ଆଫ୍‌ଗାନିସ୍ତାନରେ ଶୁଟ୍‌ ହୋଇଥିବା ଶେଷ ଫିଲ୍ମ ଥିଲା ‘ତୋରବାଜ’, ଶୁଟିଂ ସମୟରେ ପ୍ରତି ପାଦରେ ଥିଲେ ସୈନିକ, ଲୋମ ଟାଙ୍କୁରା କଥା ବଖାଣିଲେ ନିର୍ଦ୍ଦେଶକ

ଆଫ୍‌ଗାନିସ୍ତାନର ସ୍ଥିତି ଉପରେ ଏବେ ବିଶ୍ୱର ସବୁ ଦେଶଙ୍କ ନଜର ରହିଛି। ଆଫ୍‌ଗାନିସ୍ତାନ ଉପରେ କବ୍‌ଜା କରି ସାରିଥିବା ତାଲିବାନ ଆଫ୍‌ଗାନ ସେନାଙ୍କୁ ଆଣ୍ଠେଇ ପଡ଼ିବାକୁ ବାଧ୍ୟ କରିଛି। ସେଠାରୁ ବିଭିନ୍ନ ସମୟରେ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସବୁ ଆସିବାରେ ଲାଗୁଛି।

କେବେ କଳା ଓ ସିନେମା ପାଇଁ ସ୍ୱର୍ଗ କୁହାଯାଉଥିବା ଆଫ୍‌ଗାନିସ୍ତାନରେ ଏବେ ତାଲିବାନର ହୁକୁମତ୍‌ ଚାଲିଛି। ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ଆଫ୍‌ଗାନିସ୍ତାନରେ ଏବେ ଭୟାବହ ପରିସ୍ଥିତି। ଯେଉଁଠି ସ୍ଥାନୀୟ ଲୋକ ସୁରକ୍ଷିତ ନାହାନ୍ତି, ସେଠି ଫିଲ୍ମ ଶୁଟିଂ ବିଷୟରେ ତ କେହି ଭାବି ସୁଦ୍ଧା ପାରିବେ ନାହିଁ। କିନ୍ତୁ ଦିନ ଥିଲା, ଯେବେ ହିନ୍ଦୀ ଫିଲ୍ମ ନିର୍ମାତାମାନେ ସେଠାକୁ ଯାଇ ଶୁଟିଂ କରୁଥିଲେ।

ଆଫ୍‌ଗାନିସ୍ତାନ ମାଟିରେ ଶୁଟ୍‌ ହୋଇଥିବା ପ୍ରଥମ ହିନ୍ଦୀ ଫିଲ୍ମ ଧର୍ମାତ୍ମାକୁ କୁହାଯାଇଥାଏ। ଏହାପରେ ଅନେକ ଫିଲ୍ମ ସେଠାରେ ଶୁଟ୍‌ ହୋଇଛି। କିନ୍ତୁ ତାଲିବାନର ଆତଙ୍କ ଏବଂ ହୁକୁମତ୍‌ ଯୋଗୁ ଧୀରେ ଧୀରେ ଫିଲ୍ମ ମେକରମାନେ ସେଠାରେ ଶୁଟିଂ କରିବାକୁ ଚାହିଁ ନ ଥିଲେ। ତେବେ ଶେଷ ଫିଲ୍ମ, ଯାହାକି ଆଫ୍‌ଗାନିସ୍ତାନର କିଛି ଅଞ୍ଚଳରେ ଶୁଟ୍‌ ହୋଇଥିଲା, ତାହାର ନାଁ ଥିଲା ତୋରବାଜ। ଚାଇଲ୍ଡ ସୁଇସାଇଡ୍‌ ବମ୍ବର ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଲିଡ୍‌ ରୋଲ୍‌ରେ ଥିଲେ।

ତୋରବାଜ ୨୦୧୭ରେ ଆଫ୍‌ଗାନିସ୍ତାନରେ ଶୁଟ୍‌ ହୋଇଥିଲା ଏବଂ ଏହାକୁ ୨୦୧୯ରେ ରିଲିଜ୍‌ କରାଯିବାକୁ ଥିଲା। କିନ୍ତୁ କରୋନା ଯୋଗୁ ଏହା ୨୦୨୦ରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଥିଲା। ଏଥିରେ ସଞ୍ଜୟ ଦତ୍ତଙ୍କ ସହ ନର୍ଗିସ୍‌ ଫକ୍ରୀ ମଧ୍ୟ ଥିଲେ। ଫିଲ୍ମକୁ ଗିରୀଶ ମଲିକ ନିର୍ଦ୍ଦେଶନା ଦେଇଥିଲେ।

ପରେ ଆଫ୍‌ଗାନିସ୍ତାନରେ ଶୁଟିଂ ଅନୁଭବକୁ ସେୟାର କରି ଗିରୀଶ କହିଥିଲେ ଯେ ସେଠାରେ ଶୁଟ୍‌ କରିବା ବହୁତ ଭୟଙ୍କର ଥିଲା। ସବୁଆଡ଼ୁ ସେନା, ଭୟଭୀତ ଲୋକ ଏବଂ ପ୍ରତି ପାଦରେ ବମ୍ବର ଆତଙ୍କ। ଏଣୁ କିଛି ଶୁଟିଂ ପରେ ସେ କଳାକାରମାନଙ୍କ ସୁରକ୍ଷା ଲାଗି ବାକିର ଶୁଟ୍‌ କିର୍ଗିସ୍ତାନରେ କରିବାକୁ ଉଚିତ ମଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.