ଗେରୁଆ ରଙ୍ଗର ବିକିନୀ ଗ୍ରହଣୀୟ ନୁହେଁ ବୋଲି କହିଲେ ଶର୍ଲିନ ଚୋପ୍ରା! ଦୀପିକା ପାଦୁକୋନଙ୍କୁ କହିଲେ ଟୁକ୍‌ଡେ ଟୁକ୍‌ଡେ ଗ୍ୟାଙ୍ଗ୍‌ର ସଦସ୍ୟ

‘ପଠାନ୍‌’ର ପ୍ରଥମ ଗୀତ ‘ବେସରମ୍‌ ରଙ୍ଗ୍‌’ରେ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ଏବେ ଏହାକୁ ବିରୋଧ କରୁଥିବା ଲୋକଙ୍କ ତାଲିକାରେ ସାମିଲ ହୋଇଛନ୍ତି ଶର୍ଲିନ ଚୋପ୍ରା।

ଶର୍ଲିନ ଏହି ମାମଲାରେ ଦୀପିକାଙ୍କୁ ‘ଟୁକ୍‌ଡେ-ଟୁକ୍‌ଡେ’ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି କହିଛନ୍ତି। ଏଥି ସହିତ କହିଛନ୍ତି ଯେ ରେଗୁଆ ରଙ୍ଗର ବିକିନୀ କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ। କହି ରଖୁଛୁ, ଏହି ପ୍ରସଙ୍ଗରେ ଶର୍ଲିନ ଚୋପ୍ରା ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଡ. ନରୋତ୍ତମ ମିଶ୍ରାଙ୍କ ବିବୃତ୍ତିକୁ ମଧ୍ୟ ସମର୍ଥନ କରୁଥିବାର ନଜର ଆସିଛନ୍ତି।

ଶର୍ଲିନ୍ ଚୋପ୍ରା କହିଛନ୍ତି, ‘ଦୀପିକା ଟୁକଡେ ଟୁକଡେ ଗ୍ୟାଙ୍ଗ ପ୍ରତି ସହାନୁଭୂତି ଦେଖାଉଛନ୍ତି। ଏମିତିରେ ପଠାନ ଫିଲ୍ମର ଗୀତ ‘ବେସରମ ରଙ୍ଗ’ରେ ତାଙ୍କୁ ଗେରୁଆ ରଙ୍ଗର ବିକିନୀରେ କୋଟି କୋଟି ହିନ୍ଦୁ ସ୍ୱୀକାର କରିବେ ନାହିଁ। ବାସ୍ତବରେ, ଏହି ରଙ୍ଗ ହେଉଛି ଶୁଦ୍ଧତା, ବିଶ୍ୱସ୍ତତା ଏବଂ ସମର୍ପଣର ରଙ୍ଗ’।

ଶର୍ଲିନ କହିଛନ୍ତି, ‘ମୁଁ ନରୋତ୍ତମ ମିଶ୍ରାଙ୍କ ବୟାନରେ ସମ୍ପୂର୍ଣ୍ଣ ଭାବେ ସହମତ’। ଅନ୍ୟପକ୍ଷରେ ସେ ଆମିର ଖାନଙ୍କ କଳସ ପୂଜା ଏବଂ ଶାହରୁଖ ଖାନଙ୍କ ବୈଷ୍ଣୋ ଦେବୀ ଯିବାର ପ୍ରଶ୍ନରେ କହିଥିଲେ ଯେ ଲୋକେ ଯାହାଙ୍କ ଉପରେ ବିଶ୍ୱାସ କରନ୍ତି, ସେମାନେ ତାଙ୍କର ପୂଜା କରି ପାରିବେ, କିନ୍ତୁ ସେମାନଙ୍କୁ ସାଧାରଣ ଜନତାଙ୍କ ଭାବନା ପ୍ରତି ମଧ୍ୟ ସଚେତନ ରହିବା ଉଚିତ।

କହି ରଖୁଛୁ, ‘ପଠାନ’ ଫିଲ୍ମର ଗୀତ ‘ବେସରମ ରଙ୍ଗ’ ଯେବେଠାରୁ ରିଲିଜ୍‌ ହୋଇଛି, ସେବେଠାରୁ ବିବାଦରେ ଛନ୍ଦି ହୋଇପଡିଛି। ଗୀତ ରିଲିଜ୍ ହେଉ ହେଉ ନରୋତ୍ତମ ମିଶ୍ରା ଏହା ଉପରେ ଆପତ୍ତି ଉଠାଇଥିଲେ। ସେ ଗୀତରେ ଅନେକ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ଏଥିସହ କହିଥିଲେ କି, ଯଦି ଗୀତରେ କପଡ଼ାର ରଙ୍ଗ ବଦଳା ନ ଯିବ, ତା’ ହେଲେ ମଧ୍ୟପ୍ରଦେଶରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବ।

ସେପଟେ ଅଯୋଧ୍ୟାର ମହନ୍ତ ରାଜୁ ଦାସ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’କୁ ବହିଷ୍କାର କରିବାକୁ ଅପିଲ୍‌ କରିଛନ୍ତି। ସେ କହିଛନ୍ତି, ଯେଉଁ ଥିଏଟରରେ ପଠାନ୍‌ ଫିଲ୍ମ ପଡ଼ିବ, ସେଠାରେ ନିଆଁ ଲଗାଇ ଦେବାକୁ ମୁଁ ଦର୍ଶକମାନଙ୍କୁ ଅପିଲ୍‌ କରୁଛି। ରାଜୁ ଦାସ ବଲିଉଡ୍‌ ଏବଂ ଶାହରୁଖ ଖାନଙ୍କ ଉପରେ କ୍ରମାଗତ ଭାବେ ସନାତନ ଧର୍ମକୁ ପରିହାସ କରୁଥିବା ନେଇ ଅଭିଯୋଗ ଲଗାଇଛନ୍ତି।

ଅଯୋଧ୍ୟା ମହନ୍ତ ରାଜୁ ଦାସଙ୍କ କହିବା ହେଲା, ‘କିଭଳି ଭାବେ ସନାତନ ଧର୍ମକୁ ପରିହାସ କରାଯିବ ଏବଂ କିଭଳି ଭାବେ ହିନ୍ଦୁ ଦେବୀ, ଦେବତାଙ୍କୁ ଅପମାନ କରାଯିବ, ବଲିଉଡ୍‌ ଲଗାତାର ଏହି ପ୍ରୟାସରେ ରହୁଛି। ପଠାନ୍‌ ଫିଲ୍ମରେ ଦୀପିକା ପାଦୁକୋନଙ୍କ ଦ୍ୱାରା ପିନ୍ଧା ଯାଇଥିବା ବିକିନୀ ସାଧୁସନ୍ଥ ଏବଂ ରାଷ୍ଟ୍ର ରଙ୍ଗ ଗେରୁଆକୁ ଠେସ୍‌ ପହଞ୍ଚାଇଛି। ଏହା ଦୁଃଖଦ କଥା’।

ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ୍‌’ ୨୫ ଜାନୁୟାରୀରେ ରିଲିଜ୍‌ ହେବାର ଅଛି। କିନ୍ତୁ ଏହା ପୂର୍ବରୁ ଫିଲ୍ମ ବିବାଦ ଘେରକୁ ଚାଲି ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.