ସଲମାନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିବ ବଡ଼ ଉପହାର, ଆସୁଛି ‘ସିକନ୍ଦର’ର ଟିଜର୍

ବଲିଉଡର ଭାଇଜାନ୍ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମକୁ ପ୍ରଶଂସକମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରନ୍ତି । ଏବେ ଅଭିନେତା ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ସିକନ୍ଦର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମକୁ ନେଇ ପୂର୍ବରୁ ହିଁ ଫ୍ୟାନମାନଙ୍କ ମଧ୍ୟରେ ଢେର୍ ଏକ୍ସାଇଟମେଣ୍ଟ ରହିଛି । ବର୍ତ୍ତମାନ ନିର୍ମାତାମାନେ ‘ସିକନ୍ଦର’ର ଟିଜର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ।

ସାଜିଦ ନାଦିଆଡୱାଲାଙ୍କ ଫିଲ୍ମ ‘ସିକନ୍ଦର’କୁ ଏ.ଆର୍. ମୁରୁଗାଡୋସ୍ ନିର୍ଦ୍ଦେଶନା ଦେଇଛନ୍ତି । ସଲମାନ ଖାନ ଷ୍ଟାରର୍ ଏହି ଅପକମିଙ୍ଗ୍ ମେଗା ପ୍ରୋଜେକ୍ଟ ଘୋଷଣା ହେବା ପରଠାରୁ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ସାଜିଦ ନାଦିଆଡୱାଲା ସଲମାନଙ୍କ ଫ୍ୟାନମାନଙ୍କୁ ଖାସ୍ ଉପହାର ଭେଟି ଦେଇଛନ୍ତି ।

ପ୍ରକୃତରେ, ୨୦୨୪ ଡିସେମ୍ବର ୨୭ରେ ସଲମାନଙ୍କ ଜନ୍ମଦିନ ଅବସରରେ ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ଟିଜର ରିଲିଜ୍ ହେବ । ଏହା ସହିତ ଦର୍ଶକମାନଙ୍କୁ ‘ସିକନ୍ଦର’ର ପ୍ରଥମ ଝଲକ୍ ମିଳିଯିବ ।

ପିଙ୍କଭିଲ୍ଲାର ଏକ ରିପୋର୍ଟ ମୁତାବକ, ସଲମାନଙ୍କ ୫୯ତମ ଜନ୍ମଦିନରେ ‘ସିକନ୍ଦର’ ରୂପେ ଅଭିନେତାଙ୍କ ଫାର୍ଷ୍ଟ ଲୁକ୍ ପୋଷ୍ଟର ମଧ୍ୟ ଲଞ୍ଚ ହେବ । ଏହି ଚଳଚ୍ଚିତ୍ର ୨୦୧୪ର ଫିଲ୍ମ ‘କିକ୍’ ପରେ ସଲମାନ ଖାନ ଓ ସାଜିଦ ନାଦିଆଡୱାଲାଙ୍କ ରିୟୁନିୟନର ମାର୍କ । ତେବେ ଟିଜର ପାଇଁ ବର୍ତ୍ତମାନ ଏଡିଟିଙ୍ଗ୍ କାମ ଜୋରସୋରରେ ଚାଲିଥିବା ବେଳେ ଆକ୍ସନ, ମନୋରଞ୍ଜନରେ ଭରପୂର ଏହି ଫିଲ୍ମ ଆସନ୍ତା ବର୍ଷ ଇଦ୍ ଅବସରରେ ସିନେମାଘରେ ମୁକ୍ତିଲାଭ କରିବ ।

ସିକନ୍ଦରରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ଅଛନ୍ତି । ଫିଲ୍ମର ସୁଟ୍ ଶେଷ କରିବା ପରେ ସଲମାନ ‘ଜବାନ’ ନିର୍ଦ୍ଦେଶକ ଏଟଲିଙ୍କ ଫିଲ୍ମରେ କାମ କରିବା ଆରମ୍ଭ କରିବେ । ଏହି ଫିଲ୍ମର ଟାଇଟଲ୍ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ ।