ଟ୍ରେନ୍ ଡୋର୍ରେ ଲଟକି ବିପଜ୍ଜନକ ଯାତ୍ରା କରୁଥିଲେ ସୋନୁ ସୁଦ୍; ରେଲୱେର ତାଗିଦ ପରେ ଏହି କହି କ୍ଷମା ମାଗିଲେ ଅଭିନେତା
ଟ୍ରେନର ଫୁଟବୋର୍ଡରେ ବସି ଯାତ୍ରା କରିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ଉତ୍ତର ରେଲେଓ୍ଵ ତାଙ୍କୁ ତାଗିଦ କରିଛି। ରେଲେଓ୍ଵ କହିଛି ଯେ ଏମିତି ଯାତ୍ରା କରିବା ବିପଜ୍ଜନକ ହୋଇପାରେ। ଦୟାକରି ଏହା କରନ୍ତୁ ନାହିଁ, କାରଣ, ଲୋକଙ୍କ ପାଖକୁ ଏହାର ଭୁଲ ବାର୍ତ୍ତା ଯିବ, ଯାହାପରେ ଅଭିନେତା ତୁରନ୍ତ କ୍ଷମା ପ୍ରାର୍ଥନା କରିଥିଲେ।
ସୋନୁ ସୁଦ ୧୩ ଡିସେମ୍ବରରେ ଟ୍ୱିଟର ଏବଂ ଫେସବୁକରେ ଏକ ଭିଡିଓ ସେୟାର କରିଥିଲେ, ଯାହାର ବ୍ୟାକ୍ଗ୍ରାଉଣ୍ଡରେ ବଲିଉଡର ଫେମସ୍ ଗୀତ ‘ମୁସାଫିର୍ ହୁଁ ୟାରୋଁ’ ଚାଲିଥିଲା ଏବଂ ସୋନୁ ସୁଦ ଟ୍ରେନର ଫୁଟବୋର୍ଡରେ ବସି ଯାତ୍ରା କରୁଥିବା ନଜର ଆସିଥିଲେ। ଉତ୍ତର ରେଲୱେ ୩ ଜାନୁଆରୀରେ ସୋନୁଙ୍କ ଟ୍ଵିଟ୍କୁ ରିଟ୍ୱିଟ କରି କହିଛି ଯେ ‘ପ୍ରିୟ ସୋନୁ ସୁଦ, ଦେଶ ଏବଂ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆପଣ ଜଣେ ଆଦର୍ଶ। ଟ୍ରେନ୍ ଫୁଟ୍ବୋର୍ଡରେ ବସି ଯାତ୍ରା କରିବା ବିପଜ୍ଜନକ। ଏ ପ୍ରକାରର ଭିଡିଓରୁ ଆପଣଙ୍କ ପ୍ରଶଂସକଙ୍କ ପାଖକୁ ଭୁଲ ବାର୍ତ୍ତା ଯାଇପାରେ। ଦୟାକରି, ଏମିତି କରନ୍ତୁ ନାହିଁ। ସୁଗମ ଏବଂ ନିରାପଦ ଯାତ୍ରାର ଆନନ୍ଦ ଉଠାନ୍ତୁ’।
ଏହି ମାମଲାରେ ସୋନୁ ସୁଦ ୫ ଜାନୁଆରୀରେ ରେଲେଓ୍ଵକୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି କି, ‘କ୍ଷମା ମାଗୁଛି। ଟ୍ରେନ ଡୋର୍ରେ ଏମିତି ହିଁ ବସି ଯାଇଥିଲି। ମୁଁ ଦେଖିବାକୁ ଚାହୁଁଥିଲି ଯେ କେମିତି ଅନୁଭବ କରୁଥିବେ, ସେହି ଲକ୍ଷ ଲକ୍ଷ ଗରିବ, ଯେଉଁମାନଙ୍କ ଜୀବନ ଏବେ ବି ଟ୍ରେନ୍ର ଡୋର୍ ପାଖରେ ହିଁ ବିତୁଛିି’। ଏହାପରେ ଅଭିନେତା ରେଲେଓ୍ଵକୁ ପ୍ରଶଂସା ମଧ୍ୟ କରିଥିଲେ। ସେ କହିଥିଲେ, ଦେଶର ରେଳ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଧନ୍ୟବାଦ।
ସୋନୁଙ୍କ ଭିଡିଓକୁ ଟ୍ଵିଟରରେ ୬ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିଛନ୍ତି। ଶହ ଶହ ଲୋକ ଏହାକୁ ରିଟ୍ୱିଟ କରିଛନ୍ତି। ଫେସବୁକରେ ପାଖାପାଖି ୨ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଥିବା ବେଳେ ୪ ହଜାରରୁ ଅଧିକ ଲୋକ କମେଣ୍ଟ କରିଛନ୍ତି। କିଛି ଲୋକ କମେଣ୍ଟରେ ତାଙ୍କୁ ସତର୍କ ରହିବାକୁ ମଧ୍ୟ କହିଥିଲେ।
— sonu sood (@SonuSood) December 13, 2022