ଦୁଇ ଝିଅଙ୍କୁ ଲଙ୍ଗଳରେ ଯୋଚି ଚାଷ କରୁଥିଲେ ଚାଷୀ, ଭିଡିଓ ଦେଖି ସୋନୁ ଘରକୁ ପଠାଇଲେ ଟ୍ରାକ୍ଟର

କରୋନା ମହାମାରୀ ଯୋଗୁଁ ବିଶ୍ୱରେ ବିଭିନ୍ନ ପ୍ରକାରର ମାନ୍ଦାବସ୍ଥା ଚାଲିଛି। କିନ୍ତୁ ଏହି ସମୟରେ ସୋନୁ ସୁଦଙ୍କର ଏକ ଅଲଗା ରୂପ ଦେଖିବାକୁ ମିଳିଛି। ଯେଉଁଥିପାଇଁ ସୋନୁ ଚର୍ଚ୍ଚାର ପାତ୍ର ହୋଇଛନ୍ତି। ଏମିତି ପୁଣି ମହାନତାର କାମ କରି ପ୍ରଶଂସା ସାଉଁଟିଛନ୍ତି ସୋନୁ।

କରୋନା କାଳରେ ଜମି ହଳ ପାଇଁ ବଳଦ କିଣିବା ପାଇଁ ବାପାଙ୍କ ପାଖରେ ଟଙ୍କା ନଥିବାରୁ ଦୁଇଝିଅ ବଳଦ ଭଳି କାମ କରୁଥିବାର ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ବାପାଙ୍କ କାନ୍ଧରେ ବୋଝ ନହୋଇ ତାଙ୍କ ବୋଝକୁ କମ୍‌ କରିବା ପାଇଁ ଦୁଇ ଝିଅଙ୍କ ଏଭଳି କାମକୁ ଅନେକ କ୍ଷେତ୍ରରେ ପ୍ରଶଂସା ବି କରାଯାଇଥିଲା। ତେବେ ଦୁଇଝିଅ ବଳଦ ଭଳି କାମ କରୁଥିବାର ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ପରେ ଏହି ଚାଷୀ ପରିବାରକୁ ସୋନୁ ସୁଦ ବଢାଇଛନ୍ତି ସହାୟତାର ହାତ । ଏହା ପରେ ସୋନୁ ଏହି ଗରିବ ଅଭାବୀ ଶ୍ରମିକଙ୍କ ପରିବାରକୁ ଏକ ନୂଆ ଟ୍ରାକ୍ଟର ଉପହାର ଭାବେ ପଠାଇ ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାରେ ବସବାସ କରୁଥିବା ନାଗେଶ୍ୱର ରାଓଙ୍କ ଚା’ ଦୋକାନଟିଏ ଥିଲା। ଏଥିରୁ ଯେତିକି ରୋଜଗାର ହୋଇଥାଏ ସେଥିରେ ତାଙ୍କ ପରିବାର ୪ ପ୍ରାଣୀ ଚଳି ଥାଆନ୍ତି। କିନ୍ତୁ ଲକଡାଉନ ପରେ ଲୋକ ବାହାରକୁ ବାହାରିବା କମ କରିବା ପରେ ତାଙ୍କ ବେପାର ମାନ୍ଦା ହୋଇଗଲା। ପରେ ଚା’ ଦୋକାନ ଖୋଲିଲେ ବି ସେମିତି କିଛି ରୋଜଗାର ନହେବାରୁ ନାଗେଶ୍ୱର ରାଓଙ୍କ ଦୋକାନ ଗତ ୩ ମାସ ହେବ ବନ୍ଦ ରହିଛି। ପରିବାର ଚଳାଇବା ପାଇଁ ନାଗେଶ୍ୱର ଶେଷରେ ଚାଷ କାମ କରି ଦୁଇ ପଇସା ରୋଜଗାର କରିବେ ବୋଲି ଭାବିଥିଲେ।

ଚାଷ ପାଇଁ ନାଗେଶ୍ୱରଙ୍କ ପାଖରେ କିଛି ନଥିଲା। ପାଖରେ ନଥିଲା ସାର କି ହଳ କରିବାକୁ ବଳଦ। ଏପଟେ ନୂଆ ବଳଦ କିଣିବା ପାଇଁ ତାଙ୍କ ପାଖରେ ସେତିକି ଅର୍ଥ ବି ନଥିଲା। ବାପାଙ୍କ ଏଭଳି ଅସହାୟ ଅବସ୍ଥାକୁ ଦେଖି ଦୁଇ ଝିଅ ଭେନେଲା ଓ ଚନ୍ଦନା ଜମିରେ ଚାଷ ପାଇଁ ଅଣ୍ଟା ଭିଡିଥିଲେ। ଦୁହେଁ ଜମିରେ ବଳଦ ବଦଳରେ କାନ୍ଧରେ ଜୁଆଳି ପକାଇ ହଳ କରିବା ଆରମ୍ଭ କରିଦେଇଥିଲେ। ଯାହାର ଭିଡିଓ ଭାଇରଲ ହେବା ପରେ ସୋନୁ ସେମାନଙ୍କ ଘରୁ ଏକ ନୂଆ ଟ୍ରାକ୍ଟର ପଠାଇଛନ୍ତି। ସୋନୁଙ୍କ ଏପରି କାର୍ଯ୍ୟ ଦେଖିଲା ପରେ ଆନ୍ଧ୍ରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଏହି ଦୁଇ ଝିଅଙ୍କୁ ମାଗଣାରେ ଶିକ୍ଷା ଦେବା ପାଇଁ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.