ଆଜି କିୟାରା-ସିଦ୍ଧାର୍ଥଙ୍କ ବିବାହ; ରାଜକୀୟ ଠାଣିରେ ପରସାଯିବ ଖାଦ୍ୟ,୧୦ ଦେଶର ୧୦୦ ବ୍ୟଞ୍ଜନ ମେନୁରେ ସାମିଲ

କିୟାରା ଆଡ୍‌ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ନିଜ ବିବାହକୁ ରାଜକୀୟ ଠାଣିରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ ପାଇଁ ସେମାନେ ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସକୁ ଚୟନ କରିଛନ୍ତି, ଯେଉଁଠି ଆଜି ଉଭୟେ ପରସ୍ପରର ଜୀବନସାଥୀ ହେବାକୁ ଯାଉଛନ୍ତି। ବିବାହର ସମସ୍ତ ଉତ୍ସବ ପାଇଁ ସୂର୍ଯ୍ୟଗଡ଼ ପ୍ୟାଲେସ୍‌କୁ ୪ରୁ ୮ ତାରିଖ ପର୍ଯ୍ୟନ୍ତ ବୁକ୍‌ କରାଯାଇଛି।

କିୟାରା ଓ ସିଦ୍ଧାର୍ଥଙ୍କ ବିବାହରେ ଖାଦ୍ୟର ମେନୁକୁ ମଧ୍ୟ ବହୁତ ଖାସ୍‌ ରଖାଯାଇଛି। ବିବାହରେ ଅତିଥିମାନଙ୍କୁ ୧୦ ଦେଶର ୧୦୦ରୁ ଅଧିକ ବ୍ୟଞ୍ଜନ ପରସାଯିବ। ମେନୁରେ ରହିଛି ଇଟାଲିୟନ୍‌, ଚାଇନିଜ୍‌, ଆମେରିକାନ୍‌, ସାଉଥ୍‌ ଇଣ୍ଡିଆନ, ମ୍ୟାକ୍ସିକାନ, ରାଜସ୍ଥାନୀ, ପଞ୍ଜାବୀ ଏବଂ ଗୁଜରାଟି ବ୍ୟଞ୍ଜନ। ମିଠାରେ ଜୈସଲମେରର ଘୋଟଓ୍ଵନ ଲଡ଼ୁକୁ ମଧ୍ୟ ସାମିଲ କରାଯାଇଛି।

ପଞ୍ଜାବୀ ପୁଅ ସିଦ୍ଧାର୍ଥ ପଞ୍ଜାବ ଏବଂ ଦିଲ୍ଲୀରୁ ଆସିଥିବା ନିଜ ଅତିଥିମାନଙ୍କର ଖାସ୍‌ ଧ୍ୟାନ ରଖିଛନ୍ତି। ସେମାନଙ୍କ ପାଇଁ ମସଲାଦାର ଖାଦ୍ୟର ବ୍ୟବସ୍ଥା କରାଯାଇଛି। ବିବାହରେ ୫୦ରୁ ଅଧିକ ଷ୍ଟଲ୍‌ ଲାଗିବ, ଯେଉଁଠି ୫୦୦ େଓ୍ଵଟର୍ସ ନିଜର ଡ୍ରେସ୍‌ କୋଡ୍‌ରେ ରହିବେ। ପ୍ରତ୍ୟେକ ଷ୍ଟଲ୍‌ରେ ୨ରୁ ୩ଟି ବ୍ୟଞ୍ଜନ ରଖାଯିବ। ସେହିପରି ଜଳଖିଆ ଏବଂ ଦ୍ୱିପ୍ରହର ଖାଦ୍ୟର ମେନୁରେ ମଧ୍ୟ ଅନେକ ପ୍ରକାରର ବ୍ୟଞ୍ଜନ ରହିବ।

କହି ରଖୁଛୁ, ସୋମବାର କପଲ୍‌ଙ୍କର ମେହେନ୍ଦୀ ଉତ୍ସବ ଧୁମ୍‌ଧାମରେ ସମ୍ପନ୍ନ ହୋଇଥିଲା। ଏଥିରେ ବଲିଉଡ୍‌ ସେଲିବ୍ରିଟି, ଖାସ୍‌ କରି କରଣ ଜୋହର, ଜୁହି ଚାଓ୍ଵଲା, ଶାହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ ପ୍ରମୁଖ ଉପସ୍ଥିତ ଥିଲେ। କିୟାରାଙ୍କ ହାତରେ ପ୍ରଥମେ ମେହେନ୍ଦୀ ଲଗାଯାଇଥିଲା ଏବଂ ପରେ ସିଦ୍ଧାର୍ଥଙ୍କର ପାଳି ପଡ଼ିଥିଲା।

ମିଳିଥିବା ସୂଚନା ମୁତାବକ, ସିଦ୍ଧାର୍ଥ ଓ କିୟାରାଙ୍କ ବିବାହର ରୀତିନୀତି ଆଜି ଦ୍ୱିପ୍ରହର ୩ଟା ପରେ ଆରମ୍ଭ ହେବ। ବିବାହ ପୂର୍ବରୁ ଉଭୟଙ୍କର ହଳଦୀ ଉତ୍ସବ ହେବ। କପଲ୍‌ଙ୍କର ହଳଦୀର ଇନ୍‌ସାଇଡ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।