ସୁକେଶ ଚନ୍ଦ୍ରଶେଖର ଜେଲ୍‌ରେ ଚଳାଇଛନ୍ତି ଆମରଣ ଅନଶନ…୧୭ ଦିନ ହେବ ଖାଇନାହାନ୍ତି ଖାଦ୍ୟ!

ଦିଲ୍ଲୀ ଜେଲ୍‌ରେ ବନ୍ଦୀ ଥିବା ଠକ ସୁକେଶ ଚନ୍ଦ୍ରଶେଖର ନିଜ ସ୍ତ୍ରୀଙ୍କ ସହିତ ଅତିରିକ୍ତ ସାକ୍ଷାତ ଦାବିରେ ୧୭ ଦିନ ହେବ ଆମରଣ ଅନଶନ ଚଳାଇଛନ୍ତି। ଜେଲ୍‌ର ବରିଷ୍ଠ ଅଧିକାରୀମାନଙ୍କ ସୂଚନା ମୁତାବକ, ସୁକେଶ ଏପ୍ରିଲ ୨୩ରୁ ମେ’ ୨ ପର୍ଯ୍ୟନ୍ତ ଏବଂ ମେ’ ୪ରୁ ୧୨ ପର୍ଯ୍ୟନ୍ତ ଭୋଜନ ଗ୍ରହଣ କରି ନାହାନ୍ତି। ସେ ଜେଲ୍‌ ଭିତରେ ଆମରଣ ଅନଶନରେ ବସିଛନ୍ତି। ଏହି ସମୟରେ ତାଙ୍କୁ ଜେଲ୍‌ ଔଷଧାଳୟରୁ ତରଳ ପଦାର୍ଥ ଆଣି ଦିଆଯାଉଛି।

ଅଧିକାରୀମାନଙ୍କ କହିବା ହେଲା, ତାଙ୍କ କୁକର୍ମ ପାଇଁ ତାଙ୍କୁ ଜେଲ୍‌ ଦଣ୍ଡ ମିଳିଛି। ହେଲେ ମୁକେଶ ଦାବି କରିଛନ୍ତି ଯେ ତିହାର ଜେଲ୍‌ର ୬ ନମ୍ବରରେ ବନ୍ଦୀ ଥିବା ତାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କର ସାକ୍ଷାତ୍‌ ବ୍ୟବସ୍ଥା କରାଯାଉ। ତେବେ ପୂର୍ବରୁ ହିଁ ତାଙ୍କୁ ମାସକୁ ୨ ଥର ଅର୍ଥାତ୍‌ ପ୍ରତ୍ୟେକ ମାସର ପ୍ରଥମ ଏବଂ ତୃତୀୟ ଶନିବାର ସ୍ତ୍ରୀଙ୍କ ସହିତ ଜେଲ୍‌ରେ ଦେଖା ହେବାକୁ ଅନୁମତି ଦିଆଯାଇଛି। ଅନ୍ୟ କଏଦୀମାନଙ୍କ ଭଳି ଏହି ବ୍ୟବସ୍ଥା ମଧ୍ୟ ତାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। କିନ୍ତୁ ସୁକେଶ ଏହା ବ୍ୟତୀତ ସ୍ତ୍ରୀଙ୍କ ସହିତ ଅତିରିକ୍ତ ସାକ୍ଷାତ୍‌ ଚାହୁଁଛନ୍ତି, ଯେଉଁଥିପାଇଁ ଦୀର୍ଘ ୧୭ ଦିନ ଧରି ସେ ଆମରଣ ଅନଶନ ଚଳାଇଛନ୍ତି।

ସେପଟେ ସୁକେଶ ଚନ୍ଦ୍ରଶେଖରଙ୍କ ଓକିଲ ଜେଲ୍‌ରେ ତାଙ୍କ ଜୀବନ ବିପଦରେ ଥିବା ଦାବି କରିଥିଲେ। ଆଉ ଏହାର ଜବାବରେ ସରକାର ସୁପ୍ରିମ୍‌ କୋର୍ଟଙ୍କୁ ସୁକେଶଙ୍କ ସୁରକ୍ଷାକୁ ନେଇ ଆଶ୍ୱସନା ଦେଇଥିଲେ। ଜଷ୍ଟିସ୍‌ ଉଦୟ ଉମେଶ ଲଲିତ୍‌, ଜଷ୍ଟିସ୍‌ ଏସ୍‌ ରବିନ୍ଦ୍ର ଭଟ୍ଟ ଓ ଜଷ୍ଟିସ୍‌ ସୁଧାଂଶୁ ଧୂଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁକେଶଙ୍କ ଓକିଲଙ୍କ ଦାବିକୁ ଅବଗତିକୁ ନେଇଥିଲେ। ତେବେ ଖଣ୍ଡପୀଠ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କୁ ଏହି ମାମଲାରେ ଦୁଇ ସପ୍ତାହ ଭିତରେ ନିଜର ଜବାବ ଦାଖଲ କରିବାକୁ କହିଛନ୍ତି। ସେପଟେ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ ଭି ରାଜୁ ଖଣ୍ଡପୀଠଙ୍କୁ ଆଶ୍ୱସନା ଦେଇଛନ୍ତି ଯେ ସୁକେଶଙ୍କ ସୁରକ୍ଷା ଉପରେ ପୂରା ଧ୍ୟାନ ରଖାଯିବ।

କହି ରଖୁଛୁ, ମହଙ୍ଗା ଗିଫ୍ଟ ଦେଇ ବଲିଉଡ୍‌ ସେଲିବ୍ରିଟିମାନଙ୍କୁ ନିଜ ଜାଲରେ ଫସାଉଥିଲେ ସୁକେଶ ଚନ୍ଦ୍ରଶେଖର। ପରେ ସେମାନଙ୍କ ସହିତ ନିଜର ଫଟୋ ଦେଖାଇ ଲୋକମାନଙ୍କୁ ଠକୁଥିଲେ। ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସହ ସୁକେଶ ଚନ୍ଦ୍ରଶେଖରଙ୍କ ଫଟୋ ଭାଇରାଲ ହେବା ପରେ ଜ୍ୟାକଲିନଙ୍କୁ ଇଡି ପଚରାଉଚରା କରିଥିଲା। କେବଳ ଜ୍ୟାକଲିନ ନୁହଁନ୍ତି, ନୋରା ଫତେହୀଙ୍କ ନାମ ମଧ୍ୟ ତାଙ୍କ ସହିତ ଯୋଡ଼ି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.