ସୋନି ଟିଭିର ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋର ‘ଇଣ୍ଡିଆର ବେଷ୍ଟ ଡ୍ୟାନ୍ସର ୨’ ବିଜେତା ହୋଇଛନ୍ତି ସୌମ୍ୟା କାମ୍ବଲେ। ପାଖାପାଖି ୧୩ ସପ୍ତାହ ଧରି ଚାଲିଥିବା ଏହି ଦର୍ଶକଙ୍କୁ ବେଶ୍ ମନୋରଂଜନ କରିଥିଲା। ତେବେ ଗତକାଲି ଶୋ ର ଫାଇନାଲ୍ ରହିଥିବା ବେଳେ ବିଜେତା ମଧ୍ୟ ଘୋଷଣା ହୋଇଥିଲା । ତେବେ ଶୋରେ ଥିବା ୫ ପ୍ରତିଯୋଗୀଙ୍କ ମଧ୍ୟରେ ଟକ୍କର ଚାଲିଥିଲା।
ଏହି ଶୋରେ ଶେଷ ଫାଇନାଲିଷ୍ଟ ଭାବେ କୋରିଓଗ୍ରାଫର ରୂପେଶ ସୋନିଙ୍କ ସହ ଗୌରବ ସରବନ, କୋରିଓଗ୍ରାଫର ସୋନାଲି କରଙ୍କ ସହ ଜମ୍ରୁଦ, ସନମ୍ ଜୋହରଙ୍କ ସହ ରୋଜା ରାଣା, ବର୍ତ୍ତିକାଙ୍କ ସହିତ ସୌମ୍ୟା କାମ୍ବଲେ ଏବଂ କୋରିଓଗ୍ରାଫର ଆର୍ଯ୍ୟନ ପାତ୍ରାଙ୍କ ସହ ରକ୍ତିମ୍ ଠାକୁରିଆ । ହେଲେ ଫାଇନାଲରେ ଏତେ ପ୍ରତିଯୋଗୀ ମଧ୍ୟରେ ସମସ୍ତଙ୍କୁ ପଛରେ ପକାଇ ସୌମ୍ୟା କାମ୍ବଲେ ଇଣ୍ଡିଆ ବେଷ୍ଟ ଡ୍ୟାନସର ୨’ ର ଟ୍ରଫି ଜିତିଥିଲେ । ଅନ୍ୟପଟେ ପ୍ରଥମ ରନର୍ ଅପ୍ ଗୌରବ ସରବନ୍ ଏବଂ ଦ୍ୱିତୀୟ ରନର୍ ଅପ୍ ରୋଜା ରାଣା ହୋଇଥିଲେ । ରକ୍ତିମ୍ ଚତୁର୍ଥ ନମ୍ବରରେ ଏବଂ ଜମ୍ରୁଦ ପଞ୍ଚମ ସ୍ଥାନରେ ରହିଥିଲେ । ସୌମ୍ୟାଙ୍କୁ ୧୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ମାରୁତି ସୁଜୁକି ସେଲେରିଓ କାର ଏବଂ ଅନ୍ୟାନ୍ୟ ଉପହାର ସହିତ ଟ୍ରଫି ମିଳିଥିଲା । ଦ୍ୱିତୀୟ ରନର ଅପ୍ ହୋଇଥିବା ରୋଜାଙ୍କ ଘର ଓଡିଶାରେ। ସେ ଆଇବିଡିରେ ଟ୍ରଫି ଜିତିବା ପାଇଁ ଭୋଟିଂ ଜରିଆରେ ଓଡିଶାବାସୀଙ୍କୁ ନିବେଦନ ମଧ୍ୟ କରିଥିଲେ।

ଏହି ଶୋ’ରେ ମଲାଇକା ଆରୋରା, ଟେରେନ୍ସ ଲୁଇସ୍ ଏବଂ ଗୀତା କପୁର ଜଜ୍ ଭାବେ ନଜର ଆସିଥିଲେ । ଏହି ଫାଇନାଲରେ ଅତିଥି ଭାବେ ଶିଳ୍ପା ଶେଟ୍ଟୀ, ବାଦଶାହ ଏବଂ ମନୋଜ ମୁଣ୍ଟାସିର ଯୋଗ ଦେଇଥିଲେ। ଗାୟକ ମିକା ସିଂ ଏବଂ କୋରିଓଗ୍ରାଫର ଧର୍ମେଶ ମଧ୍ୟ ଏହି ଶୋ’ରେ ପହଞ୍ଚି ପ୍ରତିଯୋଗୀଙ୍କ ଡ୍ୟାନ୍ସ ଦେଖିବା ସହ ସେମାନଙ୍କୁ ଉତ୍ସାହିତ କରାଇଥିଲେ ।