ସିବିଆଇ ହାତକୁ ଗଲା ସୋନାଲି ଫୋଗଟ୍‌ ହତ୍ୟା ମାମଲା! ବୟାନ ଦେଲେ ଗୋଆ ମୁଖ୍ୟମନ୍ତ୍ରୀ…

ସୋନାଲି ଫୋଗଟ୍‌ ହତ୍ୟା ମାମଲାରେ ବଡ଼ କଥା ସାମ୍ନାକୁ ଆସିଛି। ଏବେ ଏହି ମାମଲାର ତଦନ୍ତ କରିବ ସିବିଆଇ। ଏ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତଙ୍କ ବୟାନ ସାମ୍ନାକୁ ଆସିଛି। କହି ରଖୁଛୁ କି, ଅନେକ ଦିନରୁ ସିବିଆଇ ଏହି ମାମଲାକୁ ତଦନ୍ତ କରୁ ବୋଲି ଦାବି ହୋଇ ଆସୁଥିଲା। ଏ ସମ୍ପର୍କରେ ହରିୟାଣା ସରକାର ମଧ୍ୟ ପତ୍ର ଲେଖିଥିଲେ। ଏବେ ସିବିଆଇ ତଦନ୍ତ କଲେ ମାମଲାର ରହସ୍ୟ ଉନ୍ମୋଚିତ ହୋଇପାରିବ।

କିଛି ଦିନ ତଳେ ସୋନାଲି ଫୋଗଟ୍‌ ହତ୍ୟା ମାମଲାରେ ହରିୟାଣାର ଖାପ୍‌ ପଞ୍ଚାୟତ ୨୩ ସେପ୍ଟେମ୍ବର ସୁଦ୍ଧା ଅଲ୍ଟିମେଟମ୍‌ ଦେଇଥିଲା ଏବଂ ୨୪ ସେପ୍ଟେମ୍ବରରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଥିଲା। ଏହାପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗ ଉପରେ ପୁନଃ ସିବିଆଇ ଯାଞ୍ଚ ପାଇଁ ଗୋଆ ସରକାରଙ୍କୁ ଅନୁରୋଧ କରିଥିଲେ। ସେ ପୂର୍ବରୁ ବୟାନ ଦେଇଥିଲେ ଯେ ଯଦି ପରିବାର ଲୋକେ ଗୋଆ ପୋଲିସର ତଦନ୍ତରେ ସନ୍ତୁଷ୍ଟ ହେବେ ନାହିଁ, ତା’ ହେଲେ ଗୋଆ ସରକାର ମାମଲାକୁ ସିବିଆଇକୁ ହସ୍ତନ୍ତର କରିବେ।

ତେବେ ଗୋଆ ସିଏମ୍‌ ପ୍ରମୋଦ ସାଓ୍ଵନ୍ତ ନିଶ୍ଚିତ କରିଛନ୍ତି କି, ସୋନାଲି ଫୋଗଟଙ୍କ ପିଏ ସୁଧୀର ସାଙ୍ଗଓ୍ଵାନ ଓ ସୁଖବିନ୍ଦରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଲାଗିଛି। ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରି ଦିଆଯାଇଛି। ଏବେ ସିବିଆଇ ମାମଲାର ତଦନ୍ତ କରିବ। ଏହି ମାମଲାରେ ଗୋଆ ପୋଲିସ ଏ ପର୍ଯ୍ୟନ୍ତ ୩ ଥର ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସାରିଲାଣି, ହେଲେ ୧୪ ଦିନିଆ ରିମାଣ୍ଡରେ ପୋଲିସ ସେମାନଙ୍କୁ କ’ଣ ପଚରାଉଚରା କରିଛି, ସେ ବିଷୟରେ କିଛି ସ୍ପଷ୍ଟ କରିନାହିଁ। ସେପଟେ ଖୋଦ୍‌ ସୋନାଲିଙ୍କ ଝିଅ ଯଶୋଧାରା ବି ଟ୍ଵିଟ୍‌ କରି ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ଦାବି କରିଛନ୍ତି।

ସୂଚନାଥାଉ କି, ପୂର୍ବରୁ ସୋନାଲିଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତରୁ ଜଣାପଡ଼ିଥିଲା ଯେ ଅଭିନେତ୍ରୀଙ୍କ ମୃତ୍ୟୁ ହୃଦଘାତରେ ହୋଇନାହିଁ, ବରଂ ତାଙ୍କ ପିଏ ଓ ଘନିଷ୍ଠ ସହଯୋଗୀଙ୍କର ଏହା ଥିଲା ସୁପରିକଳ୍ପିତ ଷଡ଼ଯନ୍ତ୍ର। ପରେ ସୋନାଲିଙ୍କର ଜଣେ ଘନିଷ୍ଠ ବନ୍ଧୁ ଦାବି କରିଥିଲେ କି, ପିଏ ସୁଧୀର ସାଙ୍ଗଓ୍ଵାନ ସୋନାଲିଙ୍କ ଉପରେ ଗୁଣିଗାରେଡ଼ି କରୁଥିଲେ।

ସୋନାଲିଙ୍କ ବନ୍ଧୁ ଋଷଭ ବେନିଓ୍ଵାଲ କହିଥିଲେ, ସୁଧୀର, ସୋନାଲିଙ୍କୁ ବଶୀଭୂତ କରି ରଖିବା ପାଇଁ ତନ୍ତ୍ରବିଦ୍ୟା ଉପଯୋଗ କରୁଥିଲେ। ଏଥିପାଇଁ ସେ ବାରମ୍ବାର ସୋନାଲିଙ୍କ ଫାର୍ମ ହାଉସ୍‌କୁ ଜଣେ ତାନ୍ତ୍ରିକକୁ ଡକାଉଥିଲେ। ଏତିକି ନୁହେଁ, ସୋନାଲିଙ୍କ ଝିଅ ପ୍ରତି ମଧ୍ୟ ସୁଧୀରଙ୍କଠାରୁ ବିପଦ ରହିଛି ବୋଲି ଋଷଭ କହିଥିଲେ।

ପୋଲିସ ତଦନ୍ତ ବେଳେ ରେଷ୍ଟୁରାଣ୍ଟର ଯେଉଁ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଥିଲା, ସେଥିରେ ସୁଧୀର, ସୋନାଲିଙ୍କୁ ଜବରଦସ୍ତି ବୋତଲରେ କିଛି ପିଆଉଥିବାର ଦେଖିବାକୁ ମିଳିଥିଲା, ଯାହାକୁ ପିଇବା କ୍ଷଣି ସୋନାଲି ଥୁକି ଦେଇଥିଲେ। ଅନ୍ୟ ଏକ ଭିଡିଓରେ ସୁଧୀର, ସୋନାଲିଙ୍କୁ କେଉଁଆଡ଼େ ନେଇଯାଉଥିବାର ଦେଖାଯାଇଥିଲା। ପୋଲିସ ସୂଚନା ମୁତାବକ, ସୋନାଲି ଫୋଗଟ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ବହୁତ ପୂର୍ବରୁ ହିଁ ରଚା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.