ସିଦ୍ଧାର୍ଥ ଶୁକ୍ଳାଙ୍କ ବିଏମ୍‌ଡବ୍ଲ୍ୟୁ ଜବତ କଲା ମୁମ୍ବାଇ ପୋଲିସ, ଗୁରୁବାର ଘରକୁ ଫେରିବା ବେଳେ ଭାଙ୍ଗିଥିଲା କାରର ପଛ କାଚ

ଟେଲିଷ୍ଟାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁରେ ସାରା ଫିଲ୍ମ ଜଗତ ସ୍ତବ୍ଧ ହୋଇଯାଇଛି। ଗୁରୁବାର ସକାଳେ ହାର୍ଟ ଆଟାକ୍‌ରେ ତାଙ୍କ ମୃତ୍ୟୁ ହୋଇଥିବା କୁପର ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତେବେ ସିଦ୍ଧାର୍ଥଙ୍କର ଏଭଳି ଅଚାନକ ମୃତ୍ୟୁକୁ ତାଙ୍କ ଫ୍ୟାନ୍‌ମାନେ ଗ୍ରହଣ କରିପାରିନାହାନ୍ତି। ଏଣୁ ଏହା ପଛରେ ଆଉ କିଛି କାରଣ ଅଛି ବୋଲି କିଛି ଫ୍ୟାନ୍‌ ଟ୍ଵିଟ୍‌ କରି ମତ ପ୍ରକାଶ କରୁଛନ୍ତି। ତେବେ ଇତି ମଧ୍ୟରେ ଆଉ ଏକ ଖବର ଶୁଣିବାକୁ ମିଳୁଛି।

କୁହାଯାଉଛି ଯେ ଗୁରୁବାର ସନ୍ଧ୍ୟାରେ ସିଦ୍ଧାର୍ଥ ଘରକୁ ଫେରିବା ବେଳେ ତାଙ୍କ ବିଏମ୍‌ଡବ୍ଲ୍ୟୁ କାରର ପଛ କାଚ ଭାଙ୍ଗିଯାଇଥିଲା। କାରର କାଚ ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। କାର ଅବସ୍ଥା ଦେଖି ଆଶଙ୍କା କରାଯାଉଛି ଯେ ଗୁରୁବାର ରାତିରେ ସିଦ୍ଧାର୍ଥଙ୍କର କାହା ସହ ଝଗଡ଼ା ହୋଇଥାଇପାରେ। କିନ୍ତୁ କେଉଁ କାରଣରୁ କାରର ପଛ କାଚ ଭାଙ୍ଗିଛି ତାହା ଏବେ ଯାଏଁ ଜଣାପଡ଼ିନାହିଁ। ସିଦ୍ଧାର୍ଥଙ୍କର କାହା ସହ ଝଗଡ଼ା ହୋଇଥିଲା କି ଯେଉଁଥିପାଇଁ ସେ ଡିଷ୍ଟର୍ବ ଥିଲେ ବୋଲି କୁହାଯାଉଛି।

କିନ୍ତୁ ପରିବାର ପକ୍ଷରୁ ସେଭଳି କିଛି ହୋଇନଥିବା କୁହାଯାଇଛି। ଅନ୍ୟପଟେ ମୁମ୍ବାଇ ପୋଲିସ ସିଦ୍ଧାର୍ଥଙ୍କ କାରକୁ ଜବତ କରିଥିବା ସୂଚନା ମିଳିଛି। ତେବେ ସିଦ୍ଧାର୍ଥଙ୍କ ଶରୀରରେ ମଧ୍ୟ କୌଣସି କ୍ଷତ ନଥିବା ପୋଷ୍ଟମର୍ଟମରୁ ଜଣାଯାଇଛି। ତାଙ୍କର ମୃତ୍ୟୁ ହାର୍ଟ ଆଟାକ୍‌ରେ ହୋଇଛି ବୋଲି ସ୍ପଷ୍ଟ କରିଛି କୁପର ହସ୍ପିଟାଲ। ଆଜି ମୁମ୍ବାଇରେ ସିଦ୍ଧାର୍ଥଙ୍କ ଶେଷ କୃତ୍ୟ ହେବ ବୋଲି ପରିବାର ପକ୍ଷରୁ ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.