ସାଉଥ୍ ସିନେମାର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଶାଫିଙ୍କ ଦେହାନ୍ତ, ୫୬ ବର୍ଷରେ ନେଲେ ଶେଷ ନିଶ୍ୱାସ

ସାଉଥ୍ ସିନେମାର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ଶାଫି ଆଉ ନାହାନ୍ତି । ମାଲାୟାଲମ୍ ଫିଲ୍ମ ନିର୍ଦ୍ଦେଶକ ଶାଫିଙ୍କର ୫୬ ବର୍ଷ ବୟସରେ ଗତକାଲି କୋଚିରେ ଦେହାନ୍ତ ହୋଇଛି । ତାଙ୍କୁ ୧୬ ତାରିଖରେ ଷ୍ଟ୍ରୋକ୍ ଆସିଥିଲା । ସେବେଠାରୁ ସେ ହସ୍ପିଟାଲରେ ଥିଲେ । ଶାଫିଙ୍କର ହଠାତ୍ ଦେହାନ୍ତରେ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ଶୋକର ଛାଇ ଖେଳିଯାଇଛି ।
ନ୍ୟୁରୋ ସର୍ଜିକାଲ୍ ଆଇସିୟୁରେ ଶାଫି ଚିକିତ୍ସିତ ହେଉଥିଲେ । ତାଙ୍କ ଦେହାନ୍ତରେ ସମବେଦନା ଜଣାଇ ପୃଥ୍ଵୀରାଜ ସୁକୁମାରନ୍ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ରେଷ୍ଟ୍ ଆଣ୍ଡ ପିସ୍ ଭାଇ’ । ଦକ୍ଷିଣ ଅଭିନେତା ବିଷ୍ଣୁ ଉନିକ୍ରିଷ୍ଣନ୍ ମଧ୍ୟ ଫେସବୁକରେ ଶୋକ ପ୍ରକାଶ କରି ଲେଖିଛନ୍ତି, ‘ଶାଫି ସାର୍ ଆମକୁ ଛାଡ଼ି ଚାଲିଯାଇଛନ୍ତି । ସେ ସର୍ବଦା ସ୍ମରଣୀୟ ରହିବେ । ଶ୍ରଦ୍ଧାଞ୍ଜଳି’ ।
ଚିଆନ୍ ବିକ୍ରମ ତାଙ୍କର ପ୍ରିୟ ବନ୍ଧୁଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ଏକ ଇମୋସନାଲ୍ ନୋଟ୍ ସେୟାର କରିଛନ୍ତି । ସେ ଲେଖିଛନ୍ତି, ‘ଆଜି ମୁଁ ଜଣେ ପ୍ରିୟ ବନ୍ଧୁ ତଥା ବିଶ୍ୱର ଜଣେ ଉଜ୍ଜ୍ୱଳ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ହରାଇଦେଲି’ ।
ଏମ୍.ଏଚ୍ ରସିଦଙ୍କୁ ତାଙ୍କ ଷ୍ଟେଜ୍ ନାମ ଶାଫିରୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିଚୟ ମିଳିଥିଲା । କମେଡି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ତାଙ୍କୁ ବହୁତ ପସନ୍ଦ କରାଯାଉଥିଲା । ୨୦୦୧ରେ ସେ ‘ୱାନ୍ ମ୍ୟାନ୍ ଶୋ’ ସହିତ ନିର୍ଦ୍ଦେଶକ ଭାବରେ କ୍ୟାରିୟର୍ ଆରମ୍ଭ କରିଥିଲେ । ନିଜର ଦୁଇ ଦଶନ୍ଧିର କ୍ୟାରିୟରରେ ସେ ୨୫ରୁ ଅଧିକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ନିର୍ଦ୍ଦେଶକ ଭାବରେ ଶାଫିଙ୍କର ଶେଷ କମେଡି ଚଳଚ୍ଚିତ୍ର ଥିଲା ‘ଆନନ୍ଦମ୍ ପରମାନନ୍ଦମ୍’, ଯାହା ୨୦୨୨ରେ ମୁକ୍ତିଲାଭ କରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ଚାଲିଗଲେ ରାଜପାଲଙ୍କ ବାପା, ଦୀର୍ଘ ଦିନରୁ ଥିଲେ ଅସୁସ୍ଥ