‘କସୌଟି ଜିନ୍ଦଗୀ କି’ ଏବଂ ‘କ୍ୟୁଙ୍କି ଶାଶ୍ ଭି କଭି ବହୂ ଥି’ର ଫେମ୍ ଆକ୍ଟର ବିକାଶ ସେଠୀଙ୍କ ଦେହାନ୍ତ ହୋଇଛି । ମାତ୍ର ୪୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍ବିଦା କହିଛନ୍ତି । ନିଦରେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଆର୍ଥିକ ସମସ୍ୟାକୁ ନେଇ ସେ ଚିନ୍ତିତ ଥିଲେ । ଅଭିନେତାଙ୍କ ନିଧନ ଖବର ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଟିଭି ଇଣ୍ଡଷ୍ଟ୍ରୀରେ ମଧ୍ୟ ଶୋକର ଛାଇ ଖେଳିଯାଇଛି ।
ବିକାଶ ରାତିରେ ଶୋଇଥିଲେ । ସକାଳେ ଯେତେ ବେଳେ ଉଠି ନ ଥିଲେ, ପତ୍ନୀ ତାଙ୍କୁ ତୁରନ୍ତ ଧରି ହସ୍ପିଟାଲ ଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିକାଶ ଅନେକ ଦିନରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ତାଙ୍କୁ କୌଣସି ବି କାମ ମିଳୁ ନ ଥିଲା । ଏପରି କି, ସେ ଇଣ୍ଡଷ୍ଟ୍ରୀର କେତେଜଣ ସାଙ୍ଗଙ୍କ ସହ ମଧ୍ୟ ଯୋଗାଯୋଗାରେ ନ ଥିଲେ । ଆର୍ଥିକ ଅଭାବ କାରଣରୁ ହୃଦ୍ଘାତ ଆସିବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
ଟେଲିଭିଜନ ଶୋ’ ବ୍ୟତୀତ ବିକାଶ କରଣ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍’ରେ ରବି ଭୂମିକାରେ ଅନିଭୟ କରିଥିଲେ । ଫିଲ୍ମରେ ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରାଯାଉଥିଲା । ବିକାଶ ସେଠୀ ହେଉଛନ୍ତି ୯୦ ଦଶକର ଲୋକପ୍ରିୟ ଆକ୍ଟରଙ୍କ ମଧ୍ୟରୁ ଅନ୍ୟତମ । ସେ ‘କହିଁ ତୋ ହୋଗା’, ‘ସସୁରାଲ୍ ସିମର କା’, ‘ଖୁସ୍ତାଖ ଦିଲ୍’ ଏବଂ ‘ଉତରନ୍’ ଭଳି ଅନେକ ପପୁଲାର୍ ଶୋ’ରେ କାମ କରିଥିଲେ ।
୨୦୧୮ରେ ଜାହ୍ନବୀ ସେଠୀଙ୍କ ସହ ତାଙ୍କର ବିବାହ ହୋଇଥିଲା । ଜାହ୍ନବୀଙ୍କ ସହ ବିବାହ ପରେ ସେ ଯାଆଁଳା ପିଲାଙ୍କର ବାପା ହୋଇଥିଲେ । ମେ’ ୧୨ରେ ବିକାଶ ସେଠୀ ଶେଷ ଥର ପାଇଁ ଇନ୍ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଥିଲେ ।