ବଲିଉଡ୍‌ ସୁପରଷ୍ଟାରଙ୍କ ସାଇଡ୍‌ ବିଜନେସ: କିଙ୍ଗ ଖାନଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନାଙ୍କ ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ସବୁବେଳେ ଚର୍ଚ୍ଚା ହୁଏ ବଲିଉଡ୍‌ ସୁପର ଷ୍ଟାରଙ୍କ ରୋଜଗାର ବିଷୟରେ । ଫିଲ୍ମରେ ଅଭିନୟ ପାଇଁ ସେମାନେ ଲକ୍ଷରେ ନୁହେଁ କୋଟି କୋଟି ଟଙ୍କାର ପାରିଶ୍ରମିକ ନିଅନ୍ତି । କିଏ ଶହେ କୋଟି ତ ପୁଣି କିଏ ୫୦ରୁ ଅଶି କୋଟି । ଯିଏ ଯେତେବଡ଼ ଷ୍ଟାର ତାର ସେତେ ଭାଉ । ତେବେ ଏକଥା କମ ଲୋକ ଜାଣିଥିବେ ଯେ ଏହି ଷ୍ଟାରମାନେ କେବଳ ଫିଲ୍ମ ନୁହେଁ ବିଜ୍ଞାପନ ଏବଂ ନିଜ ବ୍ୟବସାୟରୁ ମଧ୍ୟ ଆହୁରି କୋଟି କୋଟି ଟଙ୍କା ରୋଜଗାର କରନ୍ତି ।

ଆପଣ ଜାଣିଥିବେ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ ସେମାନଙ୍କର ପ୍ରତ୍ୟେକ ଫିଲ୍ମ ପାଇଁ ଖୁବ୍ ମୋଟା ଅଙ୍କର ଟଙ୍କା ନିଅନ୍ତି। କିନ୍ତୁ ଏମିତି ଅନେକ ବଲିଉଡ ସେଲିବ୍ରିଟି ଅଛନ୍ତି ଯେଉଁମାନେକି ଅଭିନୟ ସହିତ ବ୍ୟକ୍ତିଗତ ଭାବେ ବ୍ୟବସାୟ ମଧ୍ୟ କରନ୍ତି । ସେହି ବ୍ୟବସାୟରୁ ସେମାନେ ଇନକମ କରନ୍ତି କୋଟି କୋଟି ଟଙ୍କା। ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ଠାରୁ ଆରମ୍ଭ କରି ଚକଲେଟ ହିରୋ ହ୍ରିତିକ ରୋଶନଙ୍କ ପର୍ଯ୍ୟନ୍ତ ଅନେକ ସୁପର ଷ୍ଟାର ଏହି ଲିଷ୍ଟରେ ଅଛନ୍ତି।

ପ୍ରଥମେ ଆସୁଛନ୍ତି ସଲମାନ ଖାନ । ବଲିଉଡର ଭାଇଜାନ ସଲମାନ ଖାନ ତାଙ୍କର ଗୋଟିଏ ଚଳଚ୍ଚିତ୍ର ବ୍ୟତୀତ ବିଜ୍ଞାପନରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି ଏହା ବ୍ୟତୀତ ସେ ନଜେ ମଧ୍ୟ ଫିଲ୍ମ ପ୍ରଯୋଜନା କରନ୍ତି। ସେଥିରୁ ବେଶ୍‌ କିଛି ଆୟ ହୁଏ । ଏହା ଛଡା ତାଙ୍କର ରହିଛି ପର୍ସନାଲ ବିଜନେସ । ନିଜର ବ୍ୟବସାୟ କହିବାକୁ ଗଲେ ତାଙ୍କର ନିଜସ୍ୱ ବ୍ରାଣ୍ଡର ଟି-ସାର୍ଟ ‘ବିଙ୍ଗ ହ୍ୟୁମାନ୍’ ମଧ୍ୟ ବହୁତ ଲୋକପ୍ରିୟ।

