ଦୀର୍ଘ ୧୭ ବର୍ଷ ପରିଶ୍ରମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏହି ଅଭିନେତା, ଏବେ ବଲିଉଡରେ କରିସାରିଲେଣି ୩୦ରୁ ଊର୍ଦ୍ଧ୍ୱ ଫିଲ୍ମ
ଦୀର୍ଘ ୧୭ ବର୍ଷ ହେଲାଣି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲଗାତାର କାମ କରୁଛନ୍ତି ବଲିଉଡ ଅଭିନେତା ଶାହିଦ କପୁର। ପାଖାପାଖି ୩୦ଟି ଫିଲ୍ମ କରିସାରିଥିବା ଶାହିଦ ଆଜି ୩୯ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଫେବୃୟାରୀ ୨୫ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ପ୍ରତି ତାଙ୍କର ପିଲାଦିନରୁ ରୁଚି ରହିଥିଲା।
୨୦୦୩ରେ ସେ ରମେଶ ତୈରାନିଙ୍କ ଫିଲ୍ମ ‘ଇଶ୍କ୍ ବିଶ୍କ୍’ରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ୨୦୦୪ରେ ସେ ଫିଦା ଫିଲ୍ମରେ କରିନା କପୁରଙ୍କ ସହିତ ଅଭିନୟ କରିଥିଲେ। ଏହି ଫିଲ୍ମର ଶୁଟିଂ ସେଟ୍ରୁ କରିନାଙ୍କ ସହିତ ଶାହିଦଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କଥା ବିବାହ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। କିନ୍ତୁ ୨୦୦୭ରେ ଫିଲ୍ମ ‘ଜବ୍ ଓ୍ଵି ମିଟ୍’ପରେ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଥିଲା। ଏହାପରେ କିଛି ଦିନ ପାଇଁ ଶାହିଦ ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ତେବେ ଶେଷରେ ୨୦୧୫ ଜୁଲାଇ ୭ରେ ସେ ତାଙ୍କଠାରୁ ୧୪ ବର୍ଷ ସାନ ମୀରା ରାଜପୁତଙ୍କୁ ବିବାହ କରିଥିଲେ। ମୀରାଙ୍କୁ ବିବାହ କରିବାରେ ପରେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି।
ସୂଚନାଯୋଗ୍ୟ, ଶାହିଦଙ୍କ ଫିଲ୍ମ କବୀର ସିଂ ନେଇ ବଲିଉଡ୍ରେ ଏବେ ବି ଚର୍ଚ୍ଚା ଜାରି ରହିଛି। ତାଙ୍କର ନୂଆ ଫିଲ୍ମ ‘ଜର୍ସି’ କିଛି ମାସ ପରେ ରିଲିଜ୍ ହେବ ବୋଲି କୁହାଯାଉଛି। ଏହାସହିତ ଶାହିଦଙ୍କ ଅଭିନୀତ ଫିଲ୍ମ ‘ଚୁପ୍ ଚୁପ୍କେ, ବିବାହ, ଆର. ରାଜକୁମାର, ହାଇଦର, ଉଡତା ପଞ୍ଜାବ, ପଦ୍ମାବତ୍’ ବକ୍ସ ଅଫିସରେ ଧମାଲ କରିଥିଲା।