ଆତ୍ମହତ୍ୟା କଲେ ତାମିଲ ଅଭିନେତ୍ରୀ ୟାସିକା , ମା’ଙ୍କୁ ହ୍ବାଟସ୍ ଆପ୍ ରେ ପଠାଇଲେ ସୁଇସାଇଡ୍ ନୋଟ୍

ସାଉଥ ଫିଲ୍ମ ଏବଂ ଟିଭି ସିରିଏଲରେ ନିଜର ଆକ୍ଟିଙ୍ଗି ଦ୍ବାରା ଲକ୍ଷ ଲକ୍ଷ ଲୋକମାନଙ୍କର ମନରେ ଜାଗା କିଣିପାରିଥିବା ସାଉଥ୍ ଅଭିନେତ୍ରୀ ୟାସିକା ଆକା ମରୀ ସିଲା ଜବରାନି ଆତ୍ମହତ୍ୟା କରିଛନ୍ତି। ଚେନ୍ନାଇ ସ୍ଥିତ ପରିଭାଲୁରର ନିଜସ୍ବ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ୟାସିକା ସୁଇସାଇଡ୍ କରିବା ପୂର୍ବରୁ ହ୍ବାଟସ୍ଆପ ମାଧ୍ୟମରେ ତାଙ୍କ ମା’ଙ୍କ ପାଖକୁ ସୁଇସାଇଡ୍ ନୋଟ ପଠାଇଥିଲେ। ଯେଉଁଥିରେ ସେ ତାଙ୍କର ଜୀବନସାଥୀ ମୋହନ ବାବୁଙ୍କ ଉପରେ ଅତ୍ୟାଚାରର ଆରୋପ ଲଗାଇଥିଲେ।। ଖବର ମୁତାବକ ୟାସିକା ପଙ୍ଖାରେ ଫାଶୀ ଦେଇ ସୁଇସାଇଡ୍ କରିଛନ୍ତି।
ଖବର ମୁତାବିକ, ୟାସିକା ଏବଂ ମୋହନ ବାବୁ ବଡ଼ାପଲାନୀର ଏକ ହୋଟେଲରେ ରହୁଥିବା ସମୟରେ ତାଙ୍କର ଭଲପାଇବା ଆରମ୍ଭ ହୋଇଥିଲା। କିଛି ମାସ ପରେ ଏହି ଦୁଇଜଣ ଜିକେଏମ କଲୋନୀର ପରିଭାଲୁରରେ ଏକ ଘର କିଣି ସେଠାରେ ରହୁଥିଲେ। କିଛି କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ରାଗରେ ମୋହନ ଘର ଛାଡ଼ି ପଳାଇଥିଲେ।
ମା‘ଙ୍କୁ ପଠାଇଥିବା ହ୍ବାଟସ୍ଆପ ମେସେଜରେ ୟାସିକା କହିଛନ୍ତି ମୋହନ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ଏବଂ ସେ ର୍ତାଙ୍କୁ ଅତ୍ୟାଚାର କରୁଥିଲେ। ସେ ତାଙ୍କ ମା’ଙ୍କୁ ମୋହନଙ୍କୁ କଠୋର ଦଣ୍ଡ ଦେବା ପାଇଁ କହିଛନ୍ତି। ଏହି ଘଟଣା ପରେ ୟାସିକାଙ୍କ ମା’ ପୋଲିସରେ ମାମଲା ରୁଜୁ କରିଛନ୍ତି। ପୋଲିସର କହିବାନୁଯାୟୀ ମାମଲା ରୁଜୁ ହେବାପରେ ମୋହନଙ୍କର ତଲାସି ଚାଲିଛି। ଏହା ସହିତ ୟାସିକାଙ୍କ ଆତ୍ମହତ୍ୟା ପଛର କାରଣ କଣ ରହିଛି ତାହାର ତଦନ୍ତ ଚାଲିଛି।