ବଲିଉଡ୍ରେ ସୌରଭ ଗାଙ୍ଗୁଲିଙ୍କ ଜୀବନ କାହାଣୀ! ଖୁବ୍ଶୀଘ୍ର ନିର୍ମାଣ ହେବ ବାୟୋପିକ୍ ‘ଦାଦାଗିରି’
ବିଗତ କିଛିଦିନରୁ ବଲିଉଡ୍ରେ ସ୍ପୋର୍ଟସ୍ ବାୟୋପିକ୍ର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ ଏମ୍ଏସ୍ ଧୋନୀଙ୍କ ବାୟୋପିକ୍ ଦର୍ଶକଙ୍କ ଦ୍ୱାରା ଖୁବ୍ ଆଦୃତ ହୋଇଥିଲା। ଏହାଛଡ଼ା ‘ଦଙ୍ଗଲ’, ‘ମେରି କମ୍’, ‘ଭାଗ୍ ମିଲ୍କା ଭାଗ୍’, ‘ସୁରମା’, ‘ଗୋଲ୍ଡ’ ଭଳି ସ୍ପୋର୍ଟସ୍ ଆଧାରିତ ଫିଲ୍ମଗୁଡ଼ିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ତେବେ ବର୍ତ୍ତମାନ ଖବର ଆସୁଛି ଯେ ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ମଧ୍ୟ ବାୟୋପିକ୍ ତିଆରି ହୋଇପାରେ।
ପ୍ରଡ୍ୟୁସର ତଥା ଡାଇରେକ୍ଟର କରଣ ଜୋହର କିଛି ଦିନ ପୂର୍ବରୁ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କୁ ଭେଟିଥିଲେ। ଏହି ସମୟରେ ଗାଙ୍ଗୁଲିଙ୍କ ଉପରେ ବାୟୋପିକ୍ ବନାଯିବା ନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା କୁହାଯାଉଛି। ସମସ୍ତେ ଜାଣନ୍ତି, ସୌରଭ ଗାଙ୍ଗୁଲିଙ୍କୁ ‘ଦାଦା’ ନାଁରେ ଡକାଯାଇଥାଏ। ଏଥିପାଇଁ ଫିଲ୍ମର ନାଁ ‘ଦାଦାଗିରି’ ରଖାଯାଇପାରେ ବୋଲି ଅନୁମାନ କରାଯାଉଛି।