‘ସାବଧାନ ଇଣ୍ଡିଆ’ ଫେମ ୨ ଅଭିନେତ୍ରୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ, ପେଇଙ୍ଗ ଗେଷ୍ଟ ଭାବେ ରହି ଲକରରୁ ଚୋରି କରିଥିଲେ ୩ ଲକ୍ଷ ୨୮ ହଜାର ଟଙ୍କା

‘କ୍ରାଇମ ପେଟ୍ରୋଲ’ ଓ ‘ସାବଧାନ ଇଣ୍ଡିଆ’ ଭଳି ଟିଭି ଶୋ’ରେ କାମ କରିଥିବା ଦୁଇ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରି ନେଇଛି। ସେମାନେ ହେଲେ ଅଭିନେତ୍ରୀ ସୁରଭି ସୁରେନ୍ଦ୍ର ଲାଲ ଶ୍ରୀବାସ୍ତବ(୨୫) ଓ ମୋହସିନା ମୁଖତାର ଶେଖ(୧୯)। ଟଙ୍କା ଚୋରି କରୁଥିବା ଅଭିଯୋଗରେ ପୋଲିସ ସେମାନଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ସେମାନଙ୍କର ଜଣେ ସାଙ୍ଗ ସ୍ଥାନୀୟ କଲୋନୀରେ ପେଇଙ୍ଗ ଗେଷ୍ଟ ଚଲାଉଛନ୍ତି। ଏଠାକାର ରୟାଲ ପାମ ଅଞ୍ଚଳରେ ଥିବା ଏକ ବିଲ୍ଡିଂରେ ଏହି ଦୁଇଜଣ ଅଭିନେତ୍ରୀ ୧୮ ମେ’ରେ ପେଇଙ୍ଗ ଗେଷ୍ଟ ହୋଇ ଯାଇଥିଲେ। ସେଠାରେ ଜଣେ ମହିଳା ପୂର୍ବରୁ ହିଁ ରହୁଥିଲେ। ଅଭିଯୋଗ ଅନୁସାରେ, ଏହି ମହିଳାଙ୍କ ଲକଅପରେ ଥିବା ୩ ଲକ୍ଷ ୨୮ ହଜାର ଟଙ୍କାକୁ ଯୁବତୀଦ୍ବୟ ଚୋରି କରି ନେଇଥିଲେ ଏବଂ ସେଠାରୁ ଫେରାର ହୋଇଯାଇଥିଲେ।

ମହିଳା ପେଇଙ୍ଗ ଗେଷ୍ଟ ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ସେଥିରେ ଦୁଇଜଣ ଅଭିନେତ୍ରୀ ଘରୁ ବାହାରି ଯାଉଥିବାର ଦେଖିବାକୁ ପାଇଥିଲା। ସେମାନଙ୍କ ହାତରେ ଟଙ୍କା ପୁଟୁଳି ମଧ୍ୟ ନଜର ଆସିଥିଲା।

ପରେ ପୋଲିସ ସେମାନଙ୍କୁ ଧରି ପଚରା ଉଚରା କରିଥିଲା ଏବଂ ସାମ୍ନାରେ ବସାଇ ସିସିଟିଭି ଫୁଟେଜ ଦେଖାଇଥିଲା। ଏହାପରେ ଉଭୟ ଚୋରି କରିଥିବା ନେଇ ସ୍ୱୀକାର କରିଥିଲେ। ପୋଲିସ ସେମାନଙ୍କ ପାଖରୁ ଚୋରି କରିଥିବା ୬୦ ହଜାର ଟଙ୍କା ଜବତ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.