ମୁମ୍ୱାଇ ଫିଲ୍ମ ଫେଷ୍ଟିଭାଲ ପାଇଁ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ପ୍ରଦର୍ଶିତ

ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ୨୦୨୪ (ମିଫ୍ )ରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ବିଶିଷ୍ଟ ଓଡ଼ିଆ ଚଳଚ୍ଚିିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ । ଏହି ଚଳଚ୍ଚିତ୍ର ମହୋତ୍ସବ ଜୁନ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେଉଛି ।
ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଉପରେ ଏହାର ପ୍ରଭାବ ବିଷୟରେ ତଥ୍ୟ ସହ ଏହି ଡକ୍ୟୁମେଣ୍ଟାରୀ କରାଯାଇଛି । ସାତଭାୟା ଗାଁର ବାସିନ୍ଦାଙ୍କ ଜୀବନ ଏବଂ ସଂଘର୍ଷ ଚିତ୍ରିତ ହୋଇଛି । ଏହାର ପ୍ରଯୋଜନା ଡ. ଇତି ସାମନ୍ତ କରିଥିବା ବେଳେ କାଦମ୍ବିନୀ ମିଡିଆ ବ୍ୟାନରରେ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଉପସ୍ଥାପିତ ହୋଇଛି ।
ପୂର୍ବରୁ କେରଳରେ ଅନୁଷ୍ଠିତ ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ଊତ୍ସବ (ଆଇଡିଏସଏଫଏଫକେ)ରେ ଏହା ପ୍ରଦର୍ଶିତ ହୋଇଥିଲା। ସେହିପରି ଇଣ୍ଡିଆନ ପାନୋରାମା ୨୦୨୩, ୫୪ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଆଇ) ପାଇଁ ଅଣ-ଫିଚର ବର୍ଗରେ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’କୁ ଚୟନ କରାଯାଇଥିଲା ।
ସୂଚନା ଥାଉ କି ଏକ ସମୟରେ ସାତଭାୟା ସାତୋଟି ଗାଁର ଏକ ମିଳିତ ଅଞ୍ଚଳ ଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିବା ଏହି ଅଞ୍ଚଳର ପାଞ୍ଚଟି ଗାଁ ସମୟ ସହିତ ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଛି । ଏହା ଉପରେ ଗବେଷଣା କରି ହିମାଂଶୁ ଖଟୁଆ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ଚଳଚ୍ଚିତ୍ରଟି ନିର୍ମାଣ କରିଛନ୍ତି ।