ଆସୁଛି ‘ଜିନ୍ଦେଗୀ ନା ମିଲେଗୀ ଦୋବାରା’ର ସିକ୍ୱେଲ୍, ଅପେକ୍ଷାରେ ଦର୍ଶକ

ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ‘ଜିନ୍ଦେଗୀ ନା ମିଲେଗୀ ଦୋବାରା’ ୨୦୧୧ ମସିହାରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ହ୍ରିତିକ ରୋଶନ, ଫରହାନ ଅଖତର ଏବଂ ଅଭୟ ଦେଓଲ ଲିଡ୍ ରୋଲରେ ଥିବାବେଳେ ନସିରୁଦ୍ଦିନ ଶାହ, କ୍ୟାଟ୍ରିନା କୈଫ ଓ କଲ୍କି କୋଚ୍ଲିନ ମଧ୍ୟ ନଜର ଆସିଥିଲେ । ଏବେ ଯେଉଁ ଫିଲ୍ମଗୁଡ଼ିକର ସିକ୍ୱେଲକୁ ଦର୍ଶକମାନେ ଅପେକ୍ଷା କରୁଛନ୍ତି, ସେଥିରେ ଏହି ଫିଲ୍ମ ମଧ୍ୟ ସାମିଲ ରହିଛି । ତେବେ ଦୀର୍ଘଦିନ ଧରି ଏହାର ପାର୍ଟ-୨ ଆସିବା ନେଇ ଚର୍ଚ୍ଚା ହେଉଥିଲା । ଯାହାକୁ ଏବେ ଜୋୟା ଅଖତର ନିଜେ ଏହାକୁ କନଫର୍ମ କରିଛନ୍ତି ।

‘ଜିନ୍ଦେଗୀ ନା ମିଲେଗୀ ଦୋବାରା’କୁ ୧୫ ବର୍ଷ ପୂରିଛି । ଏହି ଅବସରରେ ଜୋୟା ଅଖତର କହିଛନ୍ତି ଯେ ସେ ଫିଲ୍ମର ସିକ୍ୱେଲ ଉପରେ କାମ କରୁଛନ୍ତି । ତେବେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା ୨୦୨୫ରେ ‘ୟସ ଆୟରଲ୍ୟାଣ୍ଡ’ର ଏକ ବିଜ୍ଞାପନ ପରେ । ସେଥିରେ ହ୍ରିତିକ ରୋଶନ, ଅଭୟ ଦେଓଲ ଓ ଫରହାନ ଅଖତର ଏକାଠି ନଜର ଆସିଥିଲେ । ଏହାପରେ ‘ଜିନ୍ଦେଗୀ ନା ମିଲେଗୀ ଦୋବାରା୨’କୁ ନେଇ ଚର୍ଚ୍ଚା ଆହୁରି ବଢ଼ିଥିଲା । ନିକଟରେ ‘ମନସୁନ୍ ଫିଲ୍ମ ଫେଷ୍ଟିଭାଲ୍’ରେ ରିପୋର୍ଟରଙ୍କ ସହ କଥା ହେବା ସମୟରେ ଜୋୟା ଅଖତର ସିକ୍ୱେଲ ଉପରେ କାମ ଚାଲିଥିବା କଥା କହିଛନ୍ତି ।

‘ଜିନ୍ଦେଗୀ ନା ମିଲେଗୀ ଦୋବାରା’ର ସିକ୍ୱେଲ ଆସୁଛି?

ଜୋୟା ଅଖତର କହିଛନ୍ତି, “ଆମେ ଏହା ଉପରେ କାମ କରୁଛୁ । ଆଗକୁ କ’ଣ ହେବ ତାହା ଆମେ ଜାଣିନାହୁଁ । ଯଦି ଆମେ ଏଭଳି ଏକ ସ୍ଥାନରେ ପହଞ୍ଚୁ, ଯେଉଁଠାରେ ଆଜିର ସମୟରେ ଏହି ଚରିତ୍ରଗୁଡ଼ିକୁ ପୁଣି ଦେଖାଇବା ଠିକ୍ ଲାଗେ, ତେବେ ଏହା ବହୁତ ଭଲ ହେବ।”

ଏହି ସମୟରେ ସେ ୨୦୨୫ରେ ହ୍ରିତିକ, ଅଭୟ ଓ ଫରହାନଙ୍କ ସହ ହୋଇଥିବା ବିଜ୍ଞାପନ ବିଷୟରେ ମଧ୍ୟ କହିଥିଲେ । ବିଜ୍ଞାପନକୁ ଦେଖି ଅନେକ ଲୋକ ଏହାକୁ ‘ଜିନ୍ଦେଗୀ ନା ମିଲେଗୀ ଦୋବାରା ୨’ର ଟିଜର କିମ୍ବା ଟ୍ରେଲର ବୋଲି ଭାବିଥିଲେ । ଜୋୟା କହିଛନ୍ତି, “ଲୋକମାନେ ଭାବିଥିଲେ ଏହା ଟ୍ରେଲର । ପ୍ରଥମେ ସମସ୍ତେ ବହୁତ ଉତ୍ସାହିତ ହୋଇଥିଲେ । ପରେ ଏହା ବିଜ୍ଞାପନ ବୋଲି ଜାଣିବା ପରେ ମୋତେ ଡାଇରେକ୍ଟ ମେସେଜ୍‌ରେ ଅନେକ ଲୋକ ଗାଳି ମଧ୍ୟ ଦେଇଥିଲେ ।” ତେବେ ଏପର୍ଯ୍ୟନ୍ତ ଫିଲ୍ମର କାହାଣୀ ନେଇ କେବଳ ଆଲୋଚନା ଚାଲିଛି । କିଛି ମଧ୍ୟ ଚୂଡ଼ାନ୍ତ ହୋଇନଥିବାରୁ ସିକ୍ୱେଲ ଆସିବାରେ ଆହୁରି ବିଳମ୍ବ ହୋଇପାରେ ।

ପ୍ରକାଶ ଥାଉକି, ୨୦୧୧ରେ ରିଲିଜ୍ ହୋଇଥିବା ‘ଜିନ୍ଦଗୀ ନା ମିଲେଗି ଦୋବାରା’ର ସୁଟିଂ ସ୍ପେନ୍, ଭାରତ ଓ ୟୁକେରେ ହୋଇଥିଲା । ପ୍ରାୟ ୪୫ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ବିଶ୍ୱବ୍ୟାପୀ ପ୍ରାୟ ୧୫୩ କୋଟି ଟଙ୍କା ଆୟ କରିଥିଲା । ଏବେ ଏହାର ପାର୍ଟ-୨ର ଅଫିସିଆଲ୍ ଘୋଷଣା କେବେ ହେବ, ତାହା ଉପରେ ଦର୍ଶକଙ୍କ ନଜର ରହିଛି ।

Also read: ବାଜି ମାରିଲେ ରବୀନା: ସନ୍ନି, ଇମ୍ରାନଙ୍କୁ ପଛରେ ପକାଇ ୩ ଦିନରେ କଲେକ୍ସନ କଲେ ୧୧୦ କୋଟି