ମୋ ଇଂରାଜୀ ଭଲ ନୁହେଁ, ସେଥିପାଇଁ ହଲିଉଡରେ ମିଳୁନି କାମ : ବଲିଉଡ ବାଦଶାହାଙ୍କର ବଡ ବୟାନ

ଭଲ ଇଂରାଜୀ କହି ପାରନ୍ତିନି ବଲିଉଡ୍ ବାଦଶାହା । ଆଉ ସେଥିପାଇଁ ହଲିଉଡରେ ଶାହାରୁଖଙ୍କୁ ମିଳୁନି କାମ । ଏକଥା ଆମେ ନୁହେଁ କହିଛନ୍ତି ନିଜେ କିଙ୍ଗ୍ ଖାନ୍ । ନିକଟରେ ଏକ ସାକ୍ଷାତକାରେ ହଲିଉଡରେ କାମ କରିବାକୁ ନେଇ ପ୍ରଶ୍ନରେ କିଛି ଏଭଳି ଉତ୍ତର ଦେଇଛନ୍ତି ଶାହାରୁ୍ଖ୍ ।
ହଲିଉଡରେ ଇରଫାନ୍ ଖାନ୍, ନସିରୁଦ୍ଦିନ୍ ଶାହା ଏବଂ ପ୍ରିୟଙ୍କା ଚୋପ୍ରା ଆଦି କଳାକାର କାମ କରୁଛନ୍ତି । ହେଲେ ଆଜି ଯାଏଁ କାହିଁକି ବଲିଉଡ୍ ବାଦଶାହା ପାଦ ରଖିନାହାଁନ୍ତି ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶାହାରୁଖ୍ କହିଛନ୍ତି “ଯଦି ସେମାନଙ୍କୁ ମୋ ଦ୍ବାରା କାମ କରାଇବାର ଅଛି ତ ସେମାନେ ମୋ ନିକଟକୁ ଆସନ୍ତୁ । ମୁଁ ସେମାନଙ୍କ ନିକଟକୁ ଯାଇପାରିବିନି । ମୁଁ ପ୍ରତିଦିନ ଚାନ୍ଦ ଦେଖେ ହେଲେ ତାକୁ ଛୁଇଁ ପାରେନା । ମୋତେ ଲାଗୁଛି ମୁଁ ହଲିଉଡ୍ ପାଇଁ ଫିଟ୍ । ବୋଧେ ମୋ ଇଂରାଜୀ ଟିକେ ଦୁର୍ବଳ ଅଛି । ମୁଁ କେବଳ ବଲିଉଡ୍ ସିନେମା କରିବା ବିଷୟରେ ଚିନ୍ତା କରେ । କିନ୍ତୁ ମତେ ଖୁସି ଲାଗିବ ଯେଉଁ ଟମ୍ କ୍ରୁଜ୍ କହିବେ ମତେ ହିନ୍ଦି ସିନେମାରେ କାମ କରିବାର ଅଛି । ଏହି ମୁହୂର୍ତ୍ତ ସବୁଠାରୁ ଭଲ ହେବ । ଆଉ ଏମିତି ଗୋଟିଏ ଦିନ ନିଶ୍ଚୟ ଆସୁ ।“
ଏହା ସହ ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି କିଙ୍ଗ୍ ଖାନ୍ । ଶାହାରୁଖ୍ କହିଛନ୍ତି , ଏକ ପୁରୁଷ ପ୍ରଧାନ ଇଣ୍ଡଷ୍ଟ୍ରୀ ହେଉଛି ବଲିଉଡ୍ । ଆପଣ ଏହାକୁ ଅଣଦେଖା କରିପାରିବେ ନାହିଁ । ଭଲ ଲାଗିବ ଯଦି ଏହି ଧାରା ବଦଳିଯିବ । ଉଭୟ ପୁରୁଷ ଏବଂ ମହିଳା କଳାକାରଙ୍କୁ ସମାନ ଫିସ୍ ମିଳିବା ଉଚିତ୍ । ସମସ୍ତଙ୍କୁ ନିଜ କାମ ପାଇଁ ସମାନ ପାଉଣା ପାଇବାର ଅଧିକାର ଅଛି ।
ନିଜ ଆଗାମୀ ସିନେମା ଜିରୋକୁ ନେଇ ଚର୍ଚ୍ଚିତ ଅଛନ୍ତି ବଲିଉଡ୍ ବାଦଶାହା । ଆନନ୍ଦ ରାୟଙ୍କ ଏହି ଫିଲ୍ମରେ ଶାହାରୁଖଙ୍କ ସହ ନଜର ଆସିବେ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍ । ସିନେମାର ସୁଟିଂ ଶେଷ ହୋଇ ସାରିଛି । ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ ।