ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ସ୍ଥଳରେ ପହଞ୍ଚି ପ୍ରାର୍ଥନା କଲେ ଶାହାରୁଖ, ଭାଇରାଲ ହେଉଛି ଫଟୋ

ରବିବାର ଦିନ ନୀରବି ଯାଇଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଏହି ଖବର ପ୍ରଚାରିତ ହେବା ପରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି। ଭାରତ ରତ୍ନ ଲତାଙ୍କର ମୁମ୍ବାଇରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଡ଼ ବଡ଼ ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇଥିଲେ। ଅନ୍ତିମ ସଂସ୍କାରସ୍ଥଳରେ ପହଞ୍ଚି ସମସ୍ତେ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶାହାରୁଖ ଖାନ୍ ମଧ୍ୟ ପହଞ୍ଚି ଲତା ମଙ୍ଗେସକରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ବେଳର ଫଟୋ ଓ ଭିଡିଓ ଇଣ୍ଟରନେଟ୍ରେ ଭାଇରାଲ ହେଉଛି। ଶାହାରୁଖ ଖାନ୍ ଓ ମ୍ୟାନେଜର ପୂଜା ଦଦଲାନୀଙ୍କୁ ଲତା ମଙ୍ଗେସକରଙ୍କ ଅନ୍ତ୍ୟୋଷ୍ଟି ବେଳେ ଶିବାଜୀ ପାର୍କରେ ଦେଖିବାକୁ ମିଳିଛି।
View this post on Instagram
ଭାଇରାଲ ହେଉଥିବା ଫଟୋରେ ଶାହାରୁଖ ପ୍ରାର୍ଥନା କରିବା ଅବସରରେ ହାତ ଉପରକୁ ଉଠାଇଥିବା ନଜର ଆସିଛନ୍ତି। ସେ ଇସ୍ଲାମ୍ ଧର୍ମ ଅନୁସାରେ ଲତାଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଆ କରିଛନ୍ତି। ଏହି ସମୟରେ ଦଦଲାନୀ ହାତ ଯୋଡ଼ି ତାଙ୍କ ପାଖରେ ଠିଆ ହୋଇଛନ୍ତି। ଶାହାରୁଖ ଖାନ୍ ଲତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ତାଙ୍କ ପାଦ ଛୁଇଁଥିଲେ ଓ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଥିଲେ। ସୁପରଷ୍ଟାର ଶାହାରୁଖଙ୍କ ହାବଭାବ ଦେଖି ଫ୍ୟାନ୍ମାନେ ବେଶ୍ ପ୍ରଭାବିତ ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ସହ ଲୋକେ ଏହି ଫଟୋକୁ ଧର୍ମ ନିରପେକ୍ଷ ଭାରତର ଫଟୋ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ଭାରତ ରତ୍ନରେ ଭୂଷିତ ଲତା ମଙ୍ଗେସକରଙ୍କର ୯୨ ବର୍ଷ ବୟସରେ ଗତକାଲି ପରଲୋକ ଘଟିଛି। ମୁମ୍ବାଇର ଶିବାଜୀ ପାର୍କରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। କରୋନା ଭାଇରସ ଓ ନିମୋନିଆରେ ପୀଡ଼ିତ ହେବା ପରେ ୮ ଜାନୁଆରୀରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଲତାଙ୍କୁ ଭର୍ତ୍ତି କରାଯାଇଥିଲା।