ଅନେକ ଥର ସେ ସୋସିଆଲ୍ ମିଡିଆ ମାଧ୍ୟମରେ ଏହାର ପ୍ରଚାର କରୁଥିବା ଦେଖାଯାଇଛି। ରିପୋର୍ଟ ମୁତାବକ ସଲମାନ ଖାନ ମଧ୍ୟ ଯାତ୍ରା ଡଟ୍ କମର ପାଞ୍ଚ ପ୍ରତିଶତ ଅଂଶୀଦାର ଅଟନ୍ତି। ଏହା ପରେ ଆସୁଛନ୍ତି ହ୍ରିତିକ ରୋଶନ । ବଲିଉଡର ମୋଷ୍ଟ ହ୍ୟାଣ୍ଡସମ ଏବଂ ଗୁଡ୍ ଲୁକ୍ ଅଭିନେତା ହ୍ରିତିକ ରୋଶନଙ୍କର ମଧ୍ୟ ନିଜସ୍ଵ ବ୍ୟବସାୟ ରହିଛି। ସେ ଫିଲ୍ମରେ ଅଭିନୟ କରିବା ସହିତ ଜଣେ ଭଲ ବ୍ୟବସାୟୀ ଭାବେ ମଧ୍ୟ ଜଣାଶୁଣା । ହ୍ରିତିକ ରୋଶନ ତାଙ୍କ ଫିଟନେସ ପାଇଁ ମଧ୍ୟ ଖୁବ୍ ଲୋକପ୍ରିୟ। ତାଙ୍କର ମୁମ୍ବାଇରେ ନିଜର ଏକ ଜିମ୍ ଅଛି । ପୁଣି ବାବେଙ୍ଗାଲୁରୁ ଠାରେ ଥିବା ଫିଟନେସ୍ ଜିମ୍ କ୍ୟୁରେଫିଟରେ ମଧ୍ୟ ତାଙ୍କର ସେୟାର ରହିଛି । ଏହା ବ୍ୟତୀତ ହ୍ରିତିକଙ୍କର ନିଜସ୍ୱ ଫ୍ୟାଶନ୍ ବ୍ରାଣ୍ଡ୍ HRX ଅଛି, ଯାହାର ଅଧିକାଂଶ ଭାଗ ସେ ମିନ୍ତ୍ରାକୁ ବିକ୍ରି କରିଛନ୍ତି ।

ଶାହାରୁଖ ଖାନ, ତାଙ୍କୁ କିଏ ବା ନଜାଣେ। ଶାହାରୁଖ କେବଳ ବଲିଉଡର ସୁପରଷ୍ଟାର ନୁହଁନ୍ତି ସେ ବି ଜଣେ ସଫଳ ବ୍ୟବସାୟୀ। ଶାହାରୁଖ ଆଇପିଏଲ ଦଳ କୋଲକାତା ନାଇଟ୍ ରାଇଡର୍ସର ସହମାଲିକ । ଏହା ସହ ସେ ୫୦୦ କୋଟି ଟର୍ଣ୍ଣଓଭର ର ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟର ସହ-ମାଲିକ ମଧ୍ୟ।

ସେହିପରି ଏହି ବ୍ୟବସାୟ ଦୁନିଆରେ ଅକ୍ଷୟ କୁମାର ମଧ୍ୟ ରହିଛନ୍ତି। ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ବଲିଉଡର ଜଣେ ସଫଳ ଅଭିନେତା ହେବା ସହ ଜଣେ ସଫଳ ଫାମିଲି ମ୍ୟାନ ମଧ୍ୟ । ଆଉ ତା ସହିତ ଯୋଡ଼ି ହୋଇ ଯାଇଛି ସଫଳ ବ୍ୟବସାୟୀର ଟ୍ୟାଗ୍‌ ।
PUBG ଖେଳ ବନ୍ଦ ହେବା ପରେ ଅକ୍ଷୟ କୁମାର FAU-G ନାମକ ଏକ ଅନଲାଇନ ଗେମ୍ ଆରମ୍ଭ କରିଥିଲେ । ଏହା ବ୍ୟତୀତ ସେ ୨୦୦୭ ମସିହାରେ ହରି ଓମ୍ ପ୍ରଡକ୍ସନ୍ସ ମଧ୍ୟ ଆରମ୍ଭ କରିଥିଲେ । ଯାହା ତାଙ୍କ ବାପାଙ୍କ ନାମରେ ନାମିତ ।
ସୁନ୍ଦରୀ ହିରୋଇନ୍‌ କ୍ୟାଟ୍ରିନା କୈଫ୍ ମଧ୍ୟ ନିଜର ବିଉଟି ବିଜନେସ ଆରମ୍ଭ କରିଥିଲେ। ସେଥିରେ ସଫଳ ବି ହୋଇଛନ୍ତି। ତାଙ୍କ ପ୍ରଡକ୍ଟ ନାଁ ହେଉଛି କେ ବାଇ କ୍ୟାଟ୍ରିନା।

