ସିଙ୍ଗରଙ୍କର ଚାଲିଗଲା କଣ୍ଠସ୍ୱର, ଯନ୍ତ୍ରଣାରେ କଇଁ କଇଁ ହୋଇ କାନ୍ଦିଲେ

ବଲିଉଡର ଲୋକପ୍ରିୟ ସିଙ୍ଗର ତଥା ସଙ୍ଗୀତ ନିର୍ଦ୍ଦେଶକ ଶେଖର ରାଭଜିୟାନୀ ନିଜ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଶେଖର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ୨ ବର୍ଷ ତଳେ ତାଙ୍କ କଣ୍ଠସ୍ୱର କିପରି ଚାଲିଯାଇଥିଲା, ତାହା ସେ ଜଣାଇଛନ୍ତି । ଶେଖର କହିଛନ୍ତି ଯେ ତାଙ୍କୁ ଭୋକାଲ କର୍ଡ ପାରାଲିସିସ୍ ହୋଇଯାଇଥିଲା ।

ପୋଷ୍ଟ ସେୟାର କରି ସିଙ୍ଗର କହିଛନ୍ତି, ‘ମୁଁ ଏମିତି କିଛି କହିବାକୁ ଯାଉଛି, ଯାହା ବିଷୟରେ ଆଜି ପୂର୍ବରୁ କେବେ କଥା ହୋଇ ନ ଥିଲି । ୨ ବର୍ଷ ତଳେ ମୁଁ ନିଜର କଣ୍ଠସ୍ୱର ହରାଇ ଦେଇଥିଲି । ମୁଁ ବର୍ବାଦ ହୋଇଯାଇଥିଲି । କହିବାକୁ ଗଲେ, ମୁଁ ଆଶା ଛାଡ଼ି ଦେଇଥିଲି । ମୋତେ ଲାଗୁଥିଲା, ମୁଁ ଆଉ କେବେ ବି ଗାଇପାରିବି ନାହିଁ । ମୋ ପରିବାର ଚିନ୍ତାରେ ଥିଲେ । ସେମାନେ ସମସ୍ତଙ୍କୁ ଚିନ୍ତିତ ଥିବାର ଦେଖି ମୁଁ ବି ଖୁସି ନ ଥିଲି । ମୁଁ ବହୁତ ପ୍ରାର୍ଥନା କଲି । କିନ୍ତୁ କାମ କରିବା ବନ୍ଦ କରି ନ ଥିଲି । ଚେଷ୍ଟା କରିଚାଲିଥିଲି, ନିଜକୁ ଠେଲୁଥିଲି । ଏହାରି ମଧ୍ୟରେ କିଛି ସପ୍ତାହ ପାଇଁ ମୋତେ ସାନ୍ ଡିଏଗୋ ଯିବାକୁ ପଡ଼ିଥିଲା । ସେଠାରେ ମୁଁ ଜେରେମିଙ୍କୁ ଭେଟିଲି । ସେ ମୋତେ ଜଣେ ଆଞ୍ଜେଲଙ୍କ ସହ ଭେଟ କରାଇଥିଲେ । ଏହି ଆଞ୍ଜେଲ ଥିଲେ ଡା. ଏରିନ୍ ୱାଲସ’ ।

ଶେଖର ଆହୁରି କହିଛନ୍ତି, ‘କୋଭିଡ୍ ଯୋଗୁ ମୁଁ ତାଙ୍କୁ ଭେଟି ପାରି ନ ଥିଲି । ଆମେ ଜୁମରେ କଥା ହୋଇଥିଲୁ । ମୁଁ ଯେତେବେଳେ ତାଙ୍କୁ କହିଲି କି ମୁଁ ପୁଣିଥରେ ଗାଇବାକୁ ଚାହୁଁଛି, ସେତେବେଳେ ମୋ ଆଖିକୁ ଲୁହ ଚାଲି ଆସିଥିଲା । ସେ ମୋତେ ସହଜ ଅନୁଭବ କରାଇଥିଲେ ଏବଂ ମୋତେ ଭରସା ଦେଇଥିଲେ କି, ମୁଁ ପୁଣିଥରେ ଗାଇପାରିବି । ମୋ କଣ୍ଠସ୍ୱର ଠିକ୍ କରିବାରେ ସେ ନିଜର ଚେଷ୍ଟା ଜାରି ରଖିଥିଲେ । ସମସ୍ତ ଚେଷ୍ଟା ପରେ କିଛି ସପ୍ତାହ ମଧ୍ୟରେ ମୋ ସ୍ୱର ନର୍ମାଲ ହୋଇଥିଲା । ମୁଁ ଏବେ ବିଲକୁଲ୍ ଠିକ୍ ଅଛି ଏବଂ ପୂର୍ବ ଅପେକ୍ଷା ଆହୁରି ବି ଭଲ ଗାଇପାରିବି’ ।

You might also like