ଲାଇଭ୍ ଶୋ’ ବେଳେ ଅସୁସ୍ଥ ହେଲେ ମୋନାଲି ଠାକୁର, ବନ୍ଦ କଲେ ପରଫର୍ମାନ୍ସ, ପ୍ରଶଂସକଙ୍କୁ ମାଗିଲେ କ୍ଷମା

ଶୋ’ ମଝିରେ ଅସୁସ୍ଥ ହେଲେ ବଲିଉଡ୍ ସିଙ୍ଗର ମୋନାଲି ଠାକୁର । ଲାଇଭ୍ ପରଫର୍ମାନ୍ସ ବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ନିଶ୍ଵାସ ନେବାରେ ସମସ୍ୟା ହେବାରୁ ମୋନାଲି ଅଧାରୁ ଶୋ’ ଛାଡ଼ିଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପ୍ରଥମେ ମୋନାଲିଙ୍କୁ ଦିନହାଟାର ବେସରକାରୀ ହସ୍ପିଟାଲ ନିଆଯାଇଥିଲା । ସେଠାରୁ ତାଙ୍କୁ କୁଚବିହାରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିଛି ସମୟ ପରେ ମୋନାଲି ନିଜକୁ ସୁସ୍ଥ ଅନୁଭବ କରିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।
ସୂଚନା ଯେ ମୋନାଲି ଠାକୁର ପଶ୍ଚିମବଙ୍ଗର ଦିନହାଟା ଫେଷ୍ଟିଭାଲରେ ଲାଇଭ୍ ପ୍ରଦର୍ଶନ କରୁଥିବା ବେଳେ ଏପରି ଘଟିଥିଲା । ମଙ୍ଗଳବାର ରାତିରେ ସେ ଫେଷ୍ଟିଭାଲର ମୁଖ୍ୟ ଆକର୍ଷଣ ଥିଲେ । ତାଙ୍କରି ଅପେକ୍ଷାରେ କୁଚବିହାର ଓ ଦିନହାଟାର ଶହ ଶହ ପ୍ରଶଂସକ ସନ୍ଧ୍ୟାରୁ ଭିଡ଼ ଜମାଇଥିଲେ । ଫେସବୁକରେ ମଧ୍ୟ ମୋନାଲିଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଗୀତ ଗାଉଥିବା ବେଳେ ବେହୋଶ୍ ଅବସ୍ଥାକୁ ଚାଲି ଆସୁଥିବା ଦେଖିବାକୁ ମିଳୁଛି । ଗାଉଥିବା ବେଳେ ହଠାତ୍ ସେ ଅଟକି ଯାଉଛନ୍ତି । ଏହାପରେ ନିଜ ଫ୍ୟାନମାନଙ୍କୁ କ୍ଷମା ମାଗି କହୁଛନ୍ତି, ମୁଁ ଅସୁସ୍ଥ । ତେଣୁ ଆଗକୁ ପରଫର୍ମାନ୍ସ କରିପାରିବି ନାହିଁ ।
ତାଙ୍କ ଭଉଣୀ ମେହୁଲ ଠାକୁର କହିଛନ୍ତି, ମୋନାଲି ଅସୁସ୍ଥ ଥିବା ସତ୍ତ୍ୱେ ସେ ପରଫର୍ମାନ୍ସ କରିବାକୁ ଆସିଥିଲେ । ମାସ ମାସ ହେବ ସେ ବିଭିନ୍ନ ରାଜ୍ୟରେ ଶୋ’ କରୁଛନ୍ତି । ଏହି କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲେ । ମଙ୍ଗଳବାର ସେ ଛୋଟ ପ୍ଲେନରେ କୁଚବିହାର ଯାଇଥିଲେ । ସେତେବେଳୁ ସେ ଅସହଜ ଅନୁଭବ କରିବା ଆରମ୍ଭ କରିଦେଇଥିଲେ । କାରଣ, ପ୍ଲେନ ଭିତରେ ଏୟାର ପ୍ରେସରକୁ ନିୟନ୍ତ୍ରଣ କରିବାର ଉପକରଣ ନ ଥିଲା । ତାଙ୍କର ମାଇଗ୍ରେନ୍ ଆରମ୍ଭ ହୋଇଯାଇଥିଲା । ଯେମିତି ପ୍ରକାରେ ସେ ଡେଷ୍ଟିନେସନରେ ପହଞ୍ଚିଥିଲେ, କିନ୍ତୁ ପରଫର୍ମାନ୍ସ କରିବା ପୂର୍ବରୁ ଅସୁସ୍ଥ ହୋଇପଡ଼ିଥିଲେ । ଏଥିପାଇଁ ସେ ଷ୍ଟେଜରୁ ଓହ୍ଲାଇ ଆସିଥିଲେ ।
ମୋନାଲି ଏବେ ମୁମ୍ବାଇ ଫେରି ଆସିଛନ୍ତି । କିଛି ଦିନ ପାଇଁ ସେ ବିଶ୍ରାସ କରିବେ ବୋଲି ମେହୁଲ କହିଛନ୍ତି ।