ଶାହରୁଖ-ଗୌରୀଙ୍କ ବିବାହକୁ ପୂରିଲା ୩୦ ବର୍ଷ: ନ ଥିଲା ପଇସା, ପ୍ୟାରିସ୍‌ ବୁଲାଇ ନେବାକୁ କହି ଗୌରୀଙ୍କୁ ଦେଇଥିଲେ ମିଛ ପ୍ରତିଶ୍ରୁତି

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଯଦି କେଉଁ ଯୋଡ଼ିକୁ ସବୁଠାରୁ ସଫଳତମ ଯୋଡ଼ିର ଟ୍ୟାଗ୍‌ ଦିଆଯାଏ, ତ ପ୍ରଥମେ ଶାହରୁଖ ଖାନ ଓ ଗୌରୀ ଖାନ୍‌ଙ୍କ ନାଁ ହିଁ ଆସିବ। ଏହାରି ଭିତରେ ସୁପରଷ୍ଟାର୍‌ ଶାହରୁଖ ଓ ଗୌରୀ ଖାନ୍‌ ନିଜ ବିବାହର ୩୦ ବର୍ଷ ପୂରଣ କରି ନେଇଛନ୍ତି। ଶାହରୁଖ, ଗୌରୀଙ୍କୁ ସେହି ସମୟରେ ବିବାହ କରିଥିଲେ, ଯେବେ ସେ ଇଣ୍ଡଷ୍ଟ୍ରୀକୁ ନୂଆ ଆସିଥିଲେ। ଆଜି ୨୫ ଅକ୍ଟୋବରରେ କପଲ୍‌ଙ୍କର ବିବାହକୁ ୩୦ ବର୍ଷ ପୂରଣ ହୋଇଛି। ଏହି ୩ ଦଶକ ଭିତରେ ପରିସ୍ଥିତି, ସମୟ ସବୁକିଛି ବଦଳି ଯାଇଛି, ହେଲେ ଦୁଇଜଣଙ୍କ ଭଲ ପାଇବା ଯେମିତିକୁ ସେମିତି ଅଛି। ଯଦିଓ ଏବେ ଦମ୍ପତି ବିଭିନ୍ନ ସମସ୍ୟାକୁ ସାମ୍ନା କରୁଛନ୍ତି ଏବଂ ଏହି ଖାସ୍‌ ମଉକାକୁ ଏନ୍‌ଞ୍ଜୟ କରିପାରୁ ନାହାନ୍ତି, ହେଲେ ଆଜିର ଦିନ ସେମାନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ନିହାତି ଭାବେ ସ୍ୱତନ୍ତ୍ର ରହିବ।

ଶାହରୁଖ ଯେବେ ୧୮ ବର୍ଷର ଥିଲେ, ସେହି ସମୟରେ ସେ ଗୌରୀଙ୍କୁ ଭଲପାଇ ବସିଥିଲେ। ଗୌରୀଙ୍କ ବୟସ ଥିଲା ୧୪ ବର୍ଷ। ତାହାରି ଭିତରେ ଦୁଇଜଣ ପରସ୍ପରକୁ ଚିହ୍ନି ଯାଇଥିଲେ, କିନ୍ତୁ ଶାହରୁଖଙ୍କ ଫିଲ୍ମି କ୍ୟାରିୟରକୁ ନେଇ ଗୌରୀ ସାମାନ୍ୟ ଦ୍ୱନ୍ଦ୍ୱରେ ରହିଥିଲେ। ତଥାପି ଶାହରୁଖଙ୍କ ଉପରେ ତାଙ୍କର ଭରସା ଥିଲା। ଦୁଇଜଣଙ୍କ ମଧ୍ୟରେ ବିବାହ ପୂର୍ବରୁ ଅନେକ ଉତ୍‌ଥାନ ପତ୍ତନ ବି ଆସିଛି, କିନ୍ତୁ ଭଲ ପାଇବା କେବେ ବି କମ୍‌ ହୋଇ ନାହିଁ। ଗୌରୀ ଓ ଶାହରୁଖ ୨୫ ଅକ୍ଟୋବର, ୧୯୯୧ରେ ବିବାହ କରିଥିଲେ। ସେହି ସମୟରେ ଶାହରୁଖଙ୍କ ପାଖରେ ନା ଅଧିକ କାମ ଥିଲା ନା ପଇସା। ଏପରିକି, ବିବାହ ଦିନ ସେ ଯେଉଁ ସୁଟ୍‌ ପିନ୍ଧିଥିଲେ, ତାହାକୁ ସେ ନିଜ ଫିଲ୍ମ ‘ରାଜୁ ବନ ଗୟା ଜେଣ୍ଟଲମ୍ୟାନ୍‌’ ସେଟ୍‌ରୁ ଭଡ଼ା ଆକାରରେ ନେଇଥିଲେ।

