ଡିଭାଇଡରରେ ପିଟି ହେଲା ଟାର୍ଜନ ଷ୍ଟାର ହେମନ୍ତ ବିର୍ଜେଙ୍କ କାର, ପୂରା ପରିବାର ହସ୍ପିଟାଲରେ ଭର୍ତ୍ତି

ଟାର୍ଜନ ଷ୍ଟାର ହେମନ୍ତ ବିର୍ଜେଙ୍କ କାର ଦୁର୍ଘଟଣା। ହେମନ୍ତ ନିଜେ କାର ଚଳାଉଥିବା ବେଳେ ଏହି ଆକ୍ସିଡେଣ୍ଟ ହୋଇଥିବା ଜଣାଯାଇଛି। କାର ଦୁର୍ଘଟଣା ଗସ୍ତ ହେବା ବେଳେ ସେଥିରେ ହେମନ୍ତଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ଥିଲେ।

ସୂଚନା ମୁତାବକ, ମୁମ୍ବାଇ- ପୁଣେ ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଛି। ପୁଣେ ନିକଟସ୍ଥ ଉର୍ସ ଟୋଲ ବୁଥ ନିକଟରେ ହେମନ୍ତଙ୍କ କାର ଡିଭାଇଡର ସହ ଧକ୍କା ହୋଇଥିଲା। ଫଳରେ ହେମନ୍ତଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅଙ୍କୁ ସାମାନ୍ୟ ଆଘାତ ଲାଗିଛି। ତେବେ କୁହାଯାଉଛି ଯେ ଗାଡ଼ି ଚଳାଇବା ବେଳେ ହେମନ୍ତଙ୍କ ଆଖି ଲାଗିଯାଇଥିଲା। ଫଳରେ କାର ଯାଇ ଡିଭାଇଡରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ତୁରନ୍ତ ୩ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ ହେମନ୍ତ ୧୯୮୫ ମସିହାରେ ଆଡଭେଞ୍ଚର୍ସ ଅଫ ଟାର୍ଜନ ଜରିଆରେ ହିନ୍ଦୀ ଫିଲ୍ମ ଜଗତରେ ପାଦ ଥାପିଥିଲେ। ଏହା ବ୍ୟତୀତ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଅନେକ ଫିଲ୍ମରେ ବି କାମ କରିଛନ୍ତି। ହେମନ୍ତ ୨୦୦୫ ମସିହାରେ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ଗର୍ବରେ ମଧ୍ୟ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଛନ୍ତି।