ଗରିବ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଥିବା ଅଭିନେତା ସୋନୁ ସୁଦ୍ ଏଥିରକ ଏକ ଭୁଲ କରି ଚର୍ଚ୍ଚାରେ ଅଛନ୍ତି। ବିଏମ୍ସି ଏକ ୬ ତାଲା ବିଲ୍ଡିଂକୁ ହୋଟେଲରେ ପରିବର୍ତ୍ତନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିଏମ୍ସି ତରଫରୁ କୁହାଯାଇଛି, ସୋନୁ କୌଣସି ଅନୁମତି ନ ନେଇ ଏଭଳି କରିଛନ୍ତି। ବିଏମ୍ସି ପକ୍ଷରୁ ପୋଲିସରେ ରୁଜୁ କରାଯାଇଥିବା ଅଭିଯୋଗରେ କୁହାଯାଇଛି, ସୋନୁ ସୁଦ୍ଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ୍ ଆଣ୍ଡ ଟାଉନ୍ ପ୍ଲାନିଂ ଆକ୍ଟ ଅନ୍ତର୍ଗତ ଆକ୍ସନ୍ ନିଆଯିବା ଆବଶ୍ୟକ। ସୋନୁ ସୁଦ୍ଙ୍କ ଉପରେ ବିଲ୍ଡିଂକୁ ବଢ଼ାଇବା, ବଦଳାଇବା ଓ ବ୍ୟବହାର କରିବାରେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି।
ତେବେ ଏହି ମାମଲାରେ ସୋନୁ ସୁଦ୍ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସେ ପୂର୍ବରୁ ହିଁ ବିଏମ୍ସିଠାରୁ ୟୁଜର ଚେଞ୍ଜ ପାଇଁ ଅନୁମତି ନେଇଥିଲେ ଓ ଏବେ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟିଙ୍କ ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି।
ବିଏମ୍ସି ତରଫରୁ ୪ ଜାନୁଆରୀରେ ଜୁହୁ ପୋଲିସ ଷ୍ଟେସନ୍ରେ ରୁଜୁ କରାଯାଇଥିବା ଅଭିଯୋଗରେ କୁହାଯାଇଛି ଯେ ସୋନୁ ସୁଦ୍ଙ୍କ ଏବି ନାୟାର ରୋଡସ୍ଥିତ ଶକ୍ତି ସାଗର ବିଲ୍ଡିଂକୁ ବିନା ଅନୁମତିରେ ହୋଟେଲରେ ପରିବର୍ତ୍ତିନ କରିଛନ୍ତି। ନିୟମ ମୁତାବକ ଶକ୍ତି ସାଗର ଏକ ଆବାସିକ କୋଠା। ଏହାକୁ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। କେବଳ ଏତିକି ନୁହେଁ, ସୋନୁ ସୁଦ୍ଙ୍କ ବିରୋଧରେ ବିଏମ୍ସି ନୋଟିସ୍କୁ ମଧ୍ୟ ଅଣଦେଖା କରିବା ଅଭିଯୋଗ ହୋଇଛି।