ଏକ ଇଣ୍ଟରଭ୍ୟୁରେ ଶାହରୁଖ କହିଥିଲେ କି, ‘ଯେତେବେଳେ ମୋର ବିବାହ ହୋଇଥିଲା, ସେହି ସମୟରେ ମୁଁ ବହୁତ ଗରିବ ଥିଲି। ଗୌରୀ ମଧ୍ୟ ମଧ୍ୟବିତ୍ତ ପରିବାରରୁ ଆସିଥିଲେ। ଯେମିତି କି, ଆମେ ସବୁ କରିଥାଉ, ମୁଁ ମଧ୍ୟ ଗୌରୀଙ୍କୁ କଥା ଦେଇଥିଲି କି, ବିବାହ ପରେ ତାଙ୍କୁ ପ୍ୟାରିସ୍‌ ବୁଲାଇ ନେଇଯିବି ଏବଂ ଏଫିଲ୍‌ ଟାଓ୍ଵାର ଦେଖାଇବି। କିନ୍ତୁ ନା ମୋ ପାଖରେ ତାଙ୍କୁ ବୁଲାଇ ନେବା ପାଇଁ ପଇସା ଥିଲା ନା ବିମାନ ଟିକେଟ୍‌। ମୁଁ କେବଳ ତାଙ୍କୁ ମିଛ କହୁଥିଲି। ହେଲେ ଭାଗ୍ୟ ଆଉ କିଛି ଚାହୁଁଥିଲା। ଯେତେବେଳେ ଆମକୁ ‘ରାଜୁ ବନ ଗୟା ଜେଣ୍ଟଲମ୍ୟାନ୍‌’ ପାଇଁ ଦାର୍ଜିଲିଂରେ ଏକ ଗୀତ ଶୁଟ୍‌ କରେଇବାର ଥିଲା, ତ ମୁଁ ଭାବିଲି କି, ଗୌରୀଙ୍କୁ ପ୍ୟାରିସ୍‌ ତ ନେଇପାରିବି ନାହିଁ, ଦାର୍ଜିଲିଂ ନେଇଯାଇ ପାରିବି। ତେଣୁ ମୁଁ ତାଙ୍କୁ ପ୍ୟାରିସ୍‌ କହି ଦାର୍ଜିଲିଂ ନେଇଯାଇଥିଲି’।

ଏବେ ବାସ୍ତବରେ ଶାହରୁଖଙ୍କ ଜୀବନରେ ପୂର୍ବଭଳି ଆଉ କିଛି ନାହିଁ। ଦୁଇଜଣଙ୍କ ବିବାହକୁ ୩୦ ବର୍ଷ ବିତିଛି। ଶାହରୁଖ ଆଜି ଭାରତ ନୁହେଁ, ପୂରା ଦେଶରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ ପାଲଟି ଯାଇଛନ୍ତି। ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଇଣ୍ଡଷ୍ଟ୍ରୀରେ ତାଙ୍କୁ କିଙ୍ଗ୍‌ ଖାନ୍‌ ନାଁରେ ଜଣାଯାଇଥାଏ। ଆକ୍ଟରଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ ମଧ୍ୟ ଷ୍ଟ୍ରଙ୍ଗ୍‌ ରହିଛି। ସେପଟେ ଗୌରୀ ମଧ୍ୟ ଜଣେ ସଫଳ ଇଣ୍ଟେରିୟର ଡିଜାଇନର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.