ଏହା ପରେ ଭଲ ବ୍ୟବସାୟ କରୁଥିବା ସୁପର ଷ୍ଟାରଙ୍କ ମଧ୍ୟରେ ଅଛନ୍ତି ଅଜୟ ଦେବଗନ୍। ଲଗାତର ଭାବେ ହିଟ୍‌ ଫିଲ୍ମ ଦେଇ ଚାଲିଥିବା ବଲିଉଡର ସିଂହମ୍‌ ନିଜେ ଚଳଚ୍ଚିତ୍ର ପ୍ରଯୋଜନା ଓ ନିର୍ଦ୍ଦେଶନା କ୍ଷେତ୍ରରେ ଅଛନ୍ତି । ୨୦୦୦ ମସିହାରେ ସେ’ଅଜୟ ଦେବଗନ୍ ଫିଲ୍ମସ୍’ ନାମକ ଏକ ପ୍ରଡକ୍ସନ୍ ହାଉସ ଖୋଲିଥିଲେ। ଏହା ସହ ସେ ଏକ ଭିଏଫଏକ୍ସ ଷ୍ଟୁଡିଓର ମାଲିକ ମଧ୍ୟ । ଏକ ରିପୋର୍ଟ ଅନୁଯାୟୀ, ଅଜୟ ଦେବଗନ୍ ଗୁଜରାଟର ଏକ ଚାରଙ୍କା ସୋଲାର ପ୍ରୋଜେକ୍ଟ ‘ରୋହା ଗ୍ରୁପ୍’ରେ ନିଜ ଟଙ୍କା ବିନିଯୋଗ କରିଛନ୍ତି।

ଖାଲି ଏମାନେ ନୁହନ୍ତି, ବଲିଉଡ଼ର ଅନେକ ଅଭିନେତା ଓ ଅଭିନେତ୍ରୀ ବ୍ୟବସାୟ କ୍ଷେତ୍ରରେ ରହିଛନ୍ତି । ଏଥିରୁ ଭଲ ଆୟ ବି କରୁଛନ୍ତି । କାରଣ ସେମାନେ ଜାଣନ୍ତି ସିନେମା କ୍ଷେତ୍ରରେ ସବୁଦିନେ ତିଷ୍ଠି ରହିବା ସମ୍ଭବ ନୁହେଁ । ତେଣୁ ଭବିଷ୍ୟତ ପାଇଁ ଏଇ ବ୍ୟବସାୟ ହିଁ ସେମାନଙ୍କୁ ରୋଜଗାର ଦେବ । ସେଥିପାଇଁ ସେମାନେ ବ୍ୟବସାୟ ସହ ଫାର୍ମ ହାଉସ୍‌ ମଧ୍ୟ କିଣି ନେଇଛନ୍ତି । କେବଳ ଏବେକାର ଷ୍ଟାରମାନେ ନୁହନ୍ତି ପୂର୍ବର ତାରକାମାନେ ମଧ୍ୟ ବ୍ୟବସାୟରେ ସଂପୃକ୍ତ ଥିଲେ । ସେ ମିଲେନିୟମ ଷ୍ଟାର ଅମିତାଭ ବଚ୍ଚନ ହୁନ୍ତୁ ଅବା ଡିମ୍‌ ଗାର୍ଲ ହେମାମାଳିନୀ । ସିନେମା ଆର ଟଙ୍କାରେ ବିଭିନ୍ନ ବ୍ୟବସାୟ କରିଛନ୍ତି କିମ୍ବା କମ୍ପାନୀଗୁଡ଼ିକରେ ଅଂଶୀଦାର ଅଛନ୍ତି । ତେଣୁ ଏହି ଷ୍ଟାରମାନେ ସବୁଆଡୁ ମାଲାମାଲ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.