‘ବଟୱାରା ୧୯୪୭’ ରିଲିଜ୍ ପୂର୍ବରୁ ବଢ଼ିଲା କ୍ରେଜ୍, ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିଲେ ପ୍ରୀତି ଓ ସନି

ବଲିଉଡ୍ ଅଭିନେତା ସନି ଦେଓଲଙ୍କ ଆଗାମୀ ଫିଲ୍ମ ‘ବଟୱାରା ୧୯୪୭’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ ରିଲିଜ୍ ପୂର୍ବରୁ ମେକର୍ସ ପ୍ରମୋସନକୁ ଜୋରଦାର କରିଥିବା ବେଳେ ଶୁକ୍ରବାର ଲକ୍ଷ୍ନୌରେ ପହଞ୍ଚିଥିଲେ ସନି ଦେଓଲ ।

ଲକ୍ଷ୍ନୌରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ଏହି ସମୟରେ ତାଙ୍କ ସହ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ଉପସ୍ଥିତ ଥିଲେ । ସାକ୍ଷାତ ସମୟରେ ଯୋଗୀ ଆଦିତ୍ୟନାଥ ଉଭୟଙ୍କୁ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଉପହାର ଦେଇଥିଲେ ।

ସାକ୍ଷାତ ପରେ ସନି ଦେଓଲ ସୋସିଆଲ ମିଡିଆରେ ଫଟୋ ଶେୟାର କରି ଯୋଗୀଙ୍କୁ ଭେଟି ଖୁସି ହୋଇଥିବା କହିଥିଲେ । ଏହି ସମୟରେ ଫିଲ୍ମକୁ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି । ଲକ୍ଷ୍ନୌ ପ୍ରମୋସନରେ ସନି ଦେଓଲ, ପ୍ରୀତି ଜିଣ୍ଟାଙ୍କ ସହ ସନିଙ୍କ ପୁଅ ତଥା ଅଭିନେତା କରଣ ଦେଓଲ ମଧ୍ୟ ନଜର ଆସିଥିଲେ ।

ବିଭାଜନର କାହାଣୀ ନେଇ ଆସୁଛି ‘ବଟୱାରା ୧୯୪୭’:

ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ବଟୱାରା ୧୯୪୭’ ଭାରତ-ପାକିସ୍ତାନ ବିଭାଜନକୁ ନେଇ ତିଆରି ହୋଇଛି । ବିଭାଜନ ସମୟର ଯନ୍ତ୍ରଣା ସହ ପ୍ରେମ, ତ୍ୟାଗ ଓ ସାହସର କାହାଣୀ ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମରେ ସନି ଦେଓଲ ଓ ପ୍ରୀତି ଜିଣ୍ଟାଙ୍କ ବ୍ୟତୀତ ଶବାନା ଆଜମୀ, କରଣ ଦେଓଲ, ଅଲି ଫଜଲ, ଅଭିମନ୍ୟୁ ସିଂହ ଓ ଅନ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

ଅଗଷ୍ଟ ୧୪ରେ ରିଲିଜ୍, ଇମ୍ରାନଙ୍କ ଫିଲ୍ମ ସହ ଟକ୍କର:

‘ବଟୱାରା ୧୯୪୭’ ଆସନ୍ତା ୧୪ ଅଗଷ୍ଟ ୨୦୨୬ରେ ସିନେମା ହଲକୁ ଆସିବ । ତେବେ ବକ୍ସ ଅଫିସରେ ଏହାର ମୁକାବିଲା ଇମ୍ରାନ ହାଶମିଙ୍କ ‘ଆୱାରାପନ୍ ୨’ ସହ ହେବ । ଦୁଇଟି ଫିଲ୍ମ ମଧ୍ୟରେ ବକ୍ସ ଅଫିସ୍ ଟକ୍କର କେତେ ଜମୁଛି, ତାହା ଉପରେ ଏବେ ନଜର ।

Also Read: Susmita Mukherjee: ଗୋଲମାଲ ଅଭିନେତ୍ରୀଙ୍କ ଉପରେ ଥିଲା ୧ କୋଟିର ଋଣ, ସି-ଗ୍ରେଡ୍ ଫିଲ୍ମ କରିବାକୁ ହୋଇଥିଲେବାଧ୍ୟ