଜୁ କରାଯାଇଛି ।
ପୋଲିସ ସୂଚନା ମୁତାବକ, ବାଇକ୍ ଚଳାଉଥିବା ଜଣେ ଯୁବକ ସଲମାନଙ୍କ ଗାଡ଼ିକୁ ପିଛା କରୁଥିବାର ନଜର ଆସିଥିଲେ । ତାଙ୍କ ଉପରେ ସନ୍ଦେହ ହେବାରୁ ଗାଲାକ୍ସି ନିକଟରେ ତାଙ୍କୁ ଗିରଫ କରାଯାଇଥିଲା । ସେପଟେ ବର୍ତ୍ତମାନ ସଲମାନ ଖାନ ସହର ବାହାରେ ଅଛନ୍ତି । ଗତ ରାତିରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍ କରାଯାଇଥିଲା । ନିକଟରେ ସଲମାନଙ୍କ ଘର ବାହାରେ ମଧ୍ୟ ଏକ ଫାୟାରିଂ ମାମଲା ସାମ୍ନାକୁ ଆସିଥିଲା ।