ନର୍ସିଂ ଷ୍ଟାଫ୍‌ଙ୍କ ଜରିଆରେ ଜେଲ୍‌ ବାହାରକୁ ଚିଠି ପଠାଉଥିଲେ ସୁକେଶ ଚନ୍ଦ୍ରଶେଖର, ସିସିଟିଭି କ୍ୟାମେରାରୁ ସାମ୍ନାକୁ ଆସିଲା ସତ

୨୦୦ କୋଟି ଟଙ୍କା ଠକେଇ କରି ଦିଲ୍ଲୀର ତିହାର ଜେଲରେ ଦିନ କାଟୁଥିବା ଠକ ସୁକେଶ ଚନ୍ଦ୍ରଶେଖର ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ବିରୋଧରେ ପୁଣି ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ଅମାନ୍ୟ କରିବା ନେଇ ଅଭିଯୋଗ ହୋଇଛି। ସୁକେଶ ଜେଲ୍‌ ଭିତରେ ରହି ବାହାର ଦୁନିଆ ସହ ସମ୍ପର୍କ ରଖିଥିବା ଜଣାପଡ଼ିଛି।

ଜେଲ୍‌ ଅଧିକାରୀମାନେ ଦାବି କରିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର ଜେଲ୍‌ରୁ କିଛି ପେପର୍‌ ବାହାରକୁ ପଠାଇଛନ୍ତି, ଯାହାକି ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି କାର୍ଯ୍ୟରେ ଜଣେ ନର୍ସିଂ ଷ୍ଟାଫ୍‌ ତାଙ୍କୁ ସାହାଯ୍ୟ କରିଛନ୍ତି। ତେବେ ଏହି ଘଟଣା ବିଷୟରେ ଯେତେବେଳେ ଉକ୍ତ ନର୍ସିଂ ଷ୍ଟାଫ୍‌ଙ୍କୁ ପଚରା ଯାଇଥିଲା, ତ ସେ କହିଥିଲେ କି, ବାହାରେ ସୁକେଶଙ୍କର କେହି ଜଣେ ଚିହ୍ନା ପରିଚିତଙ୍କୁ ଦେବା ପାଇଁ ଏହା ଏକ ଚିଠି ଥିଲା। ବର୍ତ୍ତମାନ ସୁକେଶ ତିହାରର ଜେଲ୍‌ ନମ୍ବର ୩ରେ ବନ୍ଦୀ ଅଛନ୍ତି।

ମିଡିଆ ରିପୋର୍ଟ ମୁତାବକ, ଯେଉଁ ସମୟରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଚିକିତ୍ସା ପାଇଁ ଜେଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ସେ ଜଣେ ନର୍ସିଂ ଷ୍ଟାଫ୍‌ଙ୍କ ସମ୍ପର୍କରେ ଆସିଥିଲେ। କୁହାଯାଉଛି ଯେ ଜେଲ୍‌ ପ୍ରଶାସନ ଏବେ ଏହି ମାମଲାରେ ଦିଲ୍ଲୀ ପୋଲିସ ସହ ଯୋଗାଯୋଗ କରିଛି। ବର୍ତ୍ତମାନ ପୋଲିସ ପୂରା ମାମଲାର ତଦନ୍ତ କରୁଛି।

କହି ରଖୁଛୁ, ସୁକେଶ ଚନ୍ଦ୍ରଶେଖରଙ୍କୁ ଜୁନ୍‌ ୯ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆମରଣ ଅନଶନ କରିଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇ ଗ୍ଲୁକୋଜ୍‌ ଦିଆଯାଇଥିଲା।

Leave A Reply

Your email address will not be published.