ଲୋକପ୍ରିୟ ଅଭିନେତା ତଥା କମେଡିଆନ୍‌ ଅତୁଲ ପରଚୁରେଙ୍କ ନିଧନ, ଦୀର୍ଘଦିନରୁ କ୍ୟାନସରରେ ଥିଲେ ପୀଡିତ

ଲୋକପ୍ରିୟ ମରାଠି ଓ ବଲିଉଡ ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ । ଆଜି ୫୭ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମରାଠି ସହିତ ଅନେକ ହିନ୍ଦୀ ଫିଲ୍ମ ଏବଂ ଟିଭି ସିରିଅଲରେ କାମ କରିଛନ୍ତି ଅତୁଲ । ସେ ଦୀର୍ଘଦିନ ଧରି କ୍ୟାନସର ସହିତ ଲଢୁଥିଲେ । କ୍ୟାନସର ସହିତ ଲଢି ମଧ୍ୟ ଜୋସର ସହିତ କାମ କରୁଥିଲେ । ମରାଠି ଶୋ’ରେ କାମ କରି ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ । ତାଙ୍କ ଅଚାନକ ମୃତ୍ୟୁରେ ସମଗ୍ର ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଅତୁଲ ଗତକାଲି ଏକ ଷ୍ଟେଜ ସୋରେ ସାମିଲ ହୋଇଥିଲେ । କିନ୍ତୁ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ଆଜି ତାଙ୍କର ଦେହାନ୍ତ ହୋଇଛି । କ୍ୟାନସରରେ ପୀଡିତ ଥିବା ଅତୁଲ ଅସୁସ୍ଥ ସତ୍ତ୍ୱେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ଜାରି କରିଥିଲେ ।

ସେ ନିଜ ମା’, ପତ୍ନୀ ଓ ଝିଅ ସହ ମୁମ୍ବାଇରେ ରହୁଥିଲେ । ନିଜର ଲମ୍ବା ଅଭିନୟ କ୍ୟାରିୟରରେ ଅତୁଲ ଦି କପିଲ ଶର୍ମା ଶୋ’ରେ ମଧ୍ୟ ନଜର ଆସିଥିଲେ । ଅଜୟ ଦେବଗନ, ସଞ୍ଜୟ ଦତ୍ତ ଓ ଶାହରୁଖ ଖାନଙ୍କ ସହ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ଅତୁଲ ସଲାମ-ଏ-ଇସ୍କ, କଲୟୁଗ, ଫିର ଭି ଦିଲ୍‌ ହୈ ହିନ୍ଦୁସ୍ତାନୀ, ପାଟର୍ନର, ଅଲ ଦ ବେଷ୍ଟ, ବିଲୁ ଭଳି ଫିଲ୍ମରେ କାମ କରିଛନ୍ତି ।

ଅତୁଲଙ୍କ ବିୟୋଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ସ୍ପିଡ ଯାଉଥିବା ଅଭିନେତାଙ୍କ ଅସମୟରେ ବିଦାଇ.